ଓୟୁଏଟି ଓ ଆଇଆଇଟି ଦିଲ୍ଲୀ ମଧ୍ୟରେ ଏମ୍‌ଓୟୁ

ଭୁବନେଶ୍ୱର,୧୪ା୮(ବ୍ୟୁରୋ): କୃଷି ଓ ଆନୁସଙ୍ଗିକ କ୍ଷେତ୍ରରେ ଶିକ୍ଷା ଓ ଗବେଷଣାକୁ ସୁଦୃଢ଼ କରିବା ନିମନ୍ତେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି) ଏବଂ ଆଇଆଇଟି ଦିଲ୍ଲୀ ମଧ୍ୟରେ ଗୁରୁବାର ବୁଝାମଣାପତ୍ର(ଏମ୍‌ଓୟୁ) ସ୍ବାକ୍ଷରିତ ହୋଇଛି। ଏହି ଏମ୍‌ଓୟୁ ଦ୍ୱାରା କୃଷି କ୍ଷେତ୍ରରେ ସେନ୍‌ସର ବ୍ୟବହାର, ପ୍ରିସିସିଅନ ଫାର୍ମ, ଜିଓସ୍ପାସିଆଲ ଜ୍ଞାନକୌଶଳ ବ୍ୟବହାର, ନାନୋ ଟେକ୍ନୋଲୋଜି ଏବଂ ଜୈବ ପ୍ରଯୁକ୍ତି ବିଦ୍ୟା ପ୍ରୟୋଗ ଆଦି ଅତ୍ୟାଧୁନିକ ଜ୍ଞାନ କୌଶଳ ବିଷୟରେ ଉଚ୍ଚତର ଗବେଷଣା କରିବା ସୁବିଧାଜନକ ହୋଇପାରିବ। ବିଶେଷକରି ବିଶ୍ୱ ବିଦ୍ୟାଳୟର ଛାତ୍ରୀଛାତ୍ର ଏବଂ ବୈଜ୍ଞାନିକମାନେ ଆଇଆଇଟି ଦିଲ୍ଲୀଠାରେ ଥିବା ଗବେଷଣାଗାରରେ କାର୍ଯ୍ୟ କରିବା ପାଇଁ ସୁଯୋଗ ପାଇବେ। ଏଥିସହିତ ଗ୍ରାମାଞ୍ଚଳର କୃଷକମାନଙ୍କ ସମସ୍ୟା ସମାଧାନ ନିମନ୍ତେ ଆଇଆଇଟି ଦିଲ୍ଲୀର ବୈଜ୍ଞାନିକମାନେ ମଧ୍ୟ ଓୟୁଏଟି ସହିତ କାର୍ଯ୍ୟ କରିପାରିବେ। ଏହି ବୁଝାମଣା ପତ୍ରରେ ଓୟୁଏଟି ପକ୍ଷରୁ କୁଳପତି ଡ. ପୱନ କୁମାର ଅଗ୍ରୱାଲ ସ୍ବାକ୍ଷର କରିଥିବାବେଳେ ଆଇଆଇଟି ଦିଲ୍ଲୀ ତରଫରୁ ଏହାର ନିର୍ଦ୍ଦେଶକ ଡ. ଭି. ରାମ ଗୋପାଳ ରାଓ ସ୍ବାକ୍ଷର କରିଛନ୍ତି। କୃଷି ଗବେଷଣା ଓ ଶିକ୍ଷାଦାନ କ୍ଷେତ୍ରରେ ନୂତନ ସମ୍ଭାବନା ସୃଷ୍ଟି ହେବା ସହିତ କୃଷକଙ୍କ ଅନେକ ସମସ୍ୟା ସମାଧାନ କ୍ଷେତ୍ରରେ ଏହି ବୁଝାମଣା ସହାୟକ ହୋଇପାରିବ ବୋଳି କୁଳପତି କହିଛନ୍ତି।