ଡ୍ରାଇଭର ମହାସଂଘର ଆନ୍ଦୋଳନ ପ୍ରତିବାଦରେ ତାତିଲା ମୋଟର ଚାଳକ ସଂଘ

ବରଗଡ଼ ଅଫିସ, ୧୬।୩- ଡ୍ରାଇଭରମାନଙ୍କୁ ସମ୍ମାନ, ସୁରକ୍ଷା ଏବଂ ଅଧିକାର ଦାବି ନେଇ ଡ୍ରାଇଭର ମହାସଂଘ ବୁଧବାରଠାରୁ ଅର୍ନିଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଧର୍ମଘଟ ଏବଂ ଅଖ ଚକ ବନ୍ଦ ଆନ୍ଦୋଳନକୁ ଓହ୍ଲାଇଛି। ତେବେ ଡ୍ରାଇଭର ମହାସଂଘର ଏହି ଆନ୍ଦୋଳନକୁ ମୋଟର ଚାଳକ ସଂଘ ବିରୋଧ କରିଛି। ଡ୍ରାଇଭର ମହାସଂଘର ଆନ୍ଦୋଳନକୁ ଦୃଷ୍ଟିରେ ରଖି ମୋଟର ଚାଳକ ସଂଘ ପୂର୍ବରୁ ପୋଲିସ, ପ୍ରଶାସନକୁ ଜଣାଇ ଗାଡ଼ି ଚଳାଚଳ ସମୟରେ ସୁରକ୍ଷା ଯୋଗାଇ ଦେବାକୁ ନିବେଦନ କରିଥିଲା। ଗାଡ଼ି ଚଳାଚଳ ସମୟରେ ସୁରକ୍ଷା ଯୋଗାଇ ଦେବାକୁ ସେତେବେଳେ, ପ୍ରଶାସନ ନିର୍ଭର ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ ମୋଟର ଚାଳକ ସଂଘର ସଦସ୍ୟମାନେ ଗାଡ଼ି ଚଲାଇ ଯାଉଥିବା ବେଳେ ଡ୍ରାଇଭର ମହାସଂଘର ସଦସ୍ୟମାନେ ରାସ୍ତା ଛାଡୁ ନାହାନ୍ତି। କେବଳ ସେତିକି ନୁହେଁ, ଗାଡ଼ି ଧରି ଯାଉଥିବା ମୋଟର ଚାଳକ ସଂଘର ସଦସ୍ୟମାନଙ୍କୁ ଡ୍ରାଇଭର ମହାସଂଘର ସଦସ୍ୟମାନେ ପୋଲିସ ଉପସ୍ଥିତିରେ ଜୋର ଜବରଦସ୍ତ ଗାଡିରୁ ଓହ୍ଲାଇ ଠେଲାପେଲା କରିବା ସହିତ ଚନ୍ଦନ, ସିନ୍ଦୁର, ଫୁଲମାଳା ପିନ୍ଧାଉଛନ୍ତି। ଏପରିକି ସିଲଟ ବେକରେ ଝୁଲାଇ ଅପମାନିତ କରୁଥିବା ମୋଟର ଚାଳକ ସଂଘ ପକ୍ଷରୁ ଅଭିଯୋଗ ହୋଇଛି।

ଏଭଳି ଅଭିଯୋଗ ନେଇ ଗୁରୁବାର ମୋଟର ଚାଳକ ସଂଘ ବରଗଡ଼ ଜିଲା ଶାଖାର କର୍ମକର୍ତ୍ତା ଓ ସଦସ୍ୟମାନେ ଏସ୍‌ପି ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହିତ ନ୍ୟାୟ ଓ ସୁରକ୍ଷା ଦାବି କରିଛନ୍ତି। ସଂଘର ଜିଲା ସଭାପତି ନିରୋଜ ପୋଢ ଯାଦବଙ୍କ ନେତୃତ୍ୱରେ ଶତାଧିକ ସଦସ୍ୟ ଏସ୍‌ପି ଅଫିସକୁ ଆସିଥିଲେ। ଓଡ଼ଶା ଡ୍ରାଇଭର ମହାସଂଘ ଏବଂ ଓ ମୋଟର ଚାଳକ ସଂଘ ଏଭଳି ମୁହାଁମୁହିଁ ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଏହାର ସମାଧାନ କରା ନ ଗଲେ ଆଗକୁ ଆଇନ୍‌ ଶୃଙ୍ଖଳା ପରିସ୍ଥିତି ଉପୁଜିବାର ଯଥେଷ୍ଟ ଆଶଙ୍କା ରହିଛି।