ମା’ କୋଳ ହେଲା ଶୂନ୍ୟ: କାନ୍ଥପଡ଼ି ଚାଲିଗଲା ୨ ଝିଅଙ୍କ ଜୀବନ

ବିଶୋଇ,୨୦।୮(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ବିଶୋଇ ଥାନା ଅନ୍ତର୍ଗତ ଲୁହାକାନି ପଞ୍ଚାୟତ ଅଧୀନ ଭୋଳବେଡ଼ା ଗ୍ରାମରେ ଲଗାଣ ବର୍ଷାରେ କାନ୍ଥ ଭୁଶୁଡ଼ି ଯାଇଛି। ଏଥିରେ ୨ ନାବାଳିକାଙ୍କ ମୃତ୍ୟୁ ଘଟିଥିବା ବେଳେ ବାପା ଓ ମା’ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସମ୍ପୃକ୍ତା ନାବାଳିକା ହେଲେ ଅନିଲ ଗିରଙ୍କ ଦୁଇ ଝିଅ ରଶ୍ମିତା(୧୧) ଓ ନୀହାରିକା (୪)।
ସୂଚନାଯୋଗ୍ୟ, ଶୁକ୍ରବାର ରାତିରେ ଅନିଲ ଓ ତାଙ୍କ ସ୍ତ୍ରୀ ରିତା ଏବଂ ୨ ଝିଅ ରଶ୍ମିତା ଓ ନୀହାରିକା ମାଟି କାନ୍ଥ ଆଜବେଷ୍ଟସ ନିର୍ମିତ ଘରେ ଶୋଇଥିଲେ। ଲଗାଣ ବର୍ଷାରେ ଘରର କାନ୍ଥ ହଠାତ ଭୁଶୁଡି ପଡିଥିଲା। ଫଳରେ କାନ୍ଥ ତଳେ ଚାପି ହୋଇ ଘଟଣାସ୍ଥଳରେ ରଶ୍ମିତା ଓ ନୀହାରିକାଙ୍କ ମୃତ୍ୟୁ ଘଟିଥିବା ବେଳେ ଅନିଲ ଓ ରିତା ଆହତ ହୋଇଥିଲେ। ପରେ ଦମ୍ପତି ପଡ଼ୋଶୀଙ୍କ ସହାୟତାରେ ୨ ଝିଅଙ୍କୁ କାନ୍ଥ ଭିତରୁ ଉଦ୍ଧାର କରି ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ। ହେଲେ ଡାକ୍ତର ସେଠାରେ ୨ ଜଣଙ୍କୁ ମୃତ ଘୋଷଣା କରିଥିଲେ। ବିଶୋଇ ପୋଲିସ ଓ ରାଜସ୍ବ ନିରୀକ୍ଷକ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛନ୍ତି।