ଦିଗପହଣ୍ଡି,୭ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ବରମୁଣ୍ଡୁଳି ଗାଁର ୭୦ ବର୍ଷୀୟା ବୃଦ୍ଧା ଇନ୍ଦୁ ବିଷୋୟୀ ୫ ବର୍ଷ ପୂର୍ବେ ଭୁବନେଶ୍ୱରରୁ ନିଖୋଜ ହୋଇଯାଇଥିଲେ। ଦୁଇ ପୁଅଙ୍କ ମୃତ୍ୟୁ ପରେ ସେ ମାନସିକ ସ୍ତରରେ ଅସୁସ୍ଥ ଥିଲେ ଏବଂ ମଝିଆ ପୁଅ ଉପେନ୍ଦ୍ର, ବୋହୂ ଉର୍ମିଳା ଓ ନାତି ବିକ୍ରମଙ୍କ ସହ ନୟାପଲ୍ଲୀରେ ରହୁଥିଲେ।
ପୁଅ ଦାଦନ ଶ୍ରମିକ ଭାବେ ମୁମ୍ବାଇ ଯାଇଥିବା ବେଳେ ଏବଂ ବୋହୂ ଗାଁକୁ ଆସିଥିବା ସମୟରେ, ଇନ୍ଦୁ କିଛି ସାମଗ୍ରୀ ଆଣିବାକୁ ବାହାରକୁ ଯାଇ ରାସ୍ତା ଭୁଲିଯାଇଥିଲେ। ନୟାପଲ୍ଲୀ ପୋଲିସ ତାଙ୍କୁ ଉଦ୍ଧାର କରି ପରିଚୟ ନ ପାଇବାରୁ ଏକ ବୃଦ୍ଧାଶ୍ରମରେ ଛାଡ଼ିଦେଇଥିଲା। ପୁଅ ଉପେନ୍ଦ୍ର ମୁମ୍ବାଇରୁ ଫେରି ବହୁ ଖୋଜାଖୋଜି କରିଥିଲେ ମଧ୍ୟ ସନ୍ଧାନ ପାଇ ନ ଥିଲେ।
୫ ବର୍ଷ ପରେ ୧୭ ବର୍ଷୀୟ ନାତି ବିକ୍ରମ ଏକ ଘରୋଇ ଟିଭି ଚ୍ୟାନେଲର ଲାଇଭ ପ୍ରସାରଣରେ ବୃଦ୍ଧାଶ୍ରମରେ ଥିବା ଜେଜେମା’ଙ୍କୁ ଚିହ୍ନି ପାରିଥିଲେ। ଖବର ପାଇ ପରିବାର ଲୋକେ ବୃଦ୍ଧାଶ୍ରମରୁ ଇନ୍ଦୁଙ୍କୁ ଘରକୁ ଆଣିଥିଲେ। ୫ ବର୍ଷ ପରେ ମା’ଙ୍କୁ ପାଇ ପରିବାର ଓ ଗ୍ରାମବାସୀଙ୍କ ମଧ୍ୟରେ ଅପାର ଆନନ୍ଦ ଖେଳିଯାଇଛି।
ଦାରିଦ୍ର୍ୟ ମଧ୍ୟରେ ଗତି କରୁଥିବା ଏହି ଦିନମଜୁରିଆ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।