ଭଉଣୀ, ଭାଣିଜୀଙ୍କୁ ନେଇ ଯାଉଥିଲେ ମାମୁ: ରାସ୍ତାରେ ଘଟିଲା ଭୟଙ୍କର ଦୁର୍ଘଟଣା

ବାଲେଶ୍ୱର, ୩୦।୬ (ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲାର ୧୬ ନମ୍ବର ଜାତୀୟ ରାଜପଥର ବସ୍ତା ବାଇପାସ୍ ନିକଟରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଡମ୍ପର ସହ ବାଇକର ମୁହାଁମୁହିଁ ଧକ୍କା ହେବାରୁ ଜଣେ ବ୍ୟକ୍ତିଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଆଉ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ପ୍ରଥମେ ସେମାନଙ୍କୁ ବସ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଉଭୟଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁଯାୟୀ, ନୀଳଗିରି ଥାନା ଅନ୍ତର୍ଗତ ମର୍ଦ୍ଦରାଜପୁର ଗ୍ରାମର କମଳଲୋଚନ ସାହୁ ନିଜ ଭଉଣୀ ଓ ଭାଣିଜୀଙ୍କୁ ନେଇ ବସ୍ତା ଥାନା ଅନ୍ତର୍ଗତ ଅମର୍ଦ୍ଦାରୋଡ଼ ଅଞ୍ଚଳରୁ ବାଇକ ଯୋଗେ ଘରକୁ ଫେରୁଥିଲେ। ଏହି ସମୟରେ ୧୬ ନମ୍ବର ଜାତୀୟ ରାଜପଥର ବସ୍ତା ବାଇପାସ୍ ନିକଟରେ ହଠାତ୍ ଏକ ଡମ୍ପର ସାମ୍ନାକୁ ଆସିଯିବାରୁ ବାଇକଟି ଡମ୍ପର ସହ ମୁହାଁମୁହିଁ ଧକ୍କା ହୋଇଥିଲା।

ଧକ୍କା ଏତେ ଜୋରଦାର ଥିଲା ଯେ ବାଇକଟି ଡମ୍ପର ତଳକୁ ପଶିଯାଇଥିଲା। ଫଳରେ କମଳଲୋଚନ ସାହୁ ଡମ୍ପର ଚକା ତଳେ ଚାପି ହୋଇ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ। ତାଙ୍କ ସହ ଥିବା ଭଉଣୀ ଓ ଭାଣିଜୀ ଗୁରୁତର ଆହତ ହୋଇଥିଲେ।

ଖବର ପାଇ ବସ୍ତା ଥାନା ପୋଲିସ ଓ ଜାତୀୟ ରାଜପଥ ପେଟ୍ରୋଲିଂ ଭ୍ୟାନର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଆହତ ଦୁଇଜଣଙ୍କୁ ଉଦ୍ଧାର କରି ବସ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ପରବର୍ତ୍ତୀ ସମୟରେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଦୁର୍ଘଟଣାଗ୍ରସ୍ତ ଡମ୍ପରକୁ ଜବତ କରିଛି। ଡମ୍ପର ଚାଳକଙ୍କୁ ଅଟକ ରଖି ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।

Dharitri – Odisha’s No.1 Odia Daily

Share