ସମ୍ବଲପୁର,୨୧ା୧୧(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଜୁମୁରା ଥାନା ଅଞ୍ଚଳରେ ୧୦ ମାସର ଶିଶୁପୁତ୍ରକୁ କୂଅରେ ପକାଇ ହତ୍ୟା କରାଯିବା ଘଟଣାରେ ପୋଲିସକୁ ବଡ଼ ସଫଳତା ମିଳିଛି। ଏହି ମାମଲାରେ ଶିଶୁପୁତ୍ରର ଜନ୍ମଦାତ୍ରୀ ମା’ ହିଁ ମୁଖ୍ୟ ଅଭିଯୁକ୍ତ ବୋଲି ତଦନ୍ତରୁ ସ୍ପଷ୍ଟ ହୋଇଥିବା ବେଳେ, ବିବାହର ପ୍ରଲୋଭନରେ ଯୁବତୀଙ୍କ ସହ ଅନୈତିକ ଭାବେ ଶାରୀରିକ ସମ୍ପର୍କ ରଖି ପରେ ପ୍ରତାରଣା କରିଥିବା ସଂପୃକ୍ତ ଯୁବକ ଲୋକେଶ୍ୱର ପ୍ରଧାନଙ୍କୁ ମଧ୍ୟ ପୋଲିସ ଗିରଫ କରିଛି। ଏନେଇ ଏଏସ୍ପି ଅଜୟ କୁମାର ମିଶ୍ର ସୂଚନା ଦେଇଛନ୍ତି।
ଏଏସ୍ପିଙ୍କ ସୂଚନି ଅନୁଯାୟୀ, ଗତ ୧୯ ତାରିଖରେ ଯୁଜୁମୁରା ଥାନା ଅନ୍ତର୍ଗତ ହରିଜନପଡ଼ାରେ ଏକ ୧୦ ମାସର ଶିଶୁପୁତ୍ରକୁ କେହି କୂଅରେ ପକାଇ ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଥିଲା। ଏ ସଂକ୍ରାନ୍ତରେ ଶିଶୁପୁତ୍ରର ମା’ ଯୁଜୁମୁରା ଥାନାରେ ଅଭିଯୋଗ କରିବା ପରେ କେସ୍ ନଂ ୨୧୦/୨୦୨୬ ରେ ମାମଲା ରୁଜୁ କରାଯାଇଥିଲା। ଏସ୍ପିଙ୍କ ନିର୍ଦ୍ଦେଶକ୍ରମେ ଏସ୍ଡିପିଓ ରେଢ଼ାଖୋଲଙ୍କ ତତ୍ତ୍ୱାବଧାନରେ ପୋଲିସର ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇ ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ ହୋଇଥିଲା।
ତଦନ୍ତ ବେଳେ ଜଣାପଡ଼ିଥିଲା ଯେ, ୨୦୨୪-୨୫ ମସିହାରେ ଅଭିଯୁକ୍ତା ଜଣକ ନାବାଳିକା ଥିବା ବେଳେ ଲୋକେଶ୍ୱର ପ୍ରଧାନ ନାମକ ଯୁବକଙ୍କ ସହିତ ତାଙ୍କର ପରିଚୟ ଓ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ବିବାହର ପ୍ରତିଶ୍ରୁତି ଦେଇ ଯୁବକଜଣକ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ, ଫଳରେ ସେ ଗର୍ଭବତୀ ହୋଇଥିଲେ। ପରବର୍ତ୍ତୀ ସମୟରେ ଯୁବକଜଣକ ବିବାହ କରିବାକୁ ମନା କରିଦେଇଥିଲେ ଏବଂ ଜାନୁଆରୀ ୨୦୨୬ରେ ଯୁବତୀଜଣକ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ।
ପୋଲିସର କହିବା ଅନୁଯାୟୀ, ପିଲାଟିକୁ ଗ୍ରହଣ କରିବା ପାଇଁ ଯୁବକ ମନା କରିବା ସହ ଆର୍ଥିକ ସହାୟତା ଦେବାକୁ ମଧ୍ୟ ଅମଙ୍ଗ ହୋଇଥିଲେ। ସାମାଜିକ ଦୁର୍ନାମ, ନିନ୍ଦା, କୁମାରୀ ମାତୃତ୍ୱ, ମାନସିକ ଭାରସାମ୍ୟ ହରାଇବା, ସାମାଜିକ କଳଙ୍କ ଏବଂ ମାନସିକ ଆଘାତ ଯୋଗୁ ଅଭିଯୁକ୍ତା ଜଣକ ଚରମ ନିଷ୍ପତ୍ତି ନେଇଥିଲେ। ଗତ ୧୮ ତାରିଖ ବିଳମ୍ବିତ ରାତିରେ ସେ ନିଜ ୧୦ ମାସର ଶିଶୁପୁତ୍ରକୁ ଘର ପାଖରେ ଥିବା ପ୍ରାୟ ୧୦୦ ମିଟର ଦୂର ଏକ କୂଅରେ ପକାଇ ଦେଇଥିଲେ।
ଖବର ପାଇ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଶିଶୁପୁତ୍ରକୁ ଉଦ୍ଧାର କରି ମେଡିକାଲ ପଠାଇଥିଲେ, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତଦନ୍ତରେ ମା’ ହିଁ ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ବୋଲି ଜଣାପଡ଼ିବା ପରେ ପୋଲିସ ତାଙ୍କୁ ଗିରଫ କରିଛି।
ଅନ୍ୟପକ୍ଷରେ, ଅଭିଯୁକ୍ତା ଜଣକ ପୂର୍ବରୁ ନାବାଳିକା ଥିବା ବେଳେ ତାଙ୍କ ସହ ଶାରୀରିକ ସମ୍ପର୍କ ରଖାଯାଇଥିବା ଏବଂ ପୁତ୍ର ସନ୍ତାନ ଜନ୍ମ ହୋଇଥିବା ଘଟଣାରେ ଯୁଜୁମୁରା ଥାନାରେ କେସ୍ ନଂ ୨୧୧/୨୦୨୬ରେ ଆଉ ଏକ ମାମଲା ରୁଜୁ କରାଯାଇଛି। ଏହି ମାମଲାରେ ପୋକ୍ସୋ ଆକ୍ଟ ଲଗାଯାଇ ଯୁବକ ଲୋକେଶ୍ୱର ପ୍ରଧାନଙ୍କୁ ଗିରଫ କରାଯିବା ସହ କୋର୍ଟ ଚାଲାଣ କରାଯାଇଛି। ଉଭୟ ମାମଲାର ତଦନ୍ତ ଜାରି ରହିଥିବା ଏଏସ୍ପି ଅଜୟ କୁମାର ମିଶ୍ର ପ୍ରକାଶ କରିଛନ୍ତି।