Posted inଫୁରସତ

ସେବା ଓ ସର୍ଜନର ଜନନୀ : ସରୋଜିନୀ

ଲୋକେ ତାଙ୍କୁ ଏହି ସମୟର କୁନ୍ତଳା କୁମାରୀ କୁହନ୍ତି। ପରିବାରରୁ ଆରମ୍ଭ କରି ସମାଜର ବିଭିନ୍ନ ଦାୟିତ୍ୱକୁ ସୁଚାରୁ ରୂପେ ସମ୍ପାଦନ କରି ଆମ ସମସ୍ତଙ୍କ ପାଇଁ ଉଦାହରଣ ସାଜନ୍ତି ସେ। ତାଙ୍କ ଚିକିତ୍ସାଳୟର ଅଗଣାରେ ଅସଂଖ୍ୟ ଫୁଲ-କଅଁଳ ଶିଶୁର। ସେ କବିତା ଲେଖନ୍ତି ଅଜସ୍ର- ପ୍ରତ୍ୟୟ ଓ ରହସ୍ୟ ଭିତରେ ସନ୍ତୁଳନ ରଖି, ଆବେଗ ଓ ଅଧ୍ୟାତ୍ମରେ ଶବ୍ଦକୁ ତନ୍ମୟ କରିପାରନ୍ତି , ଜୀବନର ଅସହାୟତା କଥା କହୁ କହୁ ମଣିଷ ପ୍ରତି ଆସ୍ଥା ଓ ଉପଲବ୍ଧିର କୋମଳତାକୁ ଦର୍ଶେଇ ପାରନ୍ତି, ତାଙ୍କ କାର୍ଯ୍ୟଧାରାରେ ସେ ଦେଖେଇଛନ୍ତି କଳା ଓ ବିଜ୍ଞାନର ସମନ୍ବୟ, ଗଣମାଧ୍ୟମରେ ସକ୍ରିୟ ଥାଆନ୍ତି, ଜଗନ୍ନାଥୀୟ ଚେତନାରେ ଆପ୍ଳୁତ ହୋଇ ୧୫/୧୬ ବର୍ଷ ହେବ ରଥଯାତ୍ରା ଧାରା ବିବରଣୀ ପାଇଁ ଲୋକପ୍ରିୟ ଲଳିତ ଭାଷ୍ୟକାର ସାଜିପାରନ୍ତି… ସେ ଆଉ କେହି ନୁହଁନ୍ତି ବହୁବିଧ ପ୍ରତିଭାର ମୂର୍ତ୍ତିମନ୍ତ ଅଧିକାରିଣୀ- କବି ଡାକ୍ତର ସରୋଜିନୀ ଷଡଙ୍ଗୀ। ପଶ୍ଚିମ ଓଡିଶାର ସାହିତି୍ୟକ, ଶିକ୍ଷାବିତ, ସଂସ୍କାରକ ବୈରାଗୀ ମିଶ୍ରଙ୍କ ନାତୁଣୀ ସରୋଜିନୀ ପିତା ଜୀବାନନ୍ଦ ଆଚାର୍ଯ୍ୟ ଓ ମାତା ପଦ୍ମାବତୀ ଆଚାର୍ଯ୍ୟଙ୍କ କୋଳମଣ୍ଡନ କରିଥିଲେ ସୁନ୍ଦରଗଡ଼ ମାତୁଳାଳୟରେ ମାର୍ଚ୍ଚ ୩ରେ। ଉଭୟ ପିତା ଓ ମାତା ସାହିତ୍ୟରେ ରୁଚି ରଖିଥିଲେ ତେଣୁ ବାଲ୍ୟକାଳୁ ସାହିତ୍ୟର ପାଣିପବନରେ ସେ ବଢିଥିଲେ ଓ ଗଢି ହୋଇଥିଲେ। ସରୋଜିନୀ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜରୁ ଏମ୍‌ବିବିଏସ୍‌ ସାରି ଚଣ୍ଡୀଗଡ଼ରେ ଏମ.ଡି କରି ସ୍ତ୍ରୀରୋଗ ଓ ପ୍ରସବତତ୍ତ୍ୱରେ ସ୍ନାତ୍ତକୋତର ଉପାଧି ଲାଭ କରିଥିଲେ। ଅଲ୍ଟ୍ରାସାଉଣ୍ଡ, କଲପୋସ୍କୋପିରେ ଡୁନେଡିନ୍‌ ହସ୍ପିଟାଲ, ନିଉଜିଲାଣ୍ଡରୁ ସ୍ବତନ୍ତ୍ର ତାଲିମ ପ୍ରାପ୍ତ ସରୋଜିନୀ ସ୍ନାତକୋତ୍ତର ପରେ ଏସ୍‌ସିବି ମେଡ଼ିକାଲ କଲେଜରେ ଦୀର୍ଘ ପଚିଶ ବର୍ଷ ଧରି ଅଧ୍ୟାପନା କରି ତାଙ୍କ କାର୍ଯ୍ୟଦକ୍ଷତା ପ୍ରତିପାଦନ କରିଥିଲେ। ସେବା ଓ ସର୍ଜନ କ୍ଷେତ୍ରରେ ତାଙ୍କ ସହ ଦମ୍ଭ ହୋଇ, ପ୍ରେରଣା ହୋଇ, ଶକ୍ତି ଏବଂ ସମ୍ବେଦନା ହୋଇ ଠିଆ ହୋଇଛନ୍ତି ବିଶିଷ୍ଟ ହୃଦ୍‌ଶଲ୍ୟ ବିଶେଷଜ୍ଞ ଡାକ୍ତର ରମାରମଣ ଷଡ଼ଙ୍ଗୀ। ସେବା ହେଉ କି ସାହିତ୍ୟ ସରୋଜିନୀଙ୍କ ସ୍ବପ୍ନକୁ ସାକାର କରି ସଫଳତାର ଆକାଶ ଆଡ଼କୁ ବାଟ କଢେଇ ନେଇ ଚାଲିଛନ୍ତି ସେ। ସୂର୍ଯ୍ୟସ୍ନାନ, ଆଖି କଥାକହେ, ଶ୍ବେତମ୍ବରା, ଆତ୍ମଜା, ଅସବର୍ଣ୍ଣା, ମନସ୍ବିନୀ, ତନ୍ମୟ ତଥାସ୍ତୁ, ମାଆ ନୁହେଁ ପତିତା, ଶବ୍ଦର ବର୍ଷା, ନିରାପଦ ମାତୃତ୍ୱ, ସୁରକ୍ଷିତ ମାତୃତ୍ୱ, ଆମେ ଗଢିବାରେ ନୂଆ ସଂସାର, ତୁମ ଆଖି ମୋ କାନ, ବର୍ଣ୍ଣମାଳାର ସୋପାନରେ କିଶୋରୀ କନ୍ୟା, ଗର୍ଭବତୀ ନାନୀର ଯତ୍ନ
ଆଧୁନିକ ଓଡ଼ିଆ କବିତାର ଉତ୍ତରଣ ପର୍ବରେ କବି ସରୋଜିନୀଙ୍କ କବିତା ଏକ ପରିଚ୍ଛନ୍ନ ପରିଚିତି କହିଲେ ଅତ୍ୟୁକ୍ତି ହେବ ନାହିଁ। କରୁଣା ଓ କୋମଳତାକୁ ନେଇ ଆତ୍ମପ୍ରକାଶ କରୁଥିବା ତାଙ୍କର କବିତା ପାଇଁ ସେ ବିଷୁବ ମିଳନ ପୁରସ୍କାର, ଉତ୍କଳ ସାହିତ୍ୟ ସମାଜ, ଗଙ୍ଗାଧର ରଥ ଫାଉଣ୍ଡେସନ ତରଫରୁ କବିତା ପାଇଁ କବି ଭାନୁଜୀ ରାଓ ସମ୍ମାନ, ଓଡିଶା ସାହିତ୍ୟ ଏକାଡେମୀ ତରଫରୁ ବରିଷ୍ଠ ସାହିତ୍ୟ ସମ୍ମାନ, ଓଡ଼ିଶା ଲେଖିକା ସଂସଦ, ସୁଚରିତା, ଯୁଗଶ୍ରୀ ଯୁଗନାରୀ ଭଳି ଅନେକ ଅନୁଷ୍ଠାନ ତରଫରୁ ସମ୍ମାନିତ ଓ ସମ୍ବର୍ଦ୍ଧିତ ହୋଇଛନ୍ତି। ତାଙ୍କର ଦୁଇଟି କବିତା ଏନ୍‌ବିଟି ଦ୍ୱାରା ମନୋନୀତ ହୋଇ ଚଉଦଟି ଭାରତୀୟ ଭାଷାରେ ଅନୁବାଦିତ ହୋଇଛି। ତାଙ୍କ କବିତା ଭାରତୀୟ ଜ୍ଞାନପୀଠ କବିତା ସଙ୍କଳନରେ ସ୍ଥାନିତ ହୋଇଛି l
କେବଳ ସେତିକି ନୁହେଁ ସ୍ବାସ୍ଥ୍ୟ ଓ ସମାଜସେବା ପାଇଁ କାଦମ୍ବିନୀ, ମନୋରମାସ୍‌, ଓଡିଶା ପ୍ରଦେଶ ମହିଳା କଂଗ୍ରେସ, ଏଭରଗ୍ରୀନ ଫୋରମ, କଟକ ସୁରକ୍ଷା କମିଟି , ଗଣକବି ବୈଷ୍ଣବ ପାଣି ସାଂସ୍କୃତିକ ପରିଷଦ, ବିଜ୍ଞାନ ପ୍ରଚାର ସମିତି ଭଳି ପ୍ରସିଦ୍ଧ ସଂସ୍ଥା ତରଫରୁ ଡାକ୍ତର ଷଡ଼ଙ୍ଗୀଙ୍କୁ ବିପୁଳ ଆଦର ଓ ସମ୍ମାନ ମିଳିଛି। ମଦର ଟେରେସା ସମ୍ମାନ, ଡଃ ନଗେନ୍ଦ୍ରନାଥ ନାୟକ ସ୍ମୃତି ସମ୍ମାନ ଆଦି ବିଶିଷ୍ଟ ସମ୍ମାନପ୍ରାପ୍ତ ଡାକ୍ତର ଷଡ଼ଙ୍ଗୀଙ୍କ ସ୍ବାସ୍ଥ୍ୟଭିତ୍ତିକ ପ୍ରବନ୍ଧ ଓ ଆଲୋଚନାମାନ ପତ୍ରପତ୍ରିକା, ରେଡ଼ିଓ ଓ ଦୂରଦର୍ଶନରେ ପ୍ରଚାରିତ ଓ ପ୍ରସାରିତ ହୋଇ ଜନସଚେତନତାରେ ସହାୟକ ହେଉଛି।
ତାଙ୍କ କବିତା ‘ମା ନୁହେଁ ପତିତା’ ଆଧାରରେ ନିର୍ମିତ ବୃତ୍ତଚିତ୍ର ଦଶମ ଦାଦା ସାହେବ ଫାଲକେ ଚଳଚିତ୍ର ମହୋତ୍ସବରେ ୫୯୦ଟି ଅଂଶଗ୍ରହଣକାରୀ ଚଳଚ୍ଚିତ୍ରମାନଙ୍କୁ ପଛରେ ପକେଇ ଶ୍ରେଷ୍ଠ ବିବେଚିତ ହୋଇଥିଲା। ପୂର୍ବରୁ ଚଳଚ୍ଚିତ୍ରଟି ଆନ୍ତର୍ଜାତୀୟ ଚଳଚିତ୍ର ଉତ୍ସବ ମୁମ୍ବାଇ ଓ ହାଇଦ୍ରାବାଦ ଚଳଚିତ୍ର ଉତ୍ସବରେ ପୁରସ୍କୃତ ହେବା ସହ କ୍ଷୁଦ୍ର ସାମାଜିକ ଚଳଚ୍ଚିତ୍ର ଭାବରେ ସ୍ବୀକୃତି ଲାଭ କରିସାରିଥିଲା। ୪୪ତମ ଚଳଚ୍ଚିତ୍ର ଜଗତ ପ୍ରତିଭା ସମ୍ମାନ ହାସଲ କରିଥିବା ଡାକ୍ତର ସରୋଜିନୀ ସର୍ବଭାରତୀୟ ସ୍ତରରେ କନ୍ୟାଭ୍ରୁଣ ହତ୍ୟାକୁ ନେଇ ଚାଲିଥିବା ଆନ୍ଦୋଳନରେ ଜଣେ ଆଗଧାଡ଼ିର ପୁରୋଧା। ତାଙ୍କ କବିତା ‘ଆତ୍ମଜା’ ଯାହା ଏକ ବୃହତ୍ତର ଚେତନାର ସ୍ବରକୁ ବହନ କରେ ବୋଲି ପାଠକେ ବିଶ୍ୱାସ କରନ୍ତି, ତାକୁ ନେଇ ନିର୍ମିତ ବୃତ୍ତଚିତ୍ର ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ସମ୍ମାନ ଓ ସ୍ବୀକୃତି ହାସଲ କରିଥିଲା। ଭାରତ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ପ୍ରାମାଣିକ ଚିତ୍ର ୨୩ଟି ଆଞ୍ଚଳିକ ଭାଷାରେ ପ୍ରଦର୍ଶିତ ହୋଇ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ଓ ଆଇନ ପ୍ରାଧୀକାରଣ ବିଭାଗ ତରଫରୁ ଓଡ଼ିଶାର ସବୁ ଜିଲାରେ କେବଳ ପ୍ରଦର୍ଶିତ ଓ ପ୍ରସାରିତ ନୁହେଁ ଅଧିକନ୍ତୁ କନ୍ୟାଭ୍ରୁଣ ହତ୍ୟା ବିରୁଦ୍ଧରେ ସ୍ବର ଉତ୍ତୋଳନ କରେ।
ଉଭୟ ଶକ୍ତି ଓ ସମ୍ବେଦନାକୁ ଏକକାଳୀନ ଧାରଣ କରି ନିଜର ଚାରିପାଖର ଜୀବନକୁ ମଧୁମୟ କରୁଥିବା ଏହି ବ୍ୟକ୍ତିତ୍ୱଙ୍କ ସ୍ବପ୍ନ ଓ ସମ୍ଭାବନା ବେଶ୍‌ ସୁଦୂରପ୍ରସାରୀ।
-ମାନମୟୀ ରଥ
ଅଧ୍ୟକ୍ଷା, ସେଣ୍ଟ ଜାଭିୟର କିଡ୍ସ
ବାଲିପୁଟ, ପୁରୀ
ମୋ: ୭୯୭୮୫୭୯୩୯୯


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଜାତୀୟ ଗଣିତ ଦିବସ: ଅଧିକ ଗବେଷଣା ପ୍ରତି ଆଗ୍ରହ ଆବଶ୍ୟକ

ଗଣିତର ବିକାଶ ବିନା କୌଣସି ସଭ୍ୟତାର ବିକାଶ ସମ୍ଭବ ନୁହେଁ। ଆଜକୁ ୪୦୦୦ ବର୍ଷ ପୂର୍ବେ ଭାରତର ଉତ୍ତର-ପଶ୍ଚିମାଞ୍ଚଳରେ ଗଢ଼ିଉଠିଥିବା ସିନ୍ଧୁ ସଭ୍ୟତାର ଭଗ୍ନାବଶେଷରୁ ସେମାନଙ୍କର...

ଭାରତରେ କାହା ପାଖରେ ଅଛି ପରମାଣୁ ବୋମାର ରିମୋଟ କଣ୍ଟ୍ରୋଲ, ଆକ୍ରମଣ ପାଇଁ କିଏ ନିର୍ଦ୍ଦେଶ ଦେଇପାରିବ ଜାଣନ୍ତୁ

ନୂଆଦିଲ୍ଲୀ,୨୨।୧୨: ସାଧାରଣ ଜନତା ପ୍ରାୟତଃ ପରମାଣୁ ଅସ୍ତ୍ର ବିଷୟରେ ଅନେକ ପ୍ରଶ୍ନ କରନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହେଉଛି ଭାରତରେ ଏହି ଅସ୍ତ୍ରଗୁଡ଼ିକ ଉପରେ ପ୍ରକୃତ...

ଏହି ମୁସଲମାନ ଦେଶରୁ ମିଳିଲା ୪୫୦୦ ବର୍ଷର ପୁରୁଣା ସୂର୍ଯ୍ୟମନ୍ଦିର

କାଇରୋ,୨୧ା୧୨: ମିଶରର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ମିଶରର ରାଜଧାନୀ କାଇରୋରେ ଏକ ଆବିଷ୍କାର କରିଛି, ଯାହା ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛି। ଏଠାରେ ପ୍ରାୟ ୪,୫୦୦ ବର୍ଷ...

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ, ବୁଲିବା ପାଇଁ ବେଷ୍ଟ ଯାଗା

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ...

Top 5 Beaches of Odisha: ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ସମୁଦ୍ର କୂଳ, ପିକନିକ୍‌ ପ୍ଲାନିଂ କରୁଥିଲେ ଜାଣି ନିଅନ୍ତୁ

ପୁରୀ ଓଡ଼ିଶାର ପୂର୍ବ ଉପକୂଳରେ ଅବସ୍ଥିତ ପୁରୀ ବେଳାଭୂମି। ଜଗନ୍ନାଥ ଧାମ ନିକଟରେ ଥିବା ଏହି ବେଳାଭୂମିର ସୌନ୍ଦର୍ଯ୍ୟ ଅବଲୋକନ କରିବାକୁ ଦୈନିକ ଲକ୍ଷଲକ୍ଷ ପର୍ଯ୍ୟଟକଙ୍କ...

ଜାଣିଛନ୍ତି କି ପେଟ୍ରୋଲ-ଡିଜେଲ ବି ହୁଏ ଏକ୍ସପାରୀ, ଏତିକି ଦିନ ଯାଏ ରଖିପାରିବେ…

ଅଧିକାଂଶ ଲୋକ ବିଶ୍ୱାସ କରନ୍ତି ଯେ ଥରେ ଟ୍ୟାଙ୍କରେ ଭର୍ତ୍ତି କରି କିମ୍ୱା କ୍ୟାନରେ ସଂରକ୍ଷଣ କରିଦେଲେ, ଇନ୍ଧନ ସବୁଦିନ ପାଇଁ ରହିଥାଏ। କିନ୍ତୁ ଏହା...

ଶାଢି ନଥିବାବେଳେ କ’ଣ ପିନ୍ଧୁଥିଲେ ମହିଳା? ୯୯% ଜାଣି ନ ଥିବେ ସତ

ପ୍ରତିବର୍ଷ ଡିସେମ୍ୱର 21 ତାରିଖରେ ବିଶ୍ୱ ଶାଢ଼ି ଦିବସ ପାଳନ କରାଯାଏ। ଶାଢ଼ି ହେଉଛି ଏକ ପାରମ୍ପରିକ ଭାରତୀୟ ମହିଳା ପୋଷାକ, ଯାହା ଶରୀରରେ ପୋଷାକ...

ଏମିତି ଦେଶ, ଯେଉଁଠି ଦେଖିବାକୁ ମିଳନ୍ତି ନାହିଁ ପିମ୍ପୁଡ଼ି, କାରଣ ଜାଣିଲେ…

ପିମ୍ପୁଡ଼ି ସବୁଠି ଦେଖାଯାନ୍ତି। ପୃଥିବୀରେ ଏପରି କୌଣସି ସ୍ଥାନ ନାହିଁ, ଯେଉଁଠାରେ ପିମ୍ପୁଡ଼ି ନାହାନ୍ତି। ସାରା ବିଶ୍ୱରେ ବିଭିନ୍ନ ପ୍ରକାରର ପିମ୍ପୁଡ଼ି ଦେଖିବାକୁ ମିଳିଥାନ୍ତି। ସେମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri