ଖଇରା,୩ା୧୦(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ଖଇରା ଥାନା ଅଧୀନ ମଠ ନୂଆଗାଁ ଗ୍ରାମରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଯାଇଛି। ବାଡ଼ିରୁ ଏକ ମନ୍ଦାର ଗଛ ଡାଳ ହାଣିଦେବାକୁ କେନ୍ଦ୍ର କରି ଶାଶୁ ଓ ବୋହୂଙ୍କ ମଧ୍ୟରେ କଳହ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଶାଶୁ ଗରମ ତେଲ ଫୋପାଡ଼ିବାରୁ ବୋହୂ ଗୁରୁତର ହୋଇଛନ୍ତି।
ସୂଚନା ଅନୁଯାୟୀ, ଗ୍ରାମର ହରିଶ୍ଚନ୍ଦ୍ର ଶିଅଳ ବାହାରକୁ କାମ କରିବାକୁ ଯାଇଥିବା ବେଳେ ତାଙ୍କ ସ୍ତ୍ରୀ ସୁଇଟିଙ୍କ ଉପରେ ଶାଶୁ ସାବିତ୍ରୀ ଗରମ ତେଲ ଫୋପାଡ଼ି ଦେଇଥିଲେ। ଗରମ ତେଲ ବାଜି ସୁଇଟିଙ୍କ ଶରୀରର ଅନେକ ଅଂଶ ପୋଡ଼ିଯାଇ ଗୁରୁତର ହୋଇପଡ଼ିଛନ୍ତି। ଚିକିତ୍ସା ପାଇଁ ତାଙ୍କୁ ପ୍ରଥମେ ଖଇରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଖଇରା ଥାନା ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।