ପୁଅ ଚିତା ନ ଲିଭୁଣୁ ଆଖି ବୁଜିଲେ ମା’

ପାତ୍ରପୁର,୨୦ା୧୦(ଡି.ଏନ.ଏ.): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ବାଦପୁର ଗ୍ରାମରେ ବୁଧବାର ଏକ ହୃଦୟ ବିଦାରକ ଘଟଣା ଘଟିଛି। ପୁଅର ଚିତା ଜଳୁଥିବା ବେଳେ ମା’ଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ମା’ ପଦ୍ମାବତୀ ପ୍ରଧାନ ଓ ତାଙ୍କର ପୁଅ ପୂର୍ଣ୍ଣଚନ୍ଦ୍ର। ୧୦ ଦିନ ହେଲା ପୂର୍ଣ୍ଣଚନ୍ଦ୍ର ଜଣ୍ଡିସରେ ଆକ୍ରାନ୍ତ ହୋଇ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଗାଁକୁ ମୃତଦେହ ଅଣାଯାଇ ଅନ୍ତିମ ସଂସ୍କାର ଚାଲିଥିବା ବେଳେ ଘରେ ମା’ ପଦ୍ମାବତୀଙ୍କ ମୃତ୍ୟୁ ଘଟିଥିଲା। ଗୋଟିଏ ଶ୍ମଶାନରେ ମା’ ପୁଅଙ୍କ ମୃତଦେହ ସତ୍କାର କରାଯାଇଥିଲା। ବର୍ଷକ ପୂର୍ବେ ପୂର୍ଣ୍ଣଙ୍କ ବାପା ଗୋବିନ୍ଦ ଓ କିଛି ବର୍ଷ ଆଗରୁ ବଡଭାଇ ଆପନାଙ୍କ ଅକାଳ ବିୟୋଗ ହୋଇଥିଲା। ଘରେ ବର୍ତ୍ତମାନ ପୂର୍ଣ୍ଣଙ୍କ ଗର୍ଭବତୀ ସ୍ତ୍ରୀ ଅଛନ୍ତି। ଏହି ଅସହାୟ ପରିବାରକୁ ସରକାରୀ ସହାୟତା ଯୋଗାଇବା ପାଇଁ ଦାବି ହୋଇଛି।