ଠାକୁରମୁଣ୍ଡା,୨୭।୬(ତାରାକାନ୍ତ ପଟ୍ଟନାୟକ): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ ମହୁଲଡିହା ଥାନା ଅଧୀନ ତରାମରା ପଞ୍ଚାୟତ ମୁକ୍ତାଝରୀ ଗ୍ରାମରେ ଶନିବାର ଏକ ହୃଦୟବିଦାରକ ଘଟଣା ଘଟିଛି। ମା’, ଝିଅଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି। ସେମାନେ ହେଲେ ଗ୍ରାମର ଚୈତନ୍ୟ ଟୁଡୁଙ୍କ ସ୍ତ୍ରୀ ସୀତାମଣି ଟୁଡୁ(୩୬) ଓ ତାଙ୍କ ୮ ବର୍ଷୀୟା ଝିଅ ଜବାମଣି ଟୁଡୁ। ଘର ଭିତରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ମିଳିଛି। ପ୍ରାଥମିକ ତଦନ୍ତରୁ ଝିଅଙ୍କ ଗଳା କଟାଯାଇଥିବା ବେଳେ ମା’ଙ୍କୁ ଛୁରି ଭୁସି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।
ମିଳିଥିବା ସୂଚନା ମୁତାବକ, ପୂର୍ବାହ୍ନ ପ୍ରାୟ ୧୦ଟା ବେଳେ ଚୈତନ୍ୟ ପାଖ ଗ୍ରାମକୁ କୋଦାଳ ପଜେଇବା ପାଇଁ ଘରୁ ବାହାରି ଯାଇଥିଲେ। ଘରେ ସ୍ତ୍ରୀ ଓ ଝିଅ ଥିଲେ। ସେ କାମ ସାରି ଅପରାହ୍ନ ୨ଟା ବେଳେ ଫେରିବା ପରେ ଘର ଭିତରେ ସୀତାମଣି ଓ ଜବାମଣିଙ୍କ ରକ୍ତାକ୍ତ ମୃତଦେହ ପଡ଼ିଥିବା ଦେଖି ଆଶ୍ଚର୍ଯ୍ୟ ହୋଇପଡ଼ିଥିଲେ। ସେ ଏହି ସମ୍ପର୍କରେ ଗ୍ରାମବାସୀଙ୍କୁ ଜଣାଇଥିଲେ। ଖବର ପାଇ ମହୁଲଡିହା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।
ରବିବାର ବାରିପଦାରୁ ସାଇଣ୍ଟିଫିକ ଟିମ୍ ଆସି ପହଞ୍ଚିବା ପରେ ଅଧିକ ତଦନ୍ତ କରାଯିବ। ଗୋଟିଏପଟେ ସୀତାମଣି ପ୍ରଥମେ ଝିଅକୁ ହତ୍ୟା କରି ନିଜେ ଜୀବନ ହାରିଥାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଥିବା ବେଳେ ଅନ୍ୟପକ୍ଷେ ଚୈତନ୍ୟଙ୍କ ଭୂମିକାକୁ ନେଇ ମଧ୍ୟ ସ୍ଥାନୀୟ ଲୋକେ ପ୍ରଶ୍ନ ଉଠାଇଛନ୍ତି।