ମହାକାଳୀ ବେଶରେ ଦର୍ଶନ ଦେଲେ ମା’ ଭଦ୍ରକାଳୀ

ଭଦ୍ରକ ଅଫିସ,୧୫।୧୧- ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ଭଦ୍ରକାଳୀଙ୍କ ସପ୍ତମାତୃକା ବେଶର ଦ୍ୱିତୀୟ ଦିନରେ ରବିବାର ମହାକାଳୀ ବେଶରେ ମା’ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି। ଆଦ୍ୟାଶକ୍ତି ମା ଭଦ୍ରକାଳୀ ରବିବାର ମହାକାଳୀ ବେଶରେ ନାଲି ପାଟ ବସ୍ତ୍ର ପରିଧାନ କରିବା ସହ ମୁଖ ମଣ୍ଡଳ ଶ୍ୟାମଳ ବର୍ଣ୍ଣ ଥିଲା। ମୁକ୍ତକେଶ, ରକ୍ତ ଜିହ୍ବା, ମୁଣ୍ଡମାଳ ଏବଂ ହାତରେ ଖଡ୍ଟ ଓ ତ୍ରିଶୂଳ ଧାରଣ କରି ମା’ ଉଗ୍ରରୂପ ଧାରଣ କରିଛନ୍ତି। ତେବେ ମା’ ଭଦ୍ରକାଳୀ ପରମ ବୈଷ୍ଣବୀ ଓ ଜଗତ କଲ୍ୟାଣକାରୀ ଅଟନ୍ତି। ମା ନିଜ କୋଳରେ ବାଳ ଗୋପାଳଙ୍କ ବିଗ୍ରହକୁ ଧାରଣକରି ସ୍ନେହମୟୀ ଓ ମଙ୍ଗଳମୟୀର ପରିଚୟ ଦେଇଛନ୍ତି।

କାଳିପୂଜା ସମୟରେ ମା’ ମହାକାଳୀ ବେଶରେ ସଂସାରରୁ ପାପର ବିନାଶ କରିବା ପାଇଁ ମନୁଷ୍ୟର ଗର୍ବ, ଅହଂକାର ଓ ଆସୁରିକ ପ୍ରବୃତ୍ତିକୁ ବିନାଶକରି ସତ୍ୟ-ଧର୍ମର ବାର୍ତ୍ତା ଦେଇଛନ୍ତି। ମା’ ଭଦ୍ରକାଳୀ ପୀଠ ପୁରାଣ ପ୍ରସିଦ୍ଧ ଶକ୍ତିପୀଠ ଭାବେ ଭାରତ ବର୍ଷରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି। ପୀଠରେ ପ୍ରଶାସନିକ କଟକଣା କାରଣରୁ ୧୪୪ ଧାରା ଲାଗୁ କରାଯାଇଛି। ବିନା ଭକ୍ତରେ ମା’ଙ୍କ ବେଶ ଅନୁଷ୍ଠିତ ହୋଉଥିବା ଜଣାପଡିଛି।