ମମି ଓ ମୋବାଇଲ

ଉପେନ୍ଦ୍ର ବିଶ୍ୱାଳ

 

ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ଜଣଙ୍କ ଶ୍ରେଣୀ ଗୃହରେ ସେଦିନ ପ୍ରବେଶକରି ପିଲାଙ୍କ ସହିତ ଆରମ୍ଭ କରିଦେଲେ କେତେକେତେ ମିଠାମିଠା ମଜାଳିଆ କଥା। ହାତରେ ଧରିଥିବା ଛୋଟ ଏକ ଫଳଟିକୁ ଦେଖାଇ ପଚାରିଲେ – ପିଲେ, କହିଲ ଦେଖି ଏହା କେଉଁଗଛର ଫଳ? ପିଲାଙ୍କ ଖିଆଲ ନ ପଡିବାରୁ ଶିକ୍ଷୟିତ୍ରୀ ବାଧ୍ୟ ହୋଇ କହିଲେ- ଏହା ହେଉଛି ବରଗଛର ଫଳ। ଏହାର ମଞ୍ଜିକୁ ଦେଖ, କେତେ ଛୋଟ ଛୋଟ। ବରଗଛଟି କିନ୍ତୁ ଖୁବ୍‌ ବିଶାଳକାୟ। ଅର୍ଥାତ୍‌ ଅତି କ୍ଷୁଦ୍ରମଞ୍ଜି ଭିତରେ ଛପିରହିଛି ଏକ ବିରାଟ ସମ୍ଭାବନା। ସେହିଭଳି ତୁମମାନଙ୍କ ପରି ଛୋଟପିଲାଙ୍କ ଭିତରେ ଲୁଚିରହିଛି ବଡ଼ମଣିଷ ହେବାର ଉଜ୍ଜ୍ୱଳ ସମ୍ଭାବନା। ଅତି ଗରିବଘରେ ଜନ୍ମ ନେଇଥିବା ଅବ୍‌ଦୁଲ କଲାମ, ଯିଏକି ଦିନେ ଖବରକାଗଜ ବିକି ପାଠ ପଢୁଥିଲେ, ସିଏ ପୁଣି ବିଶ୍ୱବିଖ୍ୟାତ ବୈଜ୍ଞାନିକ ହୋଇପାରିଲେ କେମିତି? ଏଣୁ ତୁମେସବୁ ଏବେଠୁ ବଡ଼ମଣିଷ ହେବାକୁ ଲକ୍ଷ୍ୟ ରଖ। ଏବେ ତୁମେମାନେ କୁହ, ଜୀବନରେ କ’ଣ ହେବାକୁ ଚାହୁଁଛ? ଜୀବନରେ ତୁମେ ସବୁ କ’ଣ ହେବାକୁ ଇଚ୍ଛା କରୁଛ? ସେଇଠୁ କିଏ ଡାକ୍ତର ହେବାକୁ ତ ଆଉ କିଏ ଇଞ୍ଜିନିୟର ଅବା ଆଉ କିଏ କଲେକ୍ଟର ଅବା ବୈଜ୍ଞାନିକ ହେବାକୁ ଇଚ୍ଛା ଅଛି ବୋଲି କହିଲେ। ତଳକୁ ମୁହଁପୋତି ବସିଥିବା ଝିଅଟିକୁ ଶିକ୍ଷୟିତ୍ରୀ ପଚାରିଲେ, ତୁମର କ’ଣ କିଛି ସ୍ବପ୍ନ ବା ଇଚ୍ଛା ନାହିଁ? ଝିଅଟି ଛିଡ଼ା ହୋଇ ଅତ୍ୟନ୍ତ ଧୀର ଗଳାରେ କହିଲା – ମୋର ଇଚ୍ଛା ହେଉଛି, ମୁଁ ଗୋଟେ ଦାମିକା ମୋବାଇଲଟିଏ ହୁଅନ୍ତି କି? ଏକସଙ୍ଗରେ ସବୁପିଲା ହସିଉଠିଲେ। ଏହି ସମୟରେ ସ୍କୁଲଛୁଟି ଘଣ୍ଟି ବାଜିବାରୁ ସବୁପିଲା ଘରମୁହାଁ ହେଲେ। ଶିକ୍ଷୟିତ୍ରୀ ଜଣଙ୍କ ଝିଅଟି ପାଖକୁ ଆସି ପଚାରିଲେ – ତୁମର ଏମିତି ଅଜବ ଇଚ୍ଛା କାହିଁକି? ଝିଅଟି କାନ୍ଦି ଉଠିଛି। ଶିକ୍ଷୟିତ୍ରୀ ଖୁବ୍‌ ସାନ୍ତ୍ୱନା ଦେଲେ ଏବଂ ଜାଣିବାକୁ ଚାହିଁଲେ ତା’ର ରହସ୍ୟ। ଝିଅଟି କହିଲା – ବାପା ଆମର ବାହାରେ ଚାକିରି କରନ୍ତି। ମମି ଓ ମୁଁ ଆମେ ଦୁହେଁ ଘରେ ରହୁ। ମମି ସବୁବେଳେ ମୋବାଇଲରେ ବ୍ୟସ୍ତ ଥାଏ। ତା’ର ଟିକିଏ ବି ତର ନ ଥାଏ ମୋ ସହିତ ଟିକେ ଖେଳିବାକୁ, କଥାହେବାକୁ। ଘରେ କିଛି ଖାଇବାକୁ ମନ କଲେ, ବାହାରୁ ମଗେଇ ଆଣେ। ମୋ ସହିତ ଭଲରେ ଟିକେ କଥାଭାଷା ହେବାକୁ ତା’ର ତର ନ ଥାଏ। ଥରେ ରବିବାର ସେ ରୋଷେଇ କରୁଥିଲାବେଳେ ଭୁଲି ଯାଇଥିଲା ମୋବାଇଲ ନେବାକୁ। ମୋତେ କହିଲା, ବେଡ୍‌ରୁମ୍‌ରୁ ମୋବାଇଲ ଆଣି ତାକୁ ଦେବାକୁ। ମୋବାଇଲଟି ଆଣୁଥିବାବେଳେ ହାତରୁ ତଳେ ଖସିପଡ଼ିଲା। ସେଇଠୁ ସେ ଧାଇଁଆସି ମୋତେ ଢେର୍‌ ପିଟିଲା। ମୋ ଅପେକ୍ଷା ମୋବାଇଲ ହିଁ ତା’ପାଇଁ ଅଧିକ ମୂଲ୍ୟବାନ ଏବଂ ତା’ଠୁ ପାଇଥାଏ ଅଧିକ ଆଦର। ସେଥିପାଇଁ ମନରେ ଇଚ୍ଛା ଆସେ, ସତରେ ମୁଁ ଯଦି ମୋବାଇଲଟିଏ ହୁଅନ୍ତି, ମମିଠାରୁ କେତେ ଆଦର ଯତ୍ନ ପାଆନ୍ତି…। ଶିକ୍ଷୟିତ୍ରୀଙ୍କ ଦୁଇ ଆଖିରୁ ଗଡି ଚାଲିଥିଲା ଲୁହଧାର।
ଭୁବନେଶ୍ବର ଷ୍ଟେଶନର ଏକନମ୍ବର ପ୍ଲାଟଫର୍ମରେ ଜଣେ ମମି ଏକାନ୍ତରେ ବସି ମୋବାଇଲ ଦେଖିବାରେ ବ୍ୟସ୍ତ। ପ୍ରାୟ ଦୁଇବର୍ଷର ଶିଶୁଟି ମା’ ଚାରିପଟେ ବୁଲୁଥାଏ। ଖେଳିବା-ବୁଲିବା ଭିତରେ ରେଳଧାରଣା କଡ଼ରେ ଆସି ପହଞ୍ଚତ୍ଗଲାଣି କେତେବେଳେ। ଏହି ସମୟରେ ଦ୍ରୁତଗତିରେ ମାଡି ଆସୁଥାଏ ଗାଡିଟିଏ। ପ୍ଲାଟ୍‌ଫର୍ମର ସ୍ବଚ୍ଛତା କାମରେ ନିୟୋଜିତ ଜଣେ ମହିଳା କର୍ମଚାରୀଙ୍କର ହଠାତ୍‌ ନଜର ପଡିଯାଇଛି। ତୁରନ୍ତ ଝପଟି ଆସି ଶିଶୁଟିକୁ ଟାଣିଆଣିଲେ ସେ। ନିଶ୍ଚିତ ଦୁର୍ଘଟଣାରୁ ବଞ୍ଚିଗଲା ବିଚରା ପିଲାଟି, ପ୍ଲାଟଫର୍ମ ଓଳାଉଥିବା ସେହି ମହିଳାଙ୍କ ଦ୍ୱାରା।
ଅନ୍ୟ ଏକ ମର୍ମନ୍ତୁଦ ଘଟଣା, ମୋବାଇଲପ୍ରେମୀ ସହରୀମମିଙ୍କୁ ନେଇ, ଯାହାକି ଘୂରି ବୁଲୁଥିଲା ସାମାଜିକ ଗଣମାଧ୍ୟମରେ। ଶର୍ଟପ୍ୟାଣ୍ଟ ଓ ଟପ୍‌ ପିନ୍ଧି ଜଣେ ଯୁବତୀ ମୋବାଇଲ ଦେଖିଦେଖି ଚାଲୁଥାନ୍ତି ଟିକେ ରହି ରହି। ମା’ ହାତଧରି ଚାଲିବାର ସୁଯୋଗ ନ ପାଇ ବର୍ଷେ-ଦେଢ଼ବର୍ଷର ପୁଅଟି ଚାଲୁଥାଏ ଆଗେ ଆଗେ। ସହରର ଗଳି ଭିତରୁ ହଠାତ୍‌ ଝଡ଼ବେଗରେ ଝପଟି ଆସିଲା ହିଂସ୍ର କୁକୁରଟିଏ ଏବଂ ଶିଶୁଟିକୁ ଝୁଣି ପକେଇଲା। ମମିଜଣଙ୍କ ଦାମିକା ମୋବାଇଲଟିକୁ ନା ଛାଡିପାରୁଛନ୍ତି ନା ପିଲାଟିକୁ କୁକୁର କବଳରୁ ଦୁଇହାତରେ ଛଡାଇ ଆଣି ପାରୁଛନ୍ତି। ଡହଳବିକଳ ହୋଇ ଚିତ୍କାର ଛାଡୁଥାଏ ଶିଶୁଟି। ଲୋକମାନେ ଦୌଡ଼ିଆସି କୁକୁରଟିକୁ ଯେତେ ପିଟାପିଟି କଲେ ବି ସେ କିନ୍ତୁ ଶିଶୁକୁ କାମୁଡି ଧରିଥାଏ। ମାଡ଼ ଖାଇଖାଇ କୁକୁରଟି ମରିଗଲା ପଛେ, ଛାଡିଲାନାହିଁ ଶିଶୁଟିକୁ। ରକ୍ତମୁଖା ସେହି ଶ୍ବାନଟିର ହିଂସ୍ର ଆକ୍ରମଣରେ ବିଚରା ଶିଶୁଟିର ଜୀବନ ଚାଲିଗଲା ସେଇଠି, ମମିଙ୍କ ମୋବାଇଲ ନିଶା ଯୋଗୁ।
ନଏଡାର ଏକ ଇଂଲିଶ ମିଡିୟମ ସ୍କୁଲ। ପଞ୍ଚମ ଶ୍ରେଣୀ କକ୍ଷକୁ ଜଣେ ଟିଚର ଆସି ପିଲାଙ୍କୁ କହିଲେ – Write an essay about your Mother. ସେଇଠୁ ପିଲାମାନେ ମା’ଙ୍କ ବିଷୟରେ କେତେକେତେ ମିଠାମିଠା କଥା ଲେଖୁଥାନ୍ତି। ”ମା’ ଆମର ପ୍ରାଣ। ଓଠର ହସ। ମା’ – ଆମ ପୂଜା। ଆମ ଘରମନ୍ଦିରରେ ଦିଅଁଟିଏ। ମା’ ସହନଶୀଳତାର ସାଗର। ବାତ୍ସଲ୍ୟର ବାରିଧାରା। ଉତ୍ସାହର ଉତ୍‌ପ୍ରେରକ। ମା’ ଆମ୍ଭର ସରଗଠୁ ବି ସରସ ସୁନ୍ଦର।“ ଉଦାସ ଉଦାସ ଲାଗୁଥିବା ଗୋଟେ ପିଲାର ଭିନ୍ନ ଧରଣର ଲେଖାଟି କିନ୍ତୁ ସେଦିନ ଚହଲାଇ ଦେଇଥିଲା ଶିକ୍ଷକଙ୍କ ଚେତନାର ଚୌହଦୀକୁ। ସାର୍‌ଙ୍କ ଆଖିରୁ ବୋହିଥିଲା ଲୁହରଧାର। ”ମୁଁ ଚାହେଁ ଜଣେ ‘ଅଫଲାଇନ’ ମମି। ଯାହାପାଖେ ସମୟ ଥିବ ମୋ ସହ ଟିକେ କଥାହେବାକୁ। ଟିକେ ଗେଲହେବାକୁ। ପିଠି ଥାପୁଡ଼େଇ ମୋତେ ଶୁଆଇଦେଇ ନାନାବାୟା ଗୀତ ଗାଇଗାଇ। ଖୁବ୍‌ ସରାଗରେ ନିଜ ହାତେ ରାନ୍ଧି ମୋତେ ଖୁଆଇଦେବ। ମୁଁ ଏମିତି ମା’ଟିଏ ପାଆନ୍ତି କି, ଯିଏ ମୋବାଇଲ ଠାରୁ ଦୂରେଇ ରହୁଥିବ। ମୋର ଆଦର, ଯତ୍ନ ନେଉଥିବ। ମୋତେ ନିତି ସ୍କୁଲ ଆସିବାକୁ ସଜେଇ ଦେଉଥିବ। ନିଜହାତେ ମୋ ମନଲାଖି ଟିଫିନ ତିଆରି କରି ମୋତେ ଦେଉଥିବ। କେବେ ସେ ମୋତେ ଦୂରଦୂର କରୁ ନ ଥିବ। ଆହୁରି ଭଲ ହୁଅନ୍ତା ଯଦି ଜଣେ ଅପାଠୋଇ ମା’ ମୋତେ ମିଳି ଥାଆନ୍ତେ, ଯିଏ ମୋବାଇଲ ବ୍ୟବହାର ଜାଣି ନ ଥିବ। ଭିଡିଓ ଗେମ୍‌ ଖେଳି ପାରୁ ନ ଥିବ। ମୋତେ ସମୟ ଦେଇ ପାରୁଥିବ। ଯାହାପାଇଁ ମୁଁ ଥିବି ଦୁନିଆର ସବୁଠୁ ମୂଲ୍ୟବାନ ସମ୍ପତ୍ତି। ଯାହାକୁ ନେଇ ଗର୍ବର ସହିତ ସମସ୍ତଙ୍କୁ କହି ପାରିବି – ମୋ ମା’ ପରି କିଏ ହେବ?
ଗୋଡିଶୁଳ, ସଜନାଗଡ଼, ବାଲେଶ୍ୱର
ମୋ -୯୪୩୭୪୩୬୦୭୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri