ଦିଗପହଣ୍ଡି,୬ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍ ଅଧୀନ ଏକ ଗାଁରେ ଜଣେ ଯୁବତୀ ତାଙ୍କ ଘର ବାରଣ୍ଡାରେ ବସିଥିବା ବେଳେ ଗ୍ରାମର ଏ.ଶଙ୍କର ପାତ୍ର ତାଙ୍କୁ ଘର ସମ୍ମୁଖରେ ଅସଦାଚରଣ କରିଥିଲେ। ସେ ପାଟି କରିବାରୁ ଯୁବତୀଙ୍କ ମା’ ଘଟଣାସ୍ଥଳରେ ପହଞ୍ଚି ପ୍ରତିବାଦ କରିବାରୁ ଶଙ୍କର ଉଭୟଙ୍କୁ ଅସଦାଚରଣ କରିବା ସହ ଯୁବତୀଙ୍କ ମା’ଙ୍କୁ ଠେଙ୍ଗାରେ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏନେଇ ଯୁବତୀ ଜଣକ ତାଙ୍କ ମା’ଙ୍କ ସହ ଦିଗପହଣ୍ଡି ଥାନାରେ ପହଞ୍ଚି ଏତଲା ଦେଇଥିବା କହିଛନ୍ତି।
ପୋଲିସ ଏନେଇ ତଦନ୍ତ ଚଳାଇଛି। ଶୁକ୍ରବାର ଅପରାହ୍ନରେ ଯୁବତୀ ଜଣକ ଘର ବାରଣ୍ଡାରେ ବସିଥିଲେ। ଶଙ୍କର ସେଠାରେ ପହଞ୍ଚି ଯୁବତୀଙ୍କୁ ଭିଡ଼ି ଧରିଥିଲେ। ଯୁବତୀଙ୍କ ମା’ ସେଠାରେ ପହଞ୍ଚିବାରୁ ଶଙ୍କର ଯୁବତୀଙ୍କ ଚୁଟି ଧରି ଘୋଷାଡ଼ି ତଳେ ପକାଇ ଦେଇଥିଲେ। ପରେ ଶଙ୍କର ଉଭୟଙ୍କୁ ଆପତ୍ତି ଜନକ ଭାଷାରେ ଗାଳି କରି ଉଭୟଙ୍କୁ ଧକ୍କା, ଲାତ, ଗୋଇଠା ମାରିଥିଲେ। ପରେ ଯୁବତୀଙ୍କ ମା’ଙ୍କ ମୁଣ୍ଡକୁ ଠେଙ୍ଗାରେ ମାଡ଼ ମାରିଥିଲେ। ଯୁବତୀଙ୍କ ମାଙ୍କ ବେକରୁ ରୁପା ଚେନ୍ ଛଡ଼ାଇ ନେବାକୁ ଉଦ୍ୟମ କରିଥଲେ। ପାଖ ପଡ଼ୋଶୀ କିଛି ମହିଳା ସେଠାରେ ପହଞ୍ଚି ଛଡାଛଡ଼ି କରିଥିଲେ। ଯୁବତୀଙ୍କ ଘରେ କେହି ନ ଥିବା ସୁଯୋଗ ନେଇ ଶଙ୍କର ପୂର୍ବରୁ ମଧ୍ୟ ଏକାଧିକ ଥର ଯୁବତୀଙ୍କ ଘରେ ପଶି ତାଙ୍କୁ ଧମକ ଦେଇଥିବା ଏତଲାରେ ଉଲ୍ଲେଖ ରହିଛି।