ଭବାନୀପାଟଣା,୮।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ କର୍ଲାସୋଡା ଗାଁରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ବିଦ୍ୟୁତ୍ ସଂସ୍ପର୍ଶରେ ଆସି ମା’ ଓ ଝିଅଙ୍କ ମୃତ୍ୟୁ ହୋଇଛି । ଏହାକୁ ନେଇ ସ୍ଥାନୀୟ ଗ୍ରାମବାସୀ ମୃତଦେହକୁ ଧରି ନ୍ୟାୟ ଦାବିରେ ଭବାନୀପାଟଣା ସ୍ଥିତ ଜିଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଫଳରେ ଚାପା ଉତ୍ତେଜନା ଦେଖିବାକୁ ମିଳିଛି ।
ମିଳିଥିବା ଅନୁସାରେ, କର୍ଲାସୋଡା ଗାଁର ଶୀତଳ ନାଏକ କପଡ଼ା ଶୁଖାଇବା ସମୟରେ ହଠାତ୍ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଥିଲେ । ଝିଅକୁ ବିଦ୍ୟୁତ୍ ତାରରେ ଲାଗିଥିବା ଦେଖି ମା’ ଲଳିତା ନାଏକ ତାଙ୍କୁ ବଞ୍ଚାଇବାକୁ ଯାଇଥିଲେ । ହେଲେ ଏହି ସମୟରେ ସେ ମଧ୍ୟ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଗୁରୁତର ହୋଇଥିଲେ । ପରେ ସ୍ଥାନୀୟ ଲୋକେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ । ତେବେ ଆମ୍ବୁଲାନ୍ସକୁ ବାରମ୍ବାର ଯୋଗାଯୋଗ କରିବା ସତ୍ତ୍ୱେ ଆମ୍ବୁଲାନ୍ସ ପହଞ୍ଚିନଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ଫଳରେ ସମ୍ପର୍କୀୟମାନେ ଅଟୋ ଯୋଗେ ଉଭୟଙ୍କୁ କଳାହାଣ୍ଡି ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ହେଲେ ମେଡିକାଲରେ ଉଭୟଙ୍କୁ ଠିକ୍ ଭାବେ ଯାଞ୍ଚ କରାନଯାଇ ମୃତ ଘୋଷଣା କରାଯାଇଥିଲା ।
ଏହି ଘଟଣାକୁ ନେଇ ପରିବାର ଓ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଶେଷରେ ଆମ୍ବୁଲାନ୍ସ ସେବାରେ ଅବହେଳା ଓ ଚିକିତ୍ସା ବ୍ୟବସ୍ଥାରେ ଅବହେଳା ଅଭିଯୋଗ କରି ନ୍ୟାୟ ଦାବିରେ ପରିବାର ଲୋକେ ଓ ସମର୍କୀୟ ଦୁଇ ମୃତଦେହକୁ ରଖି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଛନ୍ତି ।

