ମୋଷ୍ଟ ଓ୍ବାଣ୍ଟେଡ୍‌ ଥିଲେ ୩ ମାଓବାଦୀ: ଡିଜିପି

ମାଲକାନଗିରି,୧୪।୧୦(ଡି.ଏନ.ଏ.): ମାଲକାନଗିରି ଜିଲା ମାଥିଲି ବ୍ଳକର ତୁଳସୀ ପାହାଡ଼ରେ ମଙ୍ଗଳବାର ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟରେ ମୃତ୍ୟୁବରଣ କରିଥିବା ୩ଜଣ ମାଓବାଦୀ ମୋଷ୍ଟ ଓ୍ବାଣ୍ଟେଡ୍‌ ଥିଲେ ବୋଲି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଅଭୟ ବୁଧବାର ମାଲକାନଗିରି ଜିଲା ଗସ୍ତ ଅବସରରେ ପ୍ରକାଶ କରିଛନ୍ତି। ଏହି ଅବସରରେ ସେ ଉଚ୍ଚ ପଦାଧିକାରୀମାନଙ୍କ ସହିତ ମାଓବାଦୀ ଦମନ ନେଇ ରଣନୀତି ସମୀକ୍ଷା କରିଛନ୍ତି। ଏସ୍‌ଓଜି ଓ ଡିଭିଏଫ୍‌ ଯବାନଙ୍କ ମନୋବଳ ବୃଦ୍ଧି କରିବା ଲାଗି ଡିଜିପି ଗସ୍ତକରି ସେମାନଙ୍କୁ ପ୍ରଶଂସା କରିଛନ୍ତି। ପରେ ସେ ଜିଲା ପୋଲିସ କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ମାଓବାଦୀ ଦମନ ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ସେ ମାଓବାଦୀଙ୍କୁ ହିଂସା ଛାଡ଼ି ସମାଜର ମୁଖ୍ୟସ୍ରୋତରେ ସାମିଲହେବାକୁ ଆହ୍ବାନ ଦେଇଥିଲେ। ବୈଠକରେ ଆଗାମୀ କାର୍ଯ୍ୟପନ୍ଥା ସ୍ଥିର କରାଯାଇ ମାଓବାଦୀଙ୍କୁ ଦମନ ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଥିବା ଜଣାପଡିଛି। ଏଥିରେ ଗୋଇନ୍ଦା ବିଭାଗ ନିର୍ଦ୍ଦେଶକ ଲଳିତ ଦାସ, ଆଇଜି ଅପରେଶନ ଅମିତାଭ ଠାକୁର, ଏସ୍‌ଆଇଡବ୍ଲ୍ୟୁ ଡିଆଇଜି ଅନିରୁଦ୍ଧ ସିଂ, ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତ, ମାଲକାନଗିରି ଏସ୍‌ପି ପ୍ରହଲ୍ଲାଦ ସାହାଇ ମୀନାଙ୍କ ସମେତ ବିଏସ୍‌ଏଫ୍‌ର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ମଙ୍ଗଳବାର ଗୁଳି ବିନିମୟ ପରେ ଘଟଣାସ୍ଥଳରୁ ପୋଲିସ ଗୋଟିଏ ଏସ୍‌ଏଲ୍‌ଆର୍‌ ରାଇଫଲ, ଗୋଟିଏ ଇନ୍‌ସାସ ରାଇଫଲ, ୪ଟି ମାଗାଜିନ, ଗୋଟିଏ ଏକେ-୪୭ ମାଗାଜିନ , ୫୯ଟି ଏସ୍‌ଏଲ୍‌ଆର୍‌ ଗୁଳି, ୨୧ ଟି ଇନ୍‌ସାସ ଗୁଳି, ମାଓବାଦୀ କିଟ୍‌ ବ୍ୟାଗ୍‌, ପୁସ୍ତିକା, ଜୋତା, ତାର, ବ୍ୟାଟେରି, ପାଣି ବୋତଲ, ୱାକିଟକି, ଡେଟୋନେଟର, ଆଇଇଡି, ରିମୋଟ କଣ୍ଟ୍ରୋଲ, ଔଷଧ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି।