ନୂଆପଡ଼ା,୩୦ା୭ (ମକାରୁ ବେମାଲ): ନୂଆପଡ଼ା ଜିଲାରେ ଲଘୁଚାପ ଜନିତ ଲଗାଣ ବର୍ଷାରେ ରାସ୍ତାରେ ଘାଇ ସୃଷ୍ଟି ହୋଇ ଅଧିକାଂଶ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ନଈ, ନାଳ ଫୁଳିବାରେ ଲାଗିଥିବା ବେଳେ ଚାଷ ଜମି ବାଲିଚର ହୋଇ ନଷ୍ଟ ହୋଇଛି। ବୁଧବାର ନୂଆପଡା ବ୍ଲକରେ ସର୍ବାଧିକ ୧୬୪ ମି.ମି. ବର୍ଷା ହୋଇଥିବା ବେଳେ କୋମନାରେ ୧୩୦, ଖଡିଆଳ ୧୧୦, ବୋଡେନ ୧୧୭ ଓ ସିନାପାଲି ବ୍ଲକରେ ୭୫ ମି.ମି. ବର୍ଷା ରେକର୍ଡ କରାଯାଇଛି। ଜଳସ୍ତର ବୃଦ୍ଧି ପାଇଥିବାରୁ ତିଖାଲି ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପର ୫ଟି, ସୁନ୍ଦର ଜଳସେଚନ ପ୍ରକଳ୍ପ ଜଡାମୁଣ୍ଡାରେ ୩ଟି, ଅପରଜୋଙ୍କ ଜଳସେଚନ ପ୍ରକଳ୍ପ ପତୋରା ୩ଟି ଗେଟ ଓ ସାଇପଲା ଜଳସେଚନ ପ୍ରକଳ୍ପରେ ୬ଟି ଗେଟ ଦେଇ ବନ୍ୟଜଳ ନିଷ୍କାସନ କରାଯାଉଛି। ଏସବୁ ପ୍ରକଳ୍ପରୁ ଜଳ ନିଷ୍କାସନ ପରେ ତଳ ମୁଣ୍ଡରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ପତୋରା ପ୍ରକଳ୍ପର ୩ଟି ଗେଟ ଖୋଲିବା ପରେ ବନ୍ୟା ପରିସ୍ଥିତ ସୃଷ୍ଟି ହୋଇ ସାରାବଙ୍ଗ-ପାୱାରତୋଳା ମଧ୍ୟଭାଗରେ ଥିବା ଜୋଙ୍କ ନଦୀ ପୋଲ ଭାଙ୍ଗିଯାଇଛି। ଫଳରେ ପାୱାରତୋଳା, ଜରିଡିହି, ମୋହରାଡିହି, ପାତାଲଘୁଟକୁରି, ଖଳନା, ଆମାନାରା, ଡାଲିପଖନା, ଦର୍ରାଘୁଟକୁରି, ପାଶାମାରା ଇତ୍ୟାଦି ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହେଯାଇଛି। ଏହାସହ ଜିଲା ସଦର ମହକୁମାଠାରୁ ଉକ୍ତ ରାସ୍ତା ଦେଇ ଛତିଶଗଡ ରାଜ୍ୟ ଫିଙ୍ଗେଶ୍ୱର, ରାଜୀମ ଦେଇ ରାୟପୁରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଧରମବନ୍ଧା ଦ୍ୱାରସେନୀ ମନ୍ଦିର ପାଖରେ ଜୋଙ୍କ ନଦୀରେ ବନ୍ୟା ହୋଇ ରାସ୍ତା ଉପରେ ୪ଫୁଟରୁ ପାଣି ପ୍ରବାହିତ ହେଉଛି। ସେହିପରି ପଣ୍ଡିରିପାଣି-ଗଙ୍ଗାଦିଗଡ ରାସ୍ତାର ପୋଲ ଭାଙ୍ଗି ୭ରୁ ୮ଫୁଟ ପାଣି ଯାଉଛି। ଫଳରେ ଯାତାୟାତ ସମ୍ପୂର୍ଣ୍ଣ ଠପ ହୋଇଯାଇଛି। ଛତିଶଗଡ ଓ ଗଙ୍ଗାଦିଗଡର କେତେଜଣ ଲୋକ ନୂଆପଡା ଆସିତତ୍ବାବେଳେ ଅତ୍ୟଧିକ ବର୍ଷାରେ ପୋଲ ଭାଙ୍ଗି ଯିବାରୁ ସେମାନେ ଗାଁକୁ ଫେରି ପାରୁନାହାନ୍ତି। ସୁନାବେଡାଠାରୁ ଗାତିବେଡା ପୋଲ, ଗାତିବେଡା-ଢେକୁନପାଣି ରାସ୍ତା ପୋଲ, ସାଲେପଡା-କୋଟ୍ରାବେଡା ରାସ୍ତା ପୋଲ, ସୁନାବେଡା-ସନବାହାଲି-ଜୁନାପାଣି ରାସ୍ତା ପୋଲ ବର୍ଷାରେ ଧୋଇଯାଇଛି। ସୁନାବେଡା ଅଭୟାରଣ୍ୟକୁ ସଂଯୋଗ କରୁଥିବା ରାସ୍ତାର ବରକୋଟ ଘାଟିରେ ଏକ ବଡ ଗଛ ପଡିଥିବାରୁ ଯାତାୟାତ ବନ୍ଦ ହୋଇ ଯାଇଛି। ସୁନାବେଡା ଉପରେ ୬ଟି ନାଳାରେ ଜଳସ୍ତର ବୃଦ୍ଧି ପାଇବା ସହ ରାସ୍ତାରେ ଗଛ ପଡିବାରୁ ୫୨ଟି ଗାଁ ଜଳବନ୍ଦୀ ହୋଇ ରହି ଯାଇଛନ୍ତି। କୋମନା ବିଦ୍ୟୁତ ଷ୍ଟ୍ରକ୍ଚର ସମ୍ମୁଖରେ ଓ ବଞ୍ଜାରୀ-ପଳସିପାଣିଠାରେ ୩୫୩ ନମ୍ବର ଜାତୀୟ ରାଜପଥ ଉପରେ ୩ରୁ ୪ଫୁଟ ପାଣି ପ୍ରବାହିତ ହେଉଥିବାରୁ ଯାନବାହନ ଚଳାଚଳ ଠପ ହୋଇଯାଇଛି। ନଦୀଗୁଡିକରେ ଜଳସ୍ତର ବୃଦ୍ଧି ପାଉଥିବାରୁ ନଦୀ କୂଳିଆ ଗାଁ ଲୋକ ଭୟଭୀତ ଅବସ୍ଥାରେ ରହିଛନ୍ତି। କିଛି ଗାଁରେ ଅଧିକାଂଶ ଘରକୁ ବର୍ଷା ପାଣି ପଶି ଯାଇଥିବାରୁ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ କରାଯାଉଛି।