ଅମ୍ଳଜାନ ସ୍ତର କମିବା ଯୋଗୁ ଅଧିକାଂଶ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହେଉଛି: ଗଞ୍ଜାମ ଜିଲାପାଳ

ବ୍ରହ୍ମପୁର ଅଫିସ, ୧।୮: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗଞ୍ଜାମରେ ସବୁ ପ୍ରବେଶ, ପ୍ରସ୍ଥାନ ପଥ ବନ୍ଦ ରହିବ। ଗ୍ରାମାଞ୍ଚଳରୁ ସହରାଞ୍ଚଳକୁ ପ୍ରବେଶ ଉପରେ କଟକଣା ରହିବ। ଏ ନେଇ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଶନିବାର ସୂଚନା ଦେଇଛନ୍ତି।
ଏଥିସହ ସକାଳ ୫ଟାରୁ ଅପରାହ୍ନ ୪ଟା ଯାଏ ଦୋକାନବଜାର ଖୋଲା ରହିବ। ୫ ସୂତ୍ରୀ କାର୍ଯ୍ୟକ୍ରମ ଅନୁସାରେ ନିୟମ ମାନି ଦୋକାନ ଖୋଲିବାକୁ ଅନୁମତି ମିଳିବ। ଦୋକାନୀମାନେ ସାମାଜିକ ଦୂରତ୍ୱ ମାନିବା ସହ ମାସ୍କ ପିନ୍ଧିବେ। ଦୋକାନକୁ ଆସୁଥିବା ସମସ୍ତ ଗ୍ରାହକଙ୍କ କଣ୍ଟାକ୍ଟ ଡିଟେଲ ଦୋକାନୀ ରଖିବେ ବୋଲି ଜିଲାପାଳ କହିଛନ୍ତି। ସେହିପରି ଦୋକାନୀମାନେ ନିଜ ଦୋକାନ ଆଗରେ ସର୍କଲ ଏବଂ ବ୍ୟାରିକେଡ କରିବେ । ରାଜ୍ୟ ସରକାରଙ୍କ ନିୟମ ଅନୁସାରେ ସପ୍ତାହାନ୍ତ ଶଟଡାଉନ ଜାରି ରହିବ। ମୁହଁରେ ମାସ୍କ ଠିକ୍‌ରେ ନ ପିନ୍ଧିଲେ ଜୋରିମାନା ଆଦାୟ ହେବ। ଗଞ୍ଜାମରେ ଏବେ ଡୋର ଟୁ ଡୋର କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି। ଲକଡାଉନ ଓ ଅନ୍ୟ କଟକଣା ଯୋଗୁ କରୋନା ସଂକ୍ରମଣ କିଛି ମାତ୍ରାରେ କମିଛି। ଅମ୍ଳଜାନ ସ୍ତର କମିବା ଯୋଗୁ ଅଧିକାଂଶ ଆକ୍ରାନ୍ତଙ୍କ ମୃତ୍ୟୁ ହେଉଛି। ତେଣୁ ଅଗଷ୍ଟରେ ଆମକୁ ଆହୁରି ସତର୍କ ହେବାକୁ ପଡ଼ିବ ବୋଲି ଜିଲାପାଳ କହିଛନ୍ତି ।