ନୂଆପଡା,୧୭।୬: ପ୍ରବଳ ଖରା ଏବଂ ଅସହ୍ୟ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଓଡ଼ିଶାର ଅନେକ ଜିଲାରେ ପାରଦ ୪୦ରୁ ୪୫ ଡିଗ୍ରୀ ଉପରେ ରହୁଥିବା ବେଳେ ଉଚ୍ଚ ଆର୍ଦ୍ରତା (Humidity) ଯୋଗୁଁ ସ୍ଥିତି ଆହୁରି ସଂଘାତିକ ହୋଇଛି। ଏଭଳି ସ୍ଥିତିରେ ଛାତ୍ରୀଛାତ୍ରଙ୍କୁ ପ୍ରଚଣ୍ଡ ତାତିରୁ ରକ୍ଷା କରିବା ପାଇଁ ବିଭିନ୍ନ ଜିଲା ପ୍ରଶାସନ ପକ୍ଷରୁ ସ୍କୁଲ ଖୋଲିବା ନିଷ୍ପତ୍ତିରେ ବଡ଼ ପରିବର୍ତ୍ତନ କରାଯାଇଛି।
ପୂର୍ୱ ନିର୍ଦ୍ଦେଶ ଅନୁଯାୟୀ ରଜ ପର୍ୱ ପରେ ସ୍କୁଲଗୁଡ଼ିକ ଖୋଲିବାର ଥିଲା, ମାତ୍ର ପାଣିପାଗର ପ୍ରତିକୂଳ ଅବସ୍ଥାକୁ ଦେଖି ପ୍ରଶାସନ ବଡ଼ ନିଷ୍ପତ୍ତି ନେଇଛି। ସୁବର୍ଣ୍ଣପୁର (ସୋନପୁର) ଜିଲା ପରେ ଏବେ ଅନୁଗୁଳ ଜିଲ୍ଲା ପ୍ରଶାସନ ମଧ୍ୟ ସ୍କୁଲ ଛୁଟି ବଢ଼ାଇବାକୁ ବାଧ୍ୟ ହୋଇଛି।
ଅନୁଗୁଳ ଜିଲାପାଳଙ୍କ ସୂଚନା ଅନୁଯାୟୀ, ଜିଲ୍ଲାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ବେସରକାରୀ (ପ୍ରାଇଭେଟ) ସ୍କୁଲ ସମେତ କଲେଜଗୁଡ଼ିକ ଆସନ୍ତା ୨୦ ଜୁନ (ଶନିବାର) ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବନ୍ଦ ରହିବ। ତେବେ ଜୁନ ୨୧ ତାରିଖ ରବିବାର ପଡ଼ୁଥିବାରୁ, ଆସନ୍ତା ୨୨ ଜୁନ (ସୋମବାର) ଦିନ ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ସ୍ୱାଭାବିକ ଭାବେ ଖୋଲିବ।
ଅନ୍ୟପଟେ ପଶ୍ଚିମ ଓଡ଼ିଶାର ଅନ୍ୟତମ ଉତ୍ତପ୍ତ ଜିଲ୍ଲା ନୂଆପଡ଼ାରେ ପ୍ରଶାସନ ସ୍କୁଲ ଖୋଲିବା ପାଇଁ ଅନୁମତି ଦେଇଥିଲେ ମଧ୍ୟ ସମୟ ସୀମାରେ ବଡ଼ ପରିବର୍ତ୍ତନ କରିଛି। ପିଲାମାନେ ଯେପରି ମଧ୍ୟାହ୍ନର ପ୍ରଖର ଖରାର ସମ୍ମୁଖୀନ ନ ହେବେ, ସେଥିପାଇଁ ସକାଳୁଆ କ୍ଲାସ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଜୁନ ୧୮ ତାରିଖରୁ ଜୁନ ୨୦ ତାରିଖ ପର୍ଯ୍ୟନ୍ତ ସ୍କୁଲଗୁଡ଼ିକ ସକାଳ ୬:୩୦ ରୁ ଅପରାହ୍ନ ୧୧:୩୦ ପର୍ଯ୍ୟନ୍ତ ଚାଲିବ। ୧୧:୩୦ ପରେ ଖରାର ପ୍ରକୋପ ବଢ଼ୁଥିବାରୁ ସେହି ସମୟ ସୁଦ୍ଧା ପିଲାମାନଙ୍କୁ ଛୁଟି କରି ଘରକୁ ପଠାଇବା ପାଇଁ ସମସ୍ତ ସ୍କୁଲ କର୍ତ୍ତୃପକ୍ଷଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।
ମୌସୁମୀ ବାୟୁ ଓଡ଼ିଶା ଛୁଇଁ ସାରିଥିଲେ ମଧ୍ୟ ଏହାର ପ୍ରଭାବ ସୀମିତ ରହିଛି। ବିଶେଷ କରି ଅନୁଗୁଳ, ସୁବର୍ଣ୍ଣପୁର, ବୌଦ୍ଧ ଏବଂ ବଲାଙ୍ଗୀର ଭଳି ଶିଳ୍ପାଞ୍ଚଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଜିଲାଗୁଡ଼ିକରେ ଗରମ ଯୋଗୁଁ ତାପମାତ୍ରା କମୁନାହିଁ।