ନୂଆଦିଲ୍ଲୀ, ୧୬।୨ : ଜାନୁଆରୀ ୨୦୨୨ ର ପ୍ରଥମ ୧୦ଦିନରେ, ରାଜନୈତିକ ଦଳମାନଙ୍କୁ ଚାନ୍ଦା ଦେବା ପାଇଁ ଏସବିଆଇରୁ ପ୍ରାୟ ୧,୨୧୩ କୋଟି ଟଙ୍କାର ଇଲେକ୍ଟ୍ରୋଲ ବଣ୍ଡ୍ ବିକ୍ରି ହୋଇଛି। ଏହି ପରି ଭାବରେ, ରାଜନୈତିକ ଦଳଗୁଡିକ ୨୦୧୮ଠାରୁ ଗତ ୪ ବର୍ଷ ମଧ୍ୟରେ ଇଲେକ୍ଟ୍ରୋଲ ବଣ୍ଡ୍ରୁ ୯ ହଜାର କୋଟିରୁ ଅଧିକ ଚାନ୍ଦା ଗ୍ରହଣ କରିଛନ୍ତି। ଏହାର ମୂଲ୍ୟ ୯,୨୦୭ କୋଟି ଟଙ୍କା ରହିଛି। ତେବେ ଏହି ଟଙ୍କା କେଉଁଠୁ ଆସିଲା ଏବଂ କିଏ ଦେଲା, ତାହା ଅଜଣା। ଏହାର କୌଣସି ତଥ୍ୟ ନାହିଁ।
ଗୋଟିଏ ପଟେ ଜନସାଧାରଣଙ୍କୁ ସେମାନଙ୍କର ଆୟ ଏବଂ ଖର୍ଚ୍ଚର ହିସାବ ଦେବାକୁ ପଡିବ ବୋଲି ସରକାର କହୁଛନ୍ତି। ଅପରପକ୍ଷରେ, ଉତ୍ତରଦାୟିତ୍ୱରୁ ନିଜକୁ ବଞ୍ଚାଇବା ପାଇଁ ରାଜନୈତିକ ଦଳଗୁଡ଼ିକ ଏକାଥରକେ ବହୁ ନିୟମରେ ପରିବର୍ତ୍ତନ କରିଛନ୍ତି।
ବିଶେଷଜ୍ଞମାନେ ମତ ପୋଷଣ କରିଛନ୍ତି ଯେ ରାଜନୈତିକ ଚାନ୍ଦା ବର୍ତ୍ତମାନ କଳା ଟଙ୍କା ରୋଜଗାରର ଏକ ମାଧ୍ୟମ ପାଲଟିଛି। ନଗଦ ଏବଂ ବଣ୍ଡ୍ ମାଧ୍ୟମରେ କଳା ଟଙ୍କାକୁ ଧଳା ରଙ୍ଗରେ ପରିଣତ କରିବାର ଖେଳ ରାଜନୈତିକ ଦଳଙ୍କ ଦ୍ୱାରା ଜାରି ରହିଥିବା ଅଭିଯୋଗ ହେଉଛି। ଭାରତରେ ରାଜନୈତିକ ଦଳଗୁଡ଼ିକର ପାଣ୍ଠି ସଂଗ୍ରହ କରିବାର ୪ ଟି ଉପାୟ ଅଛି। ସେଗୁଡ଼ିକ ହେଉଛି ସିଧାସଳଖ ଲୋକଙ୍କ ମାଧ୍ୟମରେ, କର୍ପୋରେଟ ହାଉସ କିମ୍ବା କମ୍ପାନୀ ମାଧ୍ୟମରେ, ବିଦେଶୀ କମ୍ପାନୀ ମାଧ୍ୟମରେ ଏବଂ ଜନସାଧାରଣ କିମ୍ବା ସରକାରୀ ପାଣ୍ଠି ମାଧ୍ୟମରେ।
ସାଧାରଣ ଲୋକମାନେ ୩ଟି ଉପାୟରେ ଯେକୌଣସି ପାର୍ଟିକୁ ଦାନ କରନ୍ତି। ସେସବୁ ହେଉଛି ନଗଦ,
ପାର୍ଟିର ଆକାଉଣ୍ଟକୁ ଟଙ୍କା ପଠାଇ,ଇଲେକ୍ଟ୍ରୋଲ ବଣ୍ଡ୍ ମାଧ୍ୟମରେ।
ସେହିପରି କର୍ପୋରେଟ କିମ୍ବା କମ୍ପାନୀ ୨ ଟି ଉପାୟରେ ପାର୍ଟିକୁ ଚାନ୍ଦା ଦେଇଥାନ୍ତି। ତାହା ହେଉଛି ଇଲେକ୍ଟ୍ରୋଲ ଟ୍ରଷ୍ଟ ଅବା ଇଲେକ୍ଟ୍ରୋଲ ବଣ୍ଡ୍ ଦ୍ୱାରା।
ଇଲେକ୍ଟ୍ରୋଲ ବଣ୍ଡ୍ ପାଇଁ ଦେଶରେ ୨୯ ଟି ଏସବିଆଇ ଶାଖା ସ୍ଥିର କରାଯାଇଛି। ଏସବିଆଇର ଏହି ଶାଖାଗୁଡ଼ିକ ମଧ୍ୟରୁ ଅଧିକାଂଶ ରାଜ୍ୟର ରାଜଧାନୀରେ ଅଛି।
୨୦୨୦ରେ ଭାଜପା ଖାତାକୁ ସର୍ବାଧିକ ୪୮୪୭.୭୮ କୋଟି ଟଙ୍କା ଯାଇଛି। ସେହିପରି ଏହା ପଛକୁ ଚାନ୍ଦା ତାଲିକାରେ ବିଏସ୍ପି ରହିଛି। ବିଏସ୍ପି ପାଖକୁ ୬୯୮.୩୩ କୋଟି, କଂଗ୍ରେସକୁ ୫୮୮.୧୬ କୋଟି, ସିପିଆଇଏମ୍ ଆକାଉଣ୍ଟ୍କୁ ୫୬୯.୫୨ କୋଟି, ଏଆଇଟିସିକୁ ୨୪୭.୭୮ କୋଟି, ସିପିଆଇ ଖାତାକୁ ୨୯.୭୮ କୋଟି ଏବଂ ଏନ୍ସିପି ପାଖକୁ ୮.୨ କୋଟି ଟଙ୍କାର ଚାନ୍ଦା ଯାଇଛି।
ତେବେ ଏସବୁ ଚାନ୍ଦା କିଏ ଦେଇଛି କେଉଁଠୁ ଆସିଛି ତାହାର କିଛି ହିସାବ କିତାବ ନାହିଁ।