କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ବ୍ରାଉନ୍‌ସୁଗାର ଜବତ

ଭୁବନେଶ୍ୱର,୨୯।୫ (ବ୍ୟୁରୋ): ରାଜଧାନୀରେ ଦିନକୁ ଦିନ ବ୍ରାଉନସୁଗାର ବେପାରୀଙ୍କ ସହ କାରାବାର ବୃଦ୍ଧି ପାଇବାରେ ଲାଗିଛି। ବାହାର ରାଜ୍ୟରୁ ବ୍ରାଉନ୍‌ସୁଗାର ଆଣି ଏଠାରେ କିଭଳି କାରବାର କରାଯାଇପାରିବ ସେନେଇ ଭିନ୍ନ ଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି। ଏହି କ୍ରମରେ ଶୁକ୍ରବାର ସ୍ପେଶାଲ ଟାକ୍ସ ଫୋର୍ସ(ଏସ୍‌ଟିଏଫ୍‌) ହାତରେ ଧରାପଡ଼ିଛନ୍ତି ୨ ଅଭିଯୁକ୍ତ। ଫୁଲ ବ୍ୟବସାୟ ଆଳରେ ପଶ୍ଚିମବଙ୍ଗର କପିଲଦେବ ମଜୁମ୍‌ଦାର ନାମକ ଜଣେ ଯୁବକ ଭୁବନେଶ୍ୱର ବରମୁଣ୍ଡା ବସ୍‌ଷ୍ଟାଣ୍ଡ ନିକଟରେ ଖୋର୍ଦ୍ଧା ଜିଲା ଜଙ୍କିଆର ରଶ୍ମୀରଞ୍ଜନ ଭୋଳଙ୍କ ସହ ବ୍ରାଉନ୍‌ ସୁଗାର ଡିଲ୍‌ କରୁଥିବାବେଳେ ବିଶେଷସୂତ୍ରରୁ ଖବରପାଇ ଏସ୍‌ଟିଏଫ୍‌ ଚଢ଼ାଉ କରି ଉଭୟଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ଏମାନଙ୍କ ନିକଟରୁ ୧.୨୩୮କେଜିର ବ୍ରାଉନସୁଗାର ଜବତ ହୋଇଛି। ଯାହାର ଆନୁମାନିକ ମୂଲ୍ୟ ଏକ କୋଟିରୁ ଊର୍ଦ୍ଧ୍ୱ ହେବ। ଏଥିସହ ଅଭିଯୁକ୍ତ ରଶ୍ମୀରଞ୍ଜନଙ୍କ ନିକଟରୁ ଭୁବନେଶ୍ୱର ଏମ୍ସର ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତରଙ୍କ ଏକ ନକଲି ପରିଚୟ ପତ୍ର, ପୋଲିସ ୟୁନିଫର୍ମରେ ଥିବା ଫଟୋର ଜେରକ୍ସ କପି, ଗୋଟିଏ ବୁଲେଟ, ୨ଟି ଲାପ୍‌ଟପ ଏବଂ ନଗଦ ୧୭ହଜାର ଟଙ୍କା, ସ୍ବସ୍ତିକ ମ୍ୟାନେଜମେଣ୍ଟର ଜିଏମ୍‌ ଆଇଡି କାର୍ଡ ଜବତ ହୋଇଛି। ଏସ୍‌ଟିଏଫ୍‌ ଏନେଇ ଏନ୍‌ଡିପିଏସ୍‌ ଆକ୍ଟର ଦଫା ୨୧(ସି)/୨୯ ରେ ଏକ ମାମଲା (ନଂ. ୧୨/୨୨) ରୁଜୁ କରି ଅଭିଯୁକ୍ତ ଦ୍ୱୟଙ୍କୁ ଶନିବାର କୋର୍ଟ ଚାଲାଣ କରିଛି ।
ମିଳିଥିବା ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗ ନଦିଆ ଅଞ୍ଚଳର କପିଲଦେବ ବିଭିନ୍ନ ଉପାୟରେ ବ୍ରାଉନ୍‌ ସୁଗାର ଆଣି ଭୁବନେଶ୍ୱରରେ ରଶ୍ମୀରଞ୍ଜନଙ୍କୁ ଆଣି ଯୋଗାଉଥିଲେ। ଏହା ପରେ ରଶ୍ମୀରଞ୍ଜନ କେତେବେଳେ ନିଜକୁ ପୋଲିସ ତ କେତେବେଳେ ଡାକ୍ତର ବୋଲି ପରିଚୟ ଦେଇ ପୋଲିସ ଆଢ଼ୁଆଳରେ ବ୍ରାଉନ ସୁଗାର ବେପାର କରୁଥିଲେ। ଏପରି କି ନିଜ ବୁଲେଟ ଗାଡ଼ିରେ ପୋଲିସ ଲୋଗୋ ଲଗାଇ ବେଧଡ଼କଭାବେ ରାଜଧାନୀରେ ବ୍ରାଉନ୍‌ ସୁଗାର କାରବାର କରି ଆସୁଥିଲେ। ତେବେ ଅଭିଯୁକ୍ତଦ୍ୱୟ ଏହି କାରବାର ରାଜଧାନୀରେ କେତେଦିନ ଧରି ଚଳାଇଥିଲେ? ଏହି ରାକେଟରେ ଆଉ କିଏ କିଏ ସାମିଲ ଅଛନ୍ତି? କେବଳ ରାଜଧାନୀ ଭୁବନେଶ୍ୱର ନା ଓଡ଼ିଶାର ବିଭିନ୍ନ ଜିଲାକୁ ଯୋଗାଉଥିଲେ ତାହାର ସତ ଓଗାଳିବା ଲାଗି କ୍ରାଇମବ୍ରାଞ୍ଚ ଟିମ୍‌ ଅଭିଯୁକ୍ତଦ୍ୱୟଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରିବ ବୋଲି ଯୋଜନା ରଖିଛି।