ଗହଣା ଦୋକାନରୁ କୋଟିଏରୁ ଊର୍ଦ୍ଧ୍ୱ ଚୋରି

ଭୁବନେଶ୍ୱର,୬ା୧୨(ବ୍ୟୁରୋ): ରାଜଧାନୀରେ ରାତି ଅସୁରକ୍ଷିତ ହୋଇପଡ଼ିଲାଣି। ପୋଲିସକୁ ଚ୍ୟାଲେଞ୍ଜ ଦେଇ ଦୁର୍ବୃତ୍ତମାନେ ରାତିରେ ଯାଉଥିବା ଲୋକଙ୍କୁ ଲୁଟିବା ସହ ବିଭିନ୍ନ ସ୍ଥାନରେ ଚୋରି କରୁଛନ୍ତି। ଏହି କ୍ରମରେ ଶନିବାର ବିଳମ୍ବିତ ରାତିରେ ରାଜଧାନୀରେ ଏକ ଗହଣା ଦୋକାନରେ ବଡଧରଣର ଚୋରି ହୋଇଛି। ଖଣ୍ଡଗିରି ଥାନା ଅଧୀନ ଡେଲ୍‌ଟା ଛକସ୍ଥିତ ଲକ୍ଷ୍ମୀନାରାୟଣ ଜୁଏଲର୍ସର ଶଟର୍‌ କାଟି ଦୁର୍ବୃତ୍ତମାନେ ନଗଦ ଦେଢ଼ଲକ୍ଷ ଟଙ୍କା ସହ ଏକ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଅଳଙ୍କାର ଚୋରି କରି ନେଇଛନ୍ତି। ଲୁଟ୍‌ ଅଳଙ୍କାରରେ ରହିଛି ୧ କେଜି ସୁନା ଓ ୧୦ କେଜି ରୁପା। ଏନେଇ ଜୁଏଲର୍ସ ମାଲିକ ସନ୍ଦୀପ କୁମାର ସାହୁ ରବିବାର ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା (ନଂ.୬୧୫/୨୧) ରୁଜୁ କରି ତଦନ୍ତ ଚଳାଇଛି। ଅପରପକ୍ଷରେ ପୋଲିସ ଆଖିରୁ ବର୍ତ୍ତିବାକୁ ଦୋକାନରେ ଲାଗିଥିବା ସିସିଟିଭିର ହାର୍ଡଡିସ୍କକୁ ଦୁର୍ବୃତ୍ତମାନେ ନେଇଯାଇଛନ୍ତି। ଅପରାହ୍ନରେ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଆଖପାଖରେ ଲାଗିଥିବା ସିସିଟିଭି ଫୁଟେଜ୍‌କୁ ଜବତ କରିଛି। ଉକ୍ତ ଫୁଟେଜ୍‌ ଆଧାରରେ ଦୁର୍ବୃତ୍ତଙ୍କୁ ଧରିବାକୁ ଚେଷ୍ଟା କରାଯାଉଛି ବୋଲି ମାମଲାର ତଦନ୍ତକାରୀ ଅଧିକାରୀ ଦେବଦତ୍ତ ସାମନ୍ତରାୟ କହିଛନ୍ତି। ଏନେଇ ଆଇଆଇସି ପଦ୍ମନାଭ ପ୍ରଧାନଙ୍କୁ ପଚାରିବାରେ, ଗହଣା ଦୋକାନୀଙ୍କ ଅଭିଯୋଗକୁ ଆଧାର କରି ତଦନ୍ତ ଚାଲିଛି। ରାତିରେ ପୋଲିସ ପାଟ୍ରୋଲିଂ ସତ୍ତ୍ୱେ ଦୁର୍ବୃତ୍ତମାନେ ଲୁଟ୍‌ କରିଛନ୍ତି। ସେମାନଙ୍କୁ ଧରିବାକୁ ସମସ୍ତ ଚେଷ୍ଟା ଚାଲିଛି ବୋଲି ପ୍ରଧାନ କହିଛନ୍ତି। ମିଳିଥିବା ସୂଚନା ଅନୁସାରେ ସନ୍ଦୀପ ରବିବାର ପୂର୍ବାହ୍ନ ୧୧ଟା ବେଳେ ଦୋକାନ ଖୋଲିବାକୁ ଗଲାବେଳେ ଶଟର୍‌ ଆଗରେ ଏକ ବୋର୍ଡ ଢଙ୍କା ହୋଇଥିଲା। ବୋର୍ଡ କାଢିବା ପରେ ଗେଟ୍‌, ଶଟର୍‌ କଟା ହେବା ସହ ଆଗ କାଚ କବାଟ ଭଙ୍ଗା ହୋଇଥିଲା। ସେ ଦୋକାନ ଭିତରେ ପଶି ଚୋରି ହୋଇଥିବା ଜାଣିବାକୁ ପାଇଥିଲେ। ତୁରନ୍ତ ଏନେଇ ପୋଲିସକୁ ଖବର ଦେଇଥିଲେ।

ସୂଚନାଯୋଗ୍ୟ, ଗତ ଅକ୍ଟୋବର ୧୬ରେ ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଜଗନ୍ନାଥ ନଗରରେ ଦୁର୍ବୃତ୍ତମାନେ ଜଣଙ୍କ ଘରେ ପଶି ୫ଲକ୍ଷ ଟଙ୍କାର ଗହଣା ଓ ୪୫ହଜାର ଟଙ୍କା ଚୋରି କରିଥିଲେ। ଏହାର ଦିନକ ପରେ ଲକ୍ଷ୍ମୀସାଗର ଥାନା ବୈରାଗୀ ନଗରରେ ଜିତେନ୍ଦ୍ର ଜେନାଙ୍କ ଘରର ବାଲ୍‌କୋନି କବାଟ ଭାଙ୍ଗି ୫୦୦ଗ୍ରାମ୍‌ ସୁନା ଗହଣା ଓ ୫୦ହଜାର ଟଙ୍କା ଦୁର୍ବୃତ୍ତମାନେ ଲୁଟି ନେଇଥିଲେ। ଉଭୟ ଘଟଣାରେ ପୋଲିସ କୌଣସି ଅଭିଯୁକ୍ତଙ୍କୁ ଏଯାବତ୍‌ ଗିରଫ କରିପାରି ନାହିଁ। ଏବେ ଜୁଏଲର୍ସ ଦୋକାନ ଲୁଟ୍‌ ଘଟଣାରେ ଦୁର୍ବୃତ୍ତଙ୍କୁ ଧରିବା ପୋଲିସ ପାଇଁ ଆଉ ଏକ ଚ୍ୟାଲେଞ୍ଜ ହୋଇଛି।