୮ ହଜାରରୁ ଊର୍ଦ୍ଧ୍ୱ ନିଯୁକ୍ତି ସୁଯୋଗ

ଭୁବନେଶ୍ୱର,୪।୧୨(ବ୍ୟୁରୋ): ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭର ତୃତୀୟ ଦିବସରେ ବିଜ୍ଞାନ ଓ କାରିଗରି ବିଭାଗ ପକ୍ଷରୁ କେତେକ ରାଜିନାମା ସ୍ବାକ୍ଷରିତ ହୋଇଛି ା ବାୟୋଟେକ୍ନୋଲୋଜି କ୍ଷେତ୍ରରେ ବ୍ୟାପକ ବିକାଶ ପାଇଁ ରାଜିନାମାରେ ବ୍ୟବସ୍ଥା ରହିଛି ା ଆବଲ୍‌ (ଆସୋସିଏଶନ୍‌ ଅଫ୍‌ ବାୟୋଟେକ୍ନୋଲୋଜି ଲେଡ୍‌ ଏଣ୍ଟରପ୍ରାଇଜ୍‌), ଗ୍ଲୋବାଲ୍‌ ନେଟ୍‌ୱର୍କ ଅଫ୍‌ ଏଣ୍ଟ୍ରେପ୍ରିନିୟର୍ସ ଆଣ୍ଡ ପ୍ରଫେସନାଲ୍‌ସ ଫର୍‌ ଓଡ଼ିଶା, ହୁୱେଲ୍‌ ଲାଇଫ୍‌ ସାଇନ୍‌ସେସ୍‌, କ୍ରପ୍‌ଜିନି ଇତ୍ୟାଦି ସଂସ୍ଥା ସହ ଏସବୁ ରାଜିନାମା ସ୍ବାକ୍ଷରିତ ହୋଇଛି ା ରାଜ୍ୟରେ ବାୟୋଟେକ୍ନୋଲୋଜି ବିକାଶ ପାଇଁ ଷ୍ଟାର୍ଟଅପ୍‌, ଇନ୍‌କ୍ୟୁବେଶନ୍‌, ଗବେଷଣା, ନେଟ୍‌ୱର୍କିଂ ଇତ୍ୟାଦି ନିମନ୍ତେ ଏହି ସଂସ୍ଥାଗୁଡ଼ିକ ସହଯୋଗ କରିବେ ବୋଲି ରାଜିନାମାରେ ଘୋଷଣା କରାଯାଇଛି ା
ହୁୱେଲ୍‌ ଲାଇଫ୍‌ ସାଇନ୍‌ସେସ୍‌ ୫୦ କୋଟି ଟଙ୍କା ଓ କ୍ରପ୍‌ଜିନି ୫୦୦ କୋଟି ଟଙ୍କା ବିନିଯୋଗ କରିବେ ା ଏହି ନିବେଶ ଫଳରେ ୮୦୦୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ମିଳିପାରିବ ା ପୂର୍ବରୁ ଭାରତ ବାୟୋଟେକ୍‌ ଟିକା ଉତ୍ପାଦନ ପାଇଁ ୫୦୦ କୋଟି ଟଙ୍କା ପୁଞ୍ଜିନିବେଶ କରିଥିବାବେଳେ ଏବେ ପ୍ରକଳ୍ପ ସଂପ୍ରସାରଣ ପାଇଁ ଆଉ ୭୦୦କୋଟି ଟଙ୍କା ନିବେଶ ପାଇଁ ପ୍ରତିଶ୍ରୁତିବଦ୍ଧ ହୋଇଛିି ା ବିଜ୍ଞାନ ଓ କାରିଗରି ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଜ୍ଞାନ ଓ କାରିଗରି ବିଭାଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଯୋଗଦେଇ କହିଥିଲେ ଯେ ଅପରିସୀମ ଜୈବବିବିଧତାରେ ପରିପୂର୍ଣ୍ଣ ଓଡ଼ିଶା। ବାୟୋଟେକ୍ନୋଲୋଜି ବିକାଶ ପାଇଁ ଅନନ୍ୟ ା ମିଲେଟ୍‌ ମିଶନର ସଫଳତାର ଦୃଷ୍ଟାନ୍ତ ଦେଇ ମନ୍ତ୍ରୀ ପଣ୍ଡା କହିଲେ, ବାୟୋଟେକ୍ନୋଲୋଜି ମାଧ୍ୟମରେ ସ୍ବାସ୍ଥ୍ୟଠାରୁ ଆରମ୍ଭ କରି ଖାଦ୍ୟ ନିରାପତ୍ତା ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ଅନେକ ସମସ୍ୟାର ସମାଧାନ କରାଯାଇପାରିବ। ରାଜ୍ୟ ଶିଳ୍ପନୀତି-୨୦୨୨ରେ ବାୟୋଟେକ୍ନୋଲୋଜିକୁ ଏକ ପ୍ରମୁଖ କ୍ଷେତ୍ର ଭାବରେ ଚିହ୍ନଟ କରାଯାଇଛି ା ରାଜ୍ୟ ସରକାର ବାୟୋଟେକ୍ନୋଲୋଜି ନୀତି, ଷ୍ଟାର୍ଟଅପ୍‌ ନୀତି ପ୍ରଣୟନ କରିଛନ୍ତି ା ଏସବୁ ନୀତି, ଶିଳ୍ପ-ଶିକ୍ଷାନୁଷ୍ଠାନର ମିଳିତ ଉଦ୍ୟମ ଓ ସହଯୋଗ ସମ୍ପନ୍ନ ପରିବେଶ, ଆଧୁନିକ ଶିଳ୍ପ ସୁବିଧାକୁ ଆଧାର କରି ବାୟୋଟେକ୍ନୋଲୋଜି କ୍ଷେତ୍ରରେ ବ୍ୟାପକ ବିକାଶ ପାଇଁ ଅନୁକୂଳ ସୁଯୋଗ ରହିଛି ବୋଲି ମନ୍ତ୍ରୀ କହିଛନ୍ତି ା ବିଭାଗୀୟ ଶାସନ ସଚିବ ଭାସ୍କର ଜ୍ୟୋତିଶର୍ମା ଓ ଯୁଗ୍ମ ଶାସନ ସଚିବ ପୂଜା ମିଶ୍ର ବକ୍ତବ୍ୟ ରଖିଥିଲେ ା ଉପନିର୍ଦ୍ଦେଶକ ଶଶିକାନ୍ତ ଦାସ ଓ ବରିଷ୍ଠ ବୈଜ୍ଞାନିକ ଲକ୍ଷ୍ମୀନାରାୟଣ ପାଢ଼ୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ା କାର୍ଯ୍ୟକ୍ରମ ପରେ ଦୁଇଟି ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା ା