୫୦ ହଜାରରୁ ଊର୍ଦ୍ଧ୍ୱ ନୂତନ ନିଯୁକ୍ତି ଦେବ ଗଣଶିକ୍ଷା ବିଭାଗ

ଭୁବନେଶ୍ୱର, ୧୪ା୩(ବ୍ୟୁରୋ):ରାଜ୍ୟରେ ଥିବା ଶିକ୍ଷାନୁଷ୍ଠାନ, ଛାତ୍ରୀଛାତ୍ର ଓ ଶିକ୍ଷାଦାନ ସମ୍ପ୍ରଦାୟର ସାମଗ୍ରିକ ବିକାଶ ପାଇଁ ୨୨,୫୨,୭୮୦.୨୩ ଲକ୍ଷ ଟଙ୍କାର ବ୍ୟୟବରାଦ କରାଯାଇଛି। ସେଥିମଧ୍ୟରୁ ପ୍ରଶାସନିକ ଖର୍ଚ୍ଚ ପାଇଁ ୧୨,୮୬,୨୮୪.୨୩ ଲକ୍ଷ ଓ କାର୍ଯ୍ୟକ୍ରମ ଖର୍ଚ୍ଚ ବାବଦକୁ ୯,୬୬,୪୯୬ ଲକ୍ଷ ଟଙ୍କା ରହିଛି। ସୋମବାର ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବାର୍ଷିକ ବଜେଟ ବିଷୟରେ ସୂଚନା ଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହା କହିଛନ୍ତି। ସେ କହିଛନ୍ତି, ଚଳିତ ବଜେଟ ୨୦୨୨-୨୩ ଆର୍ଥିକ ବର୍ଷ ତୁଳନkରେ ପ୍ରାୟ ୫% ଅଧିକ ରହିଛି। ବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ୫୦ ହଜାରରୁ ଊର୍ଦ୍ଧ୍ୱ ନୂତନ ନିଯୁକ୍ତି ପ୍ରଦାନ କରାଯିବ। ଏଥିସହ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଆଉ ୨୩୬ଟି ଛାତ୍ରାବାସ ନୂତନ ଭାବେ ନିର୍ମାଣ ହେବ। ଗତ ଆର୍ଥିକ ବର୍ଷରେ ସ୍କୁଲ ୟୁନିଫର୍ମ ଓ ଅନ୍ୟାନ୍ୟ ସହାୟକ ସାମଗ୍ରୀ ପାଇଁ ପୂର୍ବରୁ ପ୍ରତି ଛାତ୍ରୀଛାତ୍ରଙ୍କୁ ୬୦୦ଟଙ୍କା ଲେଖାଏ ପ୍ରଦାନ କରାଯାଉଥିବା ବେଳେ ଏବେ ତାହାକୁ ୧୦୦୦ଟଙ୍କା କରିବାକୁ ପ୍ରସ୍ତାବ ରହିଛି। ଏହି ଯୋଜନା ନିମନ୍ତେ ୨୩,୪୪୬ ଲକ୍ଷ ଟଙ୍କାର ବ୍ୟୟବରାଦ କରାଯାଇଛି। ସରକାରୀ ଓ ପୂର୍ଣ୍ଣ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ପାଇଁ ନୋଟ୍‌ବୁକ୍‌ର ବ୍ୟବସ୍ଥା କରାଯାଇଛି। ସେହିପରି ଶିକ୍ଷାନୁଷ୍ଠାନଗୁଡ଼ିକର ଭିତ୍ତିଭୂମିରେ ସର୍ବାଙ୍ଗୀନ ଉନ୍ନତି ପାଇଁ ୨୦୨୩-୨୪ ବଜେଟ୍‌ରେ ୨୭୭୮.୨୫ କୋଟି ଟଙ୍କାର ପ୍ରାବଧାନ କରାଯାଇଛି। ପ୍ରାଥମିକ ଶିକ୍ଷାନୁଷ୍ଠାନ ଭିତ୍ତିଭୂମି ନିମନ୍ତେ ୧୭୦୦ଲକ୍ଷ, ସୈନିକ ସ୍କୁଲ ନିର୍ମାଣ ପାଇଁ ୮୫୦ଲକ୍ଷ, ମାଧ୍ୟମିକ ଶିକ୍ଷାନୁଷ୍ଠାନ ଭିତ୍ତିଭୂମି ପାଇଁ ୨,୬୫୦ଲକ୍ଷ ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷାନୁଷ୍ଠାନର ଭିତ୍ତିଭୂମି ପାଇଁ ୬,୮୦୦ଲକ୍ଷ ଓ ଶିକ୍ଷକ ପ୍ରଶିକ୍ଷଣ ଅନୁଷ୍ଠାନ ପାଇଁ ୧୦୦ଲକ୍ଷ ଟଙ୍କାର ବ୍ୟୟବରାଦ ରହିଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। ଚଳିତ ଆର୍ଥିକ ବର୍ଷ ପାଇଁ ଗଣଶିକ୍ଷା ବିଭାଗ ଅଧୀନରେ ୫୧,୫୩୫ ଏବଂ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପାଇଁ ୧,୦୭୦ ଶିକ୍ଷକ ନିଯୁକ୍ତି ନିମନ୍ତେ ୧୦୪୫.୦୦ କୋଟି ଟଙ୍କା ପ୍ରଦାନ କରାଯାଇଛି। ଅଧାରୁ ପାଠ ଛାଡ଼ିଥିବା ଛାତ୍ରୀଛାତ୍ରଙ୍କ ପାଇଁ ନ୍ୟୁ ଇଣ୍ଡିଆ ଲିଟେରାସି ପ୍ରୋଗ୍ରାମରେ ୭୧୫.୬୨ଲକ୍ଷ ଟଙ୍କାର ବ୍ୟୟବରାଦ କରାଯିବା ସହ ୧୦୬ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନୂତନ ଭାବେ ନିର୍ମାଣ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ବିଭାଗୀୟ ସଚିବ ଅଶ୍ୱଥୀ ଏସ୍‌. ନୂଆ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ। ହାଇସ୍କୁଲ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୫୦ ହଜାରରୁ ଅଧିକ ଶିକ୍ଷକ ନିଯୁକ୍ତି ମାଧ୍ୟମରେ ଖାଲିଥିବା ପଦବୀ ପୂରଣ କରିବାକୁ ସରକାର ପ୍ରାଥମିକତା ଦେଉଥିବା ସଚିବ କହିଛନ୍ତି।