୧୦ ହଜାରରୁ ଅଧିକ ବିମାନ ବାତିଲ

ଓ୍ବାଶିଂଟନ,୧୬ା୧୧: ଆମେରିକାରେ ତୃତୀୟ ଦିନ ପାଇଁ ବିମାନସେବା ପ୍ରଭାବିତ ହୋଇଛି। ୧୦ ହଜାରରୁ ଅଧିକ ବିମାନ ବାତିଲ ହୋଇଥିବା ସୂଚନା ମିଳିଛି। ୨୩୦୦ ବିମାନ ବାତିଲ ହୋଇଥିବା ବେଳେ ୭୭୦୦ ବିମାନ ବିଳମ୍ବିତ ହୋଇଛି। ଆସନ୍ତାକାଲି ସୁଦ୍ଧା ସେବା ସାଧାରଣ ହେବା ନେଇ ସଚିବ ସିନ ଡଫିଙ୍କ ସୂଚନାରୁ ଜଣାପଡ଼ିଛି।

ବିମାନ ଚଳାଚଳ ତଥ୍ୟ ଟ୍ରାକର ‘ଫ୍ଲାଇଟ୍ଆୱେର୍’ ଅନୁଯାୟୀ, ରବିବାର ସାରା ଦେଶରେ ୨,୩୦୦ରୁ ଅଧିକ ବିମାନ ବାତିଲ ହୋଇଥିବା ବେଳେ ପ୍ରାୟ ୭,୭୦୦ ବିମାନ ବିଳମ୍ବରେ ଚଳାଚଳ କରିଥିଲା। ଶନିବାର ଏୟାରଲାଇନ୍ସଗୁଡ଼ିକ ୬,୪୦୦ରୁ ଅଧିକ ବିମାନ ବାତିଲ କରିବା ସହ ୮,୦୦୦ରୁ ଅଧିକ ବିମାନ ବିଳମ୍ବିତ ହେବା ପରେ ରବିବାର ଏହି ଅଚଳାବସ୍ଥା ଆହୁରି ଜଟିଳ ହୋଇପଡ଼ିଥିଲା।

ଡଫି କହିଛନ୍ତି ଯେ, ତଦନ୍ତକାରୀମାନେ ଏପର୍ଯ୍ୟନ୍ତ ଏହାର ମୂଳ କାରଣ ଜାଣିପାରି ନ ଥିଲେ ମଧ୍ୟ ଏହି ବାଧା ପଛରେ କୌଣସି ସାଇବର ଆକ୍ରମଣ କିମ୍ବା ଜାଣିଶୁଣି କରାଯାଇଥିବା ଷଡ଼ଯନ୍ତ୍ରର ପ୍ରମାଣ ମିଳିନାହିଁ। ସେ ଆହୁରି କହିଛନ୍ତି ଯେ, ଫେଡେରାଲ୍ ଏଭିଏସନ୍ ପ୍ରଶାସନ ପାଇଁ ଯାତ୍ରୀଙ୍କ ସୁରକ୍ଷା ସର୍ବୋପରି ରହିଥିବା ବେଳେ ସୋମବାର ସୁଦ୍ଧା ବିମାନ ଚଳାଚଳ ସ୍ୱାଭାବିକ ହେବାର ଆଶା କରାଯାଉଛି।

ରବିବାର ସବୁଠାରୁ ଅଧିକ ପ୍ରଭାବିତ ଏୟାରଲାଇନ୍ସ ମଧ୍ୟରେ ‘ଜେଟ୍ ବ୍ଲୁ’ (JetBlue) ରହିଥିଲା, ଯାହା ଏହାର ୨୮ ପ୍ରତିଶତ ଉଡ଼ାଣ ବାତିଲ କରିଥିଲା। ଏହା ପଛକୁ ‘ଆମେରିକାନ୍ ଏୟାରଲାଇନ୍ସ’ (American Airlines) ୧୭ ପ୍ରତିଶତ ଉଡ଼ାଣ ବାତିଲ କରିଥିଲା। ସେହିପରି ୟୁନାଇଟେଡ୍ ଏୟାରଲାଇନ୍ସ, ସାଉଥ୍‌ୱେଷ୍ଟ ଏବଂ ଡେଲ୍ଟା ସେମାନଙ୍କର ନିର୍ଦ୍ଧାରିତ ଉଡ଼ାଣ ମଧ୍ୟରୁ ୩ରୁ ୫ ପ୍ରତିଶତ ବାତିଲ ହୋଇଥିବା ସୂଚନା ଦେଇଛନ୍ତି।

Dharitri – Odisha’s No.1 Odia Daily

Share