କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବେଲଖଣ୍ଡି ଗ୍ରାମର କଲୋନୀରେ ଏକ ଭୋଜି ଭାତ ଖାଇ ଶତାଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି।
ସୂଚନାଯୋଗ୍ୟ, ବେଲଖଣ୍ଡି ଗ୍ରାମର କଲୋନୀପଡ଼ାର ସୁବାସ ଛତ୍ରିଆଙ୍କ ଘରେ ଗତ ରବିବାର ପୂର୍ବାହ୍ନରେ ଏକ ଭୋଜିର ଆୟୋଜନ ହୋଥିଲା। ସୁବାସ ତାଙ୍କର ଆଖପାଖ ଅଞ୍ଚଳର ଶତାଧିକ ବନ୍ଧୁ ବାନ୍ଧବ ଓ ପରିଜନଙ୍କୁ ନିମନ୍ତ୍ରଣ କରିଥିଲେ। ରବିବାର ଭୋଜିରେ ଚିକେନ, ମାଛ ଓ ଦହି ବାଇଗଣ ରାଇତା ହୋଇଥିଲା। ମନ ପସନ୍ଦ ଅନୁସାରେ ଯିଏ ଯାହା ଖାଇ ଯିଏ ଯାହା ଘରକୁ ଯାଇଥିଲେ। ରବିବାର ରାତିରୁ ପ୍ରାୟ ଶତାଧିକ ଲୋକେ ଝାଡ଼ାବାନ୍ତି ହୋଇଥିଲା। ସ୍ଥାନୀୟ ସରପଞ୍ଚ ସୁଶାନ୍ତ ବାଗ ବେଲଖଣ୍ଡି ସ୍ବାସ୍ଥ୍ୟକେନ୍ଦ୍ରକୁ ଖବର ଦେଇଥିଲେ। କିନ୍ତୁ ବିଳମ୍ବରେରେ ପହଞ୍ଚି ଠିକ ଭାବେ ଚିକିତ୍ସା କରି ନ ଥିବାରୁ ବୁଧବାର ଅନୁଷ୍ଠିତ ସମିତି ମିଟିଂରେ ଅଭିଯୋଗ କରିଥିଲେ॥ କିନ୍ତୁ ହସ୍ପିଟାଲରେ ଶତାଧିକ ଲୋକଙ୍କୁ ଚିକିତ୍ସା କରିବା ପାଇଁ ଜାଗା ନ ଥିବାରୁ କର୍ଲାମୁଣ୍ଡା,ଏମ୍.ରାମପୁର ଓ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ନିଆଯାଇଛି। କିନ୍ତୁ ବେଲଖଣ୍ଡି ହସ୍ପିଟାଲର ଡାକ୍ତରୀ ଦଳ ଉକ୍ତ ଗ୍ରାମକୁ ଯାଇ ଥିଲେ। କିନ୍ତୁ ରୋଗୀଙ୍କୁ ଉପଯୁକ୍ତ ଭାବେ ଚିକିତ୍ସା ନ କରି ଫେରି ଆସିଥିବାରୁ ବୁଧବାର ଅନୁଷ୍ଠିତ ପଞ୍ଚାୟତ ସମିତି ମିଟିଂରେ ବେଲଖଣ୍ଡି ସରପଞ୍ଚ ସୁଶାନ୍ତ ବାଗ ଅଭିଯୋଗ କରି ପ୍ରସ୍ତାବ ଆଗତ କରିଥିଲେ। ଏହାର ପ୍ରଶ୍ନର ଉତ୍ତରରେ ବେଲଖଣ୍ଡି ହସ୍ପିଟାଲର ମେଡିକାଲ ଅଫିସର ଡ.ପ୍ରତିଭା ରାୟ କହିଲେ ଯେ, ପ୍ରାଥମିକ ଚିକିତ୍ସା କରାଯାଇଥିଲା। ରୋଗୀ ସଂଖ୍ୟା ଅଧିକ ହେବାରୁ ବିଭିନ୍ନ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ବୋଲି ପ୍ରକାଶ କରିଥିଲେ। କିନ୍ତୁ ଦୀର୍ଘ ୪ ଦିନ ଧରି ଝାଡ଼ାବାନ୍ତି ଲାଗି ରହିଥିବାରୁ ବୁଧବାର ପାଷ୍ଟିକୁଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ଭବାନୀପାଟଣା ଏକ ମେଡିକାଲ ଟିମ୍ ଉକ୍ତ ଗ୍ରାମରେ ପହଞ୍ଚି ବର୍ତ୍ତମାନ ଉକ୍ତ ଗ୍ରାମରେ ଚିକିତ୍ସା କରାଯାଉଥିବାର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି। ବର୍ତ୍ତମାନ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଲୀଳାବତୀ ତାଣ୍ଡି (୪୩) ବିନୋଦିନି ତାଣ୍ଡି (୫୯), ସମୀକ୍ଷା ନାଏକ(୨୨), କୁମୁଦିନି ଛତଆ (୫୬)ଙ୍କୁ ମିଶାଇ ୧୨ ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି।
ଏ ସଂକ୍ରାନ୍ତରେ ବେଲଖଣ୍ଡି ହସ୍ପିଟାଲର ମେଡିକାଲ ଅଫିସର ଡ.ପ୍ରତିଭା ରାୟଙ୍କୁ ପଚାରିବାରୁ ଫୁଡ଼୍ ପଏଜନ ହୋଇଛି ବୋଲି ପ୍ରକାଶ କରିଥିଲେ।


