ଯାଜପୁରରୁ ଆସି ନିଶ୍ଚିନ୍ତକୋଇଲିରେ ଉପଦ୍ରବ କଲା ହାତୀ, ୧୦୦ ହେକ୍ଟରରୁ ଅଧିକ ଧାନଜମି ନଷ୍ଟ

ନିଶ୍ଚିନ୍ତକୋଇଲି,୨୩ା୧୦(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ଫଗୋଳ, ଜିଗ୍ନିପୁର,ଜୟରାମପୁର ଓ ରାମକୃଷ୍ଣପୁର ପଞ୍ଚାୟତ ସଂଲଗ୍ନ ଥିବା ହାଡ଼ଖାଇ ପାଟ ଧାନ କ୍ଷେତରେ ଶନିବାର ସକାଳୁ ଏକ ବଣୁଆ ହାତୀକୁ ଦେଖିବାକୁ ମିଳିଥିଲା। ତେବେ ସକାଳୁ ହାତୀକୁ ଦେଖି ବିଭିନ୍ନ ଗ୍ରାମର ଚାଷୀମାନେ ଧାନ କ୍ଷେତରୁ ଘଉଡ଼ାଇବା ପାଇଁ ଚେଷ୍ଟା କରିଥିଲେ। ତେବେ ହାତୀଟି ଲୋକଙ୍କୁ ଦେଖି ଅଧିକ ହିଂସ୍ର ହୋଇ ସେମାନଙ୍କୁ ଆକ୍ରମଣ କରିବା ପାଇଁ ଗୋଡ଼ାଇଥିଲା। ଫଳରେ ଏହି ପାଟରେ ଥିବା ୧୦୦ ହେକ୍ଟରୁ ଅଧିକ ଧାନ କ୍ଷେତକୁ ଦଳି ଚକିଟି ନଷ୍ଟ କରିଦେଇଥିଲା। ସ୍ଥାନୀୟ ଲୋକପ୍ରତିନିଧି ହାତୀର ଏପରି ହିଂସ୍ର ରୂପ ଦେଖି କଟକ ବନ ବିଭାଗକୁ ଅବଗତ କରାଇଥିଲେ। ଏହାପରେ କଟକ,ଯାଜପୁର,ଜଗତସିଂହପୁର ଜିଲାର ବନ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ହତୀ କିପରି ଜନବସତି ଆଡ଼କୁ ନ ଆସିବ ସେନେଇ ତାକୁ ଘେରାବନ୍ଦୀ କରିବା ସହ ଲୋକମାନଙ୍କୁ ହାତୀକୁ ନ ଘଉଡ଼ାଇବା ପାଇଁ ନିବେଦନ କରିଥିଲେ। ବନ ବିଭାଗ ପକ୍ଷରୁ ଆଖ ପାଖ ପଞ୍ଚାୟତରେ ଘରୁ ନ ବାହାରିବା ପାଇଁ ଡାକବାଜି ଯନ୍ତ୍ର ସାହାଯ୍ୟରେ ପ୍ରଚାର କରାଯିବା ସହ ଜିଗ୍ନିପୁର ଅଞ୍ଚଳର କେତୋଟି ସ୍ଥାନରେ ବିଦ୍ୟୁତ୍‌ ବିଭାଗ ପକ୍ଷରୁ ବିଦ୍ୟୁତ୍‌ ବିଚ୍ଛିନ୍ନ କରାଯାଇଥିଲା। ସମ୍ପୃକ୍ତ ୩ଟି ପଞ୍ଚାୟତରର ଲୋକ ପ୍ରତିନିଧିମାନେ ସାଧାରଣ ହାତୀ ପାଖକୁ ନ ଯିବା ପାଇଁ ଗ୍ରାମବାସୀଙ୍କୁ ନିବେଦନ କରିଥିଲେ।
ସନ୍ଧ୍ୟା ପରେ ବନ ବିଭାଗ ଏନେଇ ଏକ ସ୍ବତନ୍ତ୍ର କୌଶଳ ମାଧ୍ୟମରେ ହାତୀ ଘଡ଼ଡାଇବ ବୋଲି ପ୍ରସ୍ତୁତି ଚଳାଇଥିବା ଜଣାଯାଇଛି।

ନିଶ୍ଚିନ୍ତକୋଇଲି ଓ ସାଲେପୁର ଥାନାର ବରିଷ୍ଠ ଅଧିକାରୀମାନେ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ରହିଥିବା ଜଣାଯାଇଛି। ଚାଷୀ ପର୍ଶୁରାମ ରାଉତ କୁହନ୍ତି, ଆଜି ସକାଳୁ ବିଲକୁ ଯିବା ସମୟରେ ବିଲ ଭିତରେ ହାତୀକୁ ଦେଖି ଆମେ ଭୟଭୀତ ହୋଇଥିଲୁ । ପ୍ରଥମ ଥର ବଣୁଆ ହାତୀକୁ ବିଲରେ ଦେଖିବାକୁ ପାଇଛୁ। ତେଣୁ ସରକାର ତୁରନ୍ତ ହାତୀ ଘଉଡ଼ାଇବାର ବ୍ୟବସ୍ଥା କରନ୍ତୁ। ଭୂବନମୋହନ ଭୂୟାଁ କୁହନ୍ତି, ହାତୀ ଧାନ କ୍ଷେତ ନଷ୍ଟ କରିବା ସହ କ୍ରମଶ ହିଂସ୍ର ହୋଇ ଜନବସତି ମୁହାଁ ହେଉଛି। ହାତୀଟି ଯାଜପୁର ଜିଲା ଡାଳିଜୋଡା ଅଞ୍ଚଳରୁ ଆସିଥିବା ଜଣାଯାଇଛି।