ସବୁଜ ବନାନୀ କାଟି ମୋରମ ଚାଲାଣ

ଚଣ୍ଡିଖୋଲ,୬ା୧(ଡି.ଏନ୍‌.ଏ.): ଯାଜପୁର ଜିଲା ଦର୍ପଣ ତହସିଲ ଅନ୍ତର୍ଗତ ଅସିଆ ପର୍ବତମାଳାର ଅଂଶବିଶେଷ ଧାଉଡିଆପଦା ପାହାଡ଼। ଏହି ପାହାଡ଼ର କୌଣସି ଅଂଶ ଲିଜ୍‌ ଦିଆଯାଇ ନ ଥିବା ବେଳେ ପ୍ରତିଦିନ ଶତାଧିକ ଟ୍ରିପ୍‌ ମୋରମ ବେଆଇନ ଭାବେ ଚାଲାଣ ହେଉଛି। ବିଳମ୍ବିତ ରାତିରେ ଏହି ପାହାଡ଼ରେ ଖନନ ଚାଲିଛି। ଭୋର ସମୟରେ ସେହି ମୋରମକୁ ବାହାରକୁ ଚାଲାଣ କରାଯାଉଛି। ଏପରିକି ବନ ବିଭାଗ ତରଫରୁ ବନୀକରଣ କରାଯାଇଥିବା ସ୍ଥାନରୁ ଗଛସବୁ କାଟି ମୋରମ ଉତ୍ତୋଳନ କରାଯାଉଛି। ଯେଉଁଠି ଦିନେ ସବୁଜ ବନାନୀ ସୃଷ୍ଟି ହୋଇଥିଲା, ସେଠାରେ ଏବେ ୫୦ ଫୁଟ ଗଭୀରର ପୋଖରୀ ସୃଷ୍ଟି ହୋଇଛି।
ଏପରି ମୋରମ ଚାଲାଣ ଯୋଗୁ ବିଶ୍ୱପ୍ରସିଦ୍ଧ ବୌଦ୍ଧପୀଠ ଉଦୟଗିରି ପ୍ରତି ବିପଦ ସୃଷ୍ଟି ହୋଇଛି। ଉଦୟଗିରି ବୌଦ୍ଧବିହାର ପାଚେରି ସୀମାରେ ଏଭଳି ଖନନ ଚାଲିଛି। ବୌଦ୍ଧ ଗବେଷକଙ୍କ ମତରେ ସେଠାରେ ବୌଦ୍ଧଭିକ୍ଷୁମାନେ ସୂର୍ଯ୍ୟ ଉପାସନା କରୁଥିଲେ। ସେଥିପାଇଁ ଧାଉଡିଆପଦା ପାହାଡ଼ର ପ୍ରାକୃତିକ ସୌନ୍ଦର୍ଯ୍ୟ ଅତିବ ମନୋରମ ଥିଲା। ଦେଶ ବିଦେଶର ପର୍ଯ୍ୟଟକମାନେ ଉଦୟଗିରି ଓ ରତ୍ନଗିରି ପରିଦର୍ଶନ କରି ଫେରିବା ବେଳେ ଧାଉଡିଆପଦା ପାହାଡର ମନୋମୁଗ୍ଧକର ଶୋଭା ସେମାନଙ୍କୁ ଆକୃଷ୍ଟ କରୁଥିଲା। ଏବେ ମାଫିଆଙ୍କ କବ୍‌ଜାରେ ଥିବା ଏହି ପାହାଡ଼ରୁ ଭଲ ମୋରମ ବାହାରୁ ଥିବାରୁ ଏହାକୁ ମୋଟା ଅଙ୍କରେ ବିକ୍ରୟ କରାଯାଉଛି। ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ଏକଥା ଜାଣିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବାରୁ ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି।
ପ୍ରତିଦିନ ଟ୍ରକରେ ମୋରମ ଚୋରାଚାଲାଣ ଚାଲିଛି। ଗୋଟିଏ ଟ୍ରକ ମୋରମର ଦାମ ୩୦ରୁ ୫୦ ହଜାର ଟଙ୍କାରେ ବିକ୍ରି କରାଯାଉଛି। ଯାଜପୁର ଜିଲା ସମେତ କେନ୍ଦ୍ରାପଡା, ଜଗତ୍‌ସିଂହପୁର ଓ କଟକ ଜିଲାର ଗ୍ରାମାଞ୍ଚଳକୁ ଚୋରା ଚାଲାଣର ଚେର ଲମ୍ବିଛି। ଏହି ପାହାଡ଼ର ୫ ଏକର ପରିମିତ ସ୍ଥାନରେ ବଡ଼ ବଡ଼ ଖାଦାନ ସୃଷ୍ଟି କରାଯାଇ ମୋରମ ଚାଲାଣ ଚାଲିଛି। ଲଘୁ ଖଣିଜ ଦ୍ରବ୍ୟ ଚୋରା ଚାଲାଣକୁ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ସମୟରେ ସ୍କ୍ବାଡ୍‌ ଗଠନ କରାଯାଇ ଚଢାଉ କରାଯାଉଥିବା ବେଳେ ଧାଉଡିଆପଦା ପାହାଡରୁ ମୋରମ ମାଫିଆମାନେ ବେଧଡକ ଭାବେ ଏପରି ଚୋରାଚାଲାଣ ଜାରି ରଖିଛନ୍ତି। ଫଳରେ ବହୁ କୋଟି ଟଙ୍କାର ରାଜସ୍ବ କ୍ଷତି ଘଟୁଛି ବୋଲି ସ୍ଥାନୀୟ ଲୋକେ କହିଛନ୍ତି।
ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ତରଫରୁ ୨୦୦୬ରେ ଉଦୟଗିରିରେ ବିଶ୍ୱ ଐତିହ୍ୟ ସପ୍ତାହ ପାଳନ କରାଯାଇଥିଲା। ସେଥିରେ ଯୋଗ ଦେଇଥିବା ପ୍ରତ୍ନତତ୍ତ୍ୱବିତ୍‌ମାନେ ପାହାଡ଼ ଖନନ ନ କରିବାକୁ ପରାମର୍ଶ ଦେଇଥିଲେ। ଅନ୍ୟପକ୍ଷେ ଆଗାମୀ ଦିନରେ ହୀରକ ତ୍ରିଭୁଜ (ଲଳିତଗିରି-ଉଦୟଗିରି-ରତ୍ନଗିରି)କୁ ବିଶ୍ୱ ଐତିହ୍ୟରେ ସ୍ଥାନ ଦେବାକୁ ହେଲେ ଏହାର ପାରିପାର୍ଶ୍ୱିକ ସବୁଜ ବନାନୀ ସୃଷ୍ଟି କରାଯିବା ଆବଶ୍ୟକ। ହେଲେ ଜିଲା ପ୍ରଶାସନ ବେଆଇନ ପାହାଡ଼ ଖନନକୁ ପ୍ରୋତ୍ସାହନ ଦେଉଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ଦର୍ପଣ ତହସିଲଦାର ବରେଣ୍ୟେନ୍ଦୁ ମହାନ୍ତିଙ୍କୁ ପଚାରିବାରେ ସେ କୁହନ୍ତି, ପୂର୍ବରୁ ଏପରି ମୋରମ ଚୋରାଚାଲାଣକୁ ବନ୍ଦ କରିବା ପାଇଁ ବାରମ୍ବାର ସେଠାରେ ଚଢ଼ାଉ ହୋଇଛି। ଧରାପଡିଥିବା ଟ୍ରକଗୁଡିକରୁ ଜରିମାନା ଆଦାୟ କରାଯାଇଛି। ତଥାପି ଯଦି ଖନନ ଚାଲିଛି, ସେଠାରେ ଚଢ଼ାଉ କରାଯିବ ବୋଲି ସେ କହିଛନ୍ତି।