ଜହ୍ନ ଓ ଶୈଶବ

ଜହ୍ନ ଗୋଟେ ନାଆ ନୁହେଁ, ଜହ୍ନ ଗୋଟେ ଗାଁ। ସେ ଆମ ହସ ଲୁହରୁ ଆରମ୍ଭ କରି ପ୍ରେମ ପ୍ରଣୟର ଏକ ସାମଗ୍ରିକ ଜୀବନ୍ତ ରୂପଚିତ୍ର କହିଲେ ଅତ୍ୟୁକ୍ତି ହେବ ନାହିଁ। ସେ ଆମ ସ୍ମୃତି ବିସ୍ମୃତିର ବନଫୁଲ, ଯାହାକୁ ନାଇ କୁଆଁରୀଟିଏ ଅନୁଭବ କରେ ତା’ ଆଦ୍ୟ ଯୌବନର ଆଦିମ ଶିହରଣ। ଯାହାକୁ ନାଇ ଆମ ସୁଲଳିତ ଶୈଶବ କୋପଦୃଷ୍ଟିର କୁପ୍ରଭାବରୁ ମୁକ୍ତ ହୁଏ। ସେ ଆମ ଅନ୍ତୁଡ଼ିର କୁଆଁ କୁଆଁ ସ୍ବରରେ ସ୍ବର ମିଶାଏ, ଆମ ଅନ୍ତିମ ଅନଳର ସାକ୍ଷୀ ହୁଏ। ସେ ଶୈଶବର ମାମୁ, ସେ ଯୌବନର ପ୍ରେମିକା। ସେ ଅନୁପମ, ସେ ଅନୁପମା, ସେ ନିରୁପମ, ସେ ନିରୁପମା । ଜହ୍ନକୁ ନେଇ ଏତେ ଭାବବିହ୍ବଳ ହେବାର ପ୍ରକାରାନ୍ତରେ ରହିଛି ଏକ ପ୍ରାଚୀନ ତଥା ପ୍ରମୁଖ କାରଣ। ତାହା ହେଲା ଜହ୍ନ ସହ ଆମ ଗ୍ରାମ୍ୟ ଜୀବନର ଏକ ଚିର ଅମଳିନ ଅମୃତ ସମ୍ପର୍କ। ପୁଣି ଏହି ଗ୍ରାମ୍ୟଜୀବନ ଭିତରେ ଶୈଶବ ସହିତ ଜହ୍ନର ଯେ ଏକ ମୁକ୍ତ ଓ ଅନାବିଳ ସ୍ନେହର ବୈଭବୀ ବନ୍ଧନ ଥିଲା ତାହା କଦାଚିତ୍‌ ଅସ୍ବୀକାର କରାଯାଇପାରେନା। ଆମ ପରମ୍ପରାରେ ସ୍ଥାନିତ ଅଧିକାଂଶ ପର୍ବପର୍ବାଣିରେ ଜହ୍ନ ସର୍ବଦା ଏକ ସ୍ବତନ୍ତ୍ର ସ୍ଥାନ ଗ୍ରହଣ କରିଆସିଛି। ଶୈଶବର ଚରମ ଅଝଟପଣର ପ୍ରଶମନ ନିମନ୍ତେ ଜହ୍ନ ଥିଲା ଏକ ଅପୂର୍ବ ଔଷଧି।
ମାଆଙ୍କ କଣ୍ଠରୁ ଭାସି ଆସୁଥିବା ‘ଆ ଜହ୍ନ ମାମୁ ଶରଦ ଶଶି ମୋ କାହ୍ନୁ ହାତରେ ପଡ଼ରେ ଖସି’- ଏହି ପଦୁଟିଏ ସମ୍ବୋଧନରେ ଆମ ଶିଶୁପ୍ରାଣରେ ଝରାଇ ଦେଉଥିଲା ଅମୃତର ନିିର୍ଝର। ଏହି ପଦୁଟିଏ ସମ୍ବୋଧନରେ ଜହ୍ନ ଆସି ମାଆ ପଣତରେ ଦୋଳି ଖେଳୁଥିଲା। ଜହ୍ନକୁ ହାତପାହାନ୍ତାରେ ପାଇ ଶୈଶବର ଆନନ୍ଦ ବହୁଗୁଣିତ ହୋଇଯାଉଥିଲା। ଜହ୍ନ ସହିତ ଲୁଚକାଳି ଖେଳୁଥିଲୁ, ସ୍ନେହରେ ଜହ୍ନକୁ ଚୁମା ଦେଉଥିଲୁ। ତେଣୁ ସ୍ବଚ୍ଛନ୍ଦରେ କୁହାଯାଇପାରେ ଜହ୍ନ ସହିତ ଶୈଶବର ଏମନ୍ତ ଅନନ୍ୟ ସମ୍ପର୍କ ଶିଶୁପ୍ରାଣରେ ନବୋନ୍ମୁଖୀ ଆବେଗର ସଞ୍ଚରଣ ସହିତ ଆବେଗିକ ଭାରସାମ୍ୟ ରକ୍ଷାରେ ସାହାଯ୍ୟ କରୁଥିଲା। ଏତାଦୃଶ ଆନନ୍ଦର ଉପଲବ୍ଧି ତା’ ପରେ ଏ ପର୍ଯ୍ୟନ୍ତ ମିଳିନାହିଁ ବୋଲି ମନେହୁଏ।
ମାଆ ଯେତେବେଳେ ଆମକୁ ମୁଣ୍ଡରେ କଳାଟିକା ଘିନେଇବାରେ ସଜଳ ପ୍ରସ୍ତୁତି ପଥେ ଅଗ୍ରସର ହେଉଥିଲେ, ଆମ ଅଝଟପଣରୁ ମୁକ୍ତି ନିମନ୍ତେ ମାଆ ଜହ୍ନକୁ ଏହା କହି ନିମନ୍ତ୍ରଣ କରୁଥିଲେ-‘ଏ ଜହ୍ନ ଆ ଆ ମୋ କୁନା ମୁଣ୍ଡରେ ଆସି ବସିଯା !’ ଆମ ଶୈଶବର ମୁକ୍ତ ଚେତନାର ଦିଗ୍‌ବଳୟରେ ସତେଯେମିତି ଉଇଁ ଆସୁଥିଲା ଜହ୍ନ। ବେଳେବେଳେ ମାଆ ବାପାଙ୍କ ସହିତ ରାତିରେ ମେଳା ବୁଲି ଗଲେ ଜହ୍ନ ଆମ ସହିତ ଯାଉଥିଲା। ସେତିକିବେଳେ ମନରେ ଆନନ୍ଦ କହିଲେ ନ ସରେ। ବାପା ମାଆଙ୍କୁ କେତେ କେତେ ପ୍ରଶ୍ନ, ପୁଣି ଶିଶୁ ହୃଦୟରେ ନବ ଉନ୍ମାଦନା ଓ ନୂତନ ଶିହରଣ। ଏହି ସବୁ ଘଟଣାବଳୀର ବର୍ଣ୍ଣନା ବେଳେ ସତେଯେମିତି ଆମେ ଫେରିଯାଉ ଜହ୍ନମାମୁର ସେହି ଅପୂର୍ବ ଦୁନିଆ ଭିତରକୁ, ଯେଉଁଠି ଜହ୍ନ ବିନା ଶୈଶବର ପରିକଳ୍ପନା ଅସମ୍ଭବ ବୋଲି ମନେହୁଏ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାହେଲା ଏ ପ୍ରାକୃତିକ ପରିଘଟଣା ଯେତିକି ରୁଚିକର ଥିଲା, ସେତିକି ପରିମାଣରେ ଆମ ଶରୀର ତଥା ମନ ଉପରେ ଏକ ସକାରାତ୍ମକ ପ୍ରଭାବ ପକାଇବାରେ ସହାୟକ ଥିଲା। ଆମେ ଆମ ଆବେଗର ଉନ୍ମୁକ୍ତ ଉତ୍ତରଣ କରିପାରୁଥିଲୁ। ଆମେ ଉନ୍ମୁକ୍ତ ଭାବେ କାନ୍ଦି ପାରୁଥିଲୁ, ଉନ୍ମୁକ୍ତ ଭାବେ ହସିପାରୁଥିଲୁ। ତେଣୁ ଜହ୍ନ ଆମ ଆବେଗିକ ଭାରସାମ୍ୟର ଏକ ପ୍ରମୁଖ ସାଧନ ଥିଲା।
ଆମେ ଜହ୍ନକୁ ଦେଖି ନିଜକୁ ସଜେଇ ହେଉଥିଲୁ, ଜହ୍ନକୁ ଦେଖି ଗୀତ ଗାଉଥିଲୁ। ଜହ୍ନ ହସିଲେ ହସୁଥିଲୁ, ଜହ୍ନ ମେଘର ଉହାଡରେ ଲୁଚିଗଲେ ରୁଷି ବସୁଥିଲୁ। କହିବାର ଅର୍ଥ ଜହ୍ନ ସହିତ ଆମ ଶୈଶବର ଏକ ଅନ୍ତରଂଗ ସମ୍ପର୍କ ରହିଥିଲା, ଯାହା ଆମ ଶୈଶବକୁ ପରିତୃପ୍ତ ତଥା ପରିପୁଷ୍ଟ କରିପାରିଥିଲା। ଜହ୍ନ ଥିଲା ଆମ ଶୈଶବ ପାଇଁ ପ୍ରକୃତିର ଅନନ୍ୟ ଏକ ଉପହାର । ଆମ ଶୈଶବର ହସ ଆଉ ଲୁହକୁ ଫେଣ୍ଟି ଏକ ସୁଷମ ସଞ୍ଚରଣର ଉଦ ବର୍ତ୍ତକ ଥିଲା ଜହ୍ନ। କିନ୍ତୁ ବେଦନା ଓ ପରିତାପର ବିଷୟ ଏହି କି ଯେ ଏତେ ଆଲୋଚନା ପର୍ଯ୍ୟାଲୋଚନା ପରେ ଅତି ସହଜରେ ଏଠାରେ ଘୋଷଣା କରାଯାଇପାରେ କି ଜହ୍ନ ଆଜି ଅଲୋଡ଼ା ଅଖୋଜା। ଅଲୋଡ଼ା ବାର୍ଦ୍ଧକ୍ୟ ପରି ସେ ବି କେଉଁଠି ଏକ ଜରାଶ୍ରମରେ ବୋଧେ ଗୁମୁରି ଗୁମୁରି କାନ୍ଦୁଛି। ଶୈଶବ ଆଜି ତା’ ରାସ୍ତାରେ ବାଟବଣା ଆଉ ଜହ୍ନ ହୋଇଛି ଅଲୋଡ଼ା। ଶୈଶବ ପାଇଁ ଆଜି ଲୋଡ଼ା ନାହିଁ ଜହ୍ନ କି ଜହ୍ନମାମୁର ସଂଗୀତ। ଚେତନାର ଦିଗ୍‌ବଳୟରୁ ଜହ୍ନ ବୋଧେ ଲେଉଟି ଯାଇ ଶୈଶବ ପାଇଁ ହଜିସାରିଛି। ଶୈଶବ ପାଇଁ ଜହ୍ନ ଖାଲି ଅଲୋଡ଼ା ନୁହେଁ, ମାଆଟିଏର ମଧ୍ୟ ଏ ଜହ୍ନର ଆଉ ପ୍ରୟୋଜନ ପଡ଼ୁନାହିଁ। ସବୁ କିଛି ଆଜି ଗୋଟିଏ ସ୍ମାର୍ଟ ଫୋନର ଚାରିକାନ୍ଥ ମଧ୍ୟରେ ସୀମାବଦ୍ଧ ହୋଇ ରହିଯାଇଛି। ଶୈଶବ ଆଜି ଦେଖୁଛି ଗୋଟେ ମଲା ଜହ୍ନର ପ୍ରତିଛବି। ଜହ୍ନ କଥା ହେଉନି, ଜହ୍ନ ହସୁନାହିଁ କି ଜହ୍ନ ହାତଠାରି ଆଉ ଡାକୁ ନାହିଁ। ଜହ୍ନ ପାଇଁ ମାଆର ପ୍ରତୀକ୍ଷା ଆଉ ମାଆ ପାଇଁ ଜହ୍ନର ପ୍ରତୀକ୍ଷା କେବେଠୁ ଶେଷ ହୋଇସାରିଛି। ସେଇଥିପାଇଁ ତ ଶୈଶବ ଆଜି ବସ୍ତୁବାଦର ସମ୍ମୋହନରେ ଜୀର୍ଣ୍ଣ, ଶୀର୍ଣ୍ଣ, ଅବହେଳିତ।
ଜହ୍ନ ବିନା ଶୈଶବ ଆଜି ପଥହୁଡ଼ା ବାଟୋଇ ପରି ନା ମନଖୋଲି ହସିପାରୁଛି ନା ମନଖୋଲି କାନ୍ଦି ପାରୁଛି। ସ୍ମାର୍ଟଫୋନର ସ୍ମାର୍ଟ ଚରିତ୍ର ତଳେ ଅଧାଗଢ଼ା ଆବେଗ ସବୁ ଭାରସାମ୍ୟ ହରାଇ ତା’ ଶୈଶବର ଭିତ୍ତିଭୂମିକୁ ଦୁର୍ବଳ କରିଚାଲିଛି। ଆଜି ଆଧୁନିକ ଆଲୁଅର କୃତ୍ରିମ ତେଜରେ ଜହ୍ନ କଦାପି ନିଷ୍ପ୍ରଭ ନୁହେଁ;ପରନ୍ତୁ ନିଷ୍ପ୍ରଭ ଆଜି ଶୈଶବ। ଏ ନିଷ୍ପ୍ରଭ ଶୈଶବ ପରିପୁଷ୍ଟ ହେବାପାଇଁ ଏକାନ୍ତ ଲୋଡା ଆଧାର ରୂପି ଜହ୍ନର ଏ ଅମୃତମୟ ଦ୍ୟୁତି।
ସର୍ବଶେଷରେ ଆମକୁ ମନେରଖିବାକୁ ହେବ ଯେ ଶିଶୁଟିଏକୁ ଅଧିକ ବସ୍ତୁ ମନସ୍କ ନ କରି ତା’ର ଶୈଶବକୁ ଏକ ନିରନ୍ତର ପ୍ରାକୃତିକ ପ୍ରବାହରେ ସାମିଲ କରିପାରିଲେ, ତା’ର ଶୈଶବ ସରସ ସୁନ୍ଦର ହୋଇପାରିବା ସହିତ ଜହ୍ନ ଫେରିପାଇଯିବ ତା’ ଅତୀତର ସ୍ମୃତିସିକ୍ତ ସାଥୀଟିଏ। ନା ଶୈଶବ ହେବ ଅବହେଳିତ ନା ଜହ୍ନହେବ ଅଲୋଡ଼ା।
ଚନ୍ଦନ କୁମାର ଦାସ

ଭୋଗରାଇ, ବାଲେଶ୍ୱର
ମୋ: ୮୧୧୪୩୪୫୯୮୮


Enter your email to get our daily news in your inbox.

All Right Reserved By Dharitri.Com

ଅନ୍ତର୍ଜାତୀୟ ରେଡ୍‌କ୍ରସ୍‌ କମିଟି ସହ ମ୍ୟାନ୍‌ମାର ପୂର୍ବତନ ନେତ୍ରୀ ସୁ ଚୀଙ୍କ ବୈଠକ

ବ୍ୟାଙ୍କକ୍‌,୪ା୮: ୨୦୨୧ର ସେନା ବିଦ୍ରୋହ ବଳରେ କ୍ଷମତାଚ୍ୟୁତ ହୋଇଥିବା ମ୍ୟାନ୍‌ମାରର ପୂର୍ବତନ ନେତ୍ରୀ ଅଙ୍ଗ୍‌ ସାନ୍‌ ସୁ ଚୀ ସୋମବାର ରାଜଧାନୀ ବ୍ୟାଙ୍କକ୍‌ରେ ରେଡ୍‌କ୍ରସ ଅନ୍ତର୍ଜାତୀୟ କମିଟି…

ଦୁର୍ବଳ ହେଉଛି ମୌସୁମୀ ବାୟୁ; ୩୫ ଡିଗ୍ରୀ ଉପରେ ୫ ସହରର ତାପମାତ୍ରା, ଆଗକୁ ହେବ….

ଭୁବନେଶ୍ୱର,୪।୮(ବନ୍ଦନା ସେଠୀ): ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦୁର୍ବଳ ହେଉଛି । ମୌସୁମୀ ନିମ୍ନ ଚାପ ରେଖା ତା’ର ସାଧାରଣ ଅବସ୍ଥାନଠାରୁ ଉତ୍ତରରେ ରହୁଥିବାରୁ ଉପକୂଳ ଓଡ଼ିଶା…

ଏମିତି କ’ଣ ଘଟିଲା ୮ ମାସରେ ୩୦ ବର୍ଷ ପୁରୁଣା ଗଡ଼ ହରାଇଲା ଭାଜପା: ପିକେ ସାଜିଲେ ଗେମଚେଞ୍ଜର

ପାଟନା,୩।୮: ଶେଷରେ ପିକେ ଓରଫ ପ୍ରଶାନ୍ତ କିଶୋର ସଫଳ ହୋଇଛନ୍ତି। ବିହାରର ବାଙ୍କିପୁର ବିଧାନସଭା ଆସନ ପାଇଁ ଉପନିର୍ବାଚନ ଜିତି ପ୍ରଶାନ୍ତ କିଶୋର ପ୍ରମାଣ କରିଛନ୍ତି ଯେ…

ଦୁଇ ଦିନରେ ପୋଲିସକୁ ଦ୍ୱିତୀୟ ସଫଳତା: ୭ ଲକ୍ଷ ଟଙ୍କା ଲୁଟ୍‌ ମାମଲାର ହେଲା ପର୍ଦ୍ଦାଫାଶ

ଗଜପତି,୩।୮(ଗିରିଧାରୀ ପରିଛା): ଗଜପତି ଜିଲାରେ ଟଙ୍କା ଲୁଟ୍‌ ଘଟଣାରେ ପୁଣି ଏକ ବଡ଼ ସଫଳତା ହାସଲ କରିଛି ଗାରାବନ୍ଧା ପୋଲିସ । ଦୁଇ ଦିନ ମଧ୍ୟରେ ଜିଲାରେ…

ଭତ୍ତା ପାଇଁ ହଟହଟା: ଜିଲାପାଳଙ୍କୁ ଫେରାଦ ହେଲେ ବୃଦ୍ଧାବୃଦ୍ଧ

ବରଗଡ଼,୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ବିଭିନ୍ନ ଅଞ୍ଚଳର ବୃଦ୍ଧାବୃଦ୍ଧ ଦୀର୍ଘ ମାସ ହେଲା ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି । ବ୍ୟାଙ୍କକୁ ଗଲେ କେତେବେଳେ…

‘୨୫ ଦିନ ଅନଶନ କରନ୍ତୁ, ତା’ପରେ ଇସ୍ତଫା ଦେବି’: ଗୃହମନ୍ତ୍ରୀଙ୍କ ବୟାନକୁ ନେଇ ଭାଜପା ନିଆଁ

ନୂଆଦିଲ୍ଲୀ,୩।୮: ଭାରତୀୟ ଜନତା ପାର୍ଟି (BJP) କର୍ନାଟକ ଗୃହମନ୍ତ୍ରୀ ପ୍ରିୟଙ୍କ ଖାର୍ଗେଙ୍କର ଏକ ବୟାନକୁ ଶେୟାର କରି ତାଙ୍କୁ ଟାର୍ଗେଟ କରିଛି। ଭିଡିଓରେ ପ୍ରିୟଙ୍କ ଖାର୍ଗେ କହୁଥିବାର…

ନୂଆ ଅବତାରରେ ଧୋନୀ: ଭାଇରାଲ ହେଉଛି VIDEO

ରାଞ୍ଚି,୩।୮: ପୁଣି ଚର୍ଚ୍ଚାରେ ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ତାଙ୍କୁ ଏକ ନୂଆ ଅବତାରରେ ଦେଖାଯାଇଛି। ଧୋନୀ ଏକ ରେସଟ୍ରାକରେ ବାଇକ…

୧୫ ବର୍ଷୀୟା ଛାତ୍ରୀଙ୍କୁ ଅପହରଣ କରି ବଳାତ୍କାର ଅଭିଯୋଗ, ୪ ମାସ ପରେ ଯୁବକଙ୍କୁ ପୋଲିସ ଧରି…

ଦିଗପହଣ୍ଡି,୩।୮(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ଏକ ଗାଁର ୯ମ ଶ୍ରେଣୀରେ ପଢୁଥିବା ଜଣେ ୧୫ ବର୍ଷୀୟା ଛାତ୍ରୀଙ୍କୁ ଅପହରଣ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri