ଭାଷାରେ ଏକଚ୍ଛତ୍ରବାଦ

କେନ୍ଦ୍ର ସରକାରଙ୍କ ପକ୍ଷରୁ ହିନ୍ଦୀ ଭାଷାକୁ ଅଣ-ହିନ୍ଦୀଭାଷୀ ଲୋକଙ୍କ ଉପରେ ଲଦି ଦିଆଯିବାର ପ୍ରୟାସକୁ ତାମିଲନାଡୁରେ ଘୋର ବିରୋଧ କରାଯାଉଛି। ସ୍ଥିତି ଏଭଳି ହୋଇଛି ଯେ, ୨୬ ନଭେମ୍ବର ୨୦୨୨ରେ ସାଲେମ ଜିଲାର ୮୫ ବର୍ଷୀୟ କୃଷକ ଏମ୍‌. ଭି. ଥାଙ୍ଗାଭେଲ ଡିଏମ୍‌କେ କାର୍ଯ୍ୟାଳୟ ନିକଟରେ ଆତ୍ମାହୁତି ଦେଇଦେଇଛନ୍ତି। ପୂର୍ବରୁ ସେ ଡିଏମ୍‌କେ କୃଷକ ମୋର୍ଚ୍ଚାର କେନ୍ଦ୍ରୀୟ ସଙ୍ଗଠକ ଭାବେ କାର୍ଯ୍ୟ କରୁଥିଲେ। କିଛି ବର୍ଷ ହେଲା ସେ ସକ୍ରିୟ ରାଜନୀତିରୁ ଓହରି ଯାଇଥିଲେ। ତେବେ ସେ ପାର୍ଟି କାର୍ଯ୍ୟାଳୟ ଆଗରେ ଏକ ବ୍ୟାନର ଲଗାଇଥିଲେ ଓ ସେଥିରେ ଲେଖାଥିଲା-ତାମିଲ ଭାଷୀଙ୍କ ଉପରେ ନରେନ୍ଦ୍ର ମୋଦି ସରକାର ଜୋରଜବରଦସ୍ତ ହିନ୍ଦୀ ଲଦିଦେବା ଉଚିତ ନୁହେଁ। ହିନ୍ଦୀରେ ପଢ଼ିଲେ ତାଙ୍କ ରାଜ୍ୟର ଛାତ୍ରୀଛାତ୍ରଙ୍କ ପଢ଼ା ପ୍ରଭାବିତ ହେବ ବୋଲି ସେ ଦର୍ଶାଇଥିଲେ। ଉଲ୍ଲେଖଯୋଗ୍ୟ, ସରକାରୀ ଭାଷା ସଂକ୍ରାନ୍ତ ସଂସଦୀୟ କମିଟି ଅଧ୍ୟକ୍ଷ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ୧୧ତମ ରିପୋର୍ଟ ରାଷ୍ଟ୍ରପତିଙ୍କୁ ଗତମାସ ପ୍ରଦାନ କରିଥିଲେ। ସେଥିରେ ସେ ଉଲ୍ଲେଖ କରିଥିଲେ, ଦେଶର ସମସ୍ତ ବୈଷୟିକ ଓ ଅଣ-ବୈଷୟିକ ଶିକ୍ଷାନୁଷ୍ଠାନରେ ହିନ୍ଦୀ ଭାଷା ପଢ଼ାର ମାଧ୍ୟମ ହେବ ଓ ଇଂଲିଶ ଇଚ୍ଛାଧୀନ ଭାଷା ରହିବ।
ଭାରତୀୟ ସମ୍ବିଧାନର ୮ମ ଅନୁସୂଚୀରେ ସରକାରୀ ଭାବେ ମାନ୍ୟତାପ୍ରାପ୍ତ ୨୨ଟି ଭାଷା ରହିଛି। ଏଠାରେ ୧୮୦୦ ମାତୃଭାଷା, ୭୦୦ରୁ ଊର୍ଦ୍ଧ୍ୱ ବିଭିନ୍ନ ଭାଷା ଓ ଉପଭାଷା ଅଛି। ତେଣୁ ହିନ୍ଦୀକୁ ସବୁ ରାଜ୍ୟ ଉପରେ ଲଦିଦିଆଯିବା ଲାଗି ହେଉଥିବା ପ୍ରୟାସକୁ ବିରୋଧ ହେବା ସ୍ବାଭାବିକ। ଯଦି ଇତିହାସ ଦେଖାଯାଏ, ୧୯୬୭ ମସିହାରେ ହିନ୍ଦୀକୁ ରାଜ୍ୟ ଉପରେ ଥୋପି ଦେବାରୁ ସୃଷ୍ଟି ହୋଇଥିବା ବିବାଦ ଯୋଗୁ ତାମିଲନାଡୁରେ ଅରାଜକତା ସୃଷ୍ଟି ହୋଇଥିଲା। ପରେ ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, କର୍ନାଟକ ଓ କେରଳ ଆଦି ରାଜ୍ୟରେ ହିନ୍ଦୀକୁ ବିରୋଧ କରାଯାଇଥିଲା। ଏପରି କି ଅନେକ ରାଜ୍ୟ ଏହାକୁ ସରକାରୀ ଭାଷା ଭାବେ ବ୍ୟବହାର କରିନାହାନ୍ତି। ହିନ୍ଦୀଭାଷୀ ଭୂଖଣ୍ଡରେ ବାସ କରୁଥିବା ଲୋକଙ୍କ ପାଇଁ ହିନ୍ଦୀ ସହଜ ହୋଇପାରେ, କିନ୍ତୁ ଅନ୍ୟ ପ୍ରାନ୍ତର ବାସିନ୍ଦା ନିଜ ମାତୃଭାଷାରେ ନିଜକୁ ଯେଭଳି ଅଭ୍ୟସ୍ତ କରିପାରିଥାଆନ୍ତି; ସେମାନଙ୍କ ଉପରେ ଜୋରଜବରଦସ୍ତ ହିନ୍ଦୀକୁ ଲଦି ଦେଲେ ପ୍ରତିକ୍ରିୟା ପ୍ରକାଶ ପାଇବା ସ୍ବାଭାବିକ। କେନ୍ଦ୍ର ସରକାର କାହିଁକି ଦେଶବାସୀଙ୍କ ଉପରେ ହିନ୍ଦୀ ବ୍ୟବହାରକୁ ଜବରଦସ୍ତ କରିବାକୁ ବ୍ୟାକୁଳ ହେଉଛନ୍ତି, ତାହା ବୁଝିବା କଷ୍ଟକର ନୁହେଁ। ଯେତେବେଳେ ଅପାଠୁଆ ଲୋକ କ୍ଷମତାକୁ ଆସନ୍ତି, ସେମାନେ ଚାହାନ୍ତି ତାଙ୍କର ସୀମିତ ବୁଝିବା ଶକ୍ତି ପରିସର ଭିତରେ ସମସ୍ତେ ସବୁ କଥା ବୁଝିଯିବା ଦରକାର। ଏହାବ୍ୟତୀତ ଭାରତବର୍ଷରେ ଯେତେ ଆଞ୍ଚଳିକ ଦଳଗୁଡ଼ିକର ଶକ୍ତି ବୃଦ୍ଧି ହେବ, ସେତିକି ପରିମାଣରେ ଜାତୀୟ ଦଳ ଦୁର୍ବଳ ହେବେ। ଆଞ୍ଚଳିକ ଦଳଗୁଡ଼ିକର ଶକ୍ତି ବଢ଼ିବା ପଛରେ ଆଞ୍ଚଳିକ ଭାଷା ଓ ସଂସ୍କୃତି ମୁଖ୍ୟ ଭୂମିକା ରଖିଥାଆନ୍ତି। ସେହି ମୌଳିକ ଶକ୍ତିକୁ ନଷ୍ଟ କରିଦେବା ପାଇଁ ହିନ୍ଦୀକୁ ସମସ୍ତଙ୍କ ଉପରେ ଲଦିଦେବା ହେଉଛି ମୁଖ୍ୟ ଉଦ୍ଦେଶ୍ୟ। ଅର୍ଥାତ୍‌ ହିନ୍ଦୀ ଭାଷା ପାଇଁ ପ୍ରେମ ନୁହେଁ, ବରଂ କ୍ଷୁଦ୍ର ଚିନ୍ତାଧାରାର ରାଜନୀତି ଏକମାତ୍ର କାରଣ। ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ବିହାର, ଝାଡ଼ଖଣ୍ଡ, ଛତିଶଗଡ଼, ରାଜସ୍ଥାନ, ହରିୟାଣା, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ ସମେତ ଦିଲ୍ଲୀ ଓ ଚଣ୍ଡିଗଡ଼ରେ ହିନ୍ଦୀ ଭାଷା ବହୁଳ ବ୍ୟବହୃତ ହେଉଥିବାରୁ ଏବଂ ଏହି ରାଜ୍ୟଗୁଡ଼ିକ ଭାରତୀୟ ରାଜନୀତିରେ ପ୍ରଭାବ ପକାଉଥିବାରୁ ଭାଜପା ହିନ୍ଦୀକୁ ସଫ୍ଟପାଓ୍ବାର ଭାବେ ଉପଯୋଗ କରିବାକୁ ଚାହୁଁଛି। ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି, ଡାକ୍ତରୀ ଓ ଇଞ୍ଜିନିୟରିଂ ଭଳି ବୈଷୟିକ ପାଠ୍ୟକ୍ରମକୁ ଇଂଲିଶ୍‌ ପରିବର୍ତ୍ତେ ହିନ୍ଦୀରେ ପଢ଼ିବାର ବ୍ୟବସ୍ଥା କରାଯାଇଛି। ଚଳିତ ଶିକ୍ଷାବର୍ଷରେ ମଧ୍ୟପ୍ରଦେଶ ଦେଶର ପ୍ରଥମ ରାଜ୍ୟ ଭାବେ ଡାକ୍ତରୀ ଓ ଇଞ୍ଜିନିୟରିଂ ପାଠ୍ୟକ୍ରମ ହିନ୍ଦୀରେ ପଢ଼ାଇବାର ସୁବିଧା କରିଛନ୍ତି। ଅବଶ୍ୟ ସେଠାରେ ହିନ୍ଦୀ ସେହି ରାଜ୍ୟର ଛାତ୍ରୀଛାତ୍ରଙ୍କ ପାଇଁ ମାତୃଭାଷା। କିନ୍ତୁ ଯେଉଁମାନେ ବାହାର ରାଜ୍ୟରୁ ଯାଇଥିବେ ବା ସେଠାରେ ରହୁଥିବା ଅନ୍ୟ ଭାଷୀ, ଯିଏକି ହିନ୍ଦୀ ସହିତ ଅଭ୍ୟସ୍ତ ନ ଥିବେ ସେମାନଙ୍କ ଅସୁବିଧା ବୁଝିହେଉଛି। ବିବଧବର୍ଣ୍ଣା ଭାରତବର୍ଷ ମଧ୍ୟରେ ଏକତା ଶୋଭା ପାଇଥାଏ। ଭାଷା କ୍ଷେତ୍ରରେ ଦେଖିଲେ ଆଞ୍ଚଳିକ ଭାଷା ସେହି ଭୂଖଣ୍ଡରେ ବ୍ୟବହାର ପାଇଁ ଯଥେଷ୍ଟ। କିନ୍ତୁ ଯେତେବେଳେ ଜଣେ ଅନ୍ୟ ପ୍ରଦେଶ ବା ଦେଶକୁ ଯାଉଛନ୍ତି, ସେତେବେଳେ ଯୋଗାଯୋଗର ଭାଷା ଇଂଲିଶ୍‌ ରହିବା ଉଚିତ ବୋଲି ଅନେକ ଭାଷାତତ୍ତ୍ୱବିତ୍‌ ମତ ଦେଇଥାଆନ୍ତି। ଏଥିସହିତ ବୈଶ୍ୱିକ ବ୍ୟାପାର, ଅର୍ଥନୀତି, ବାଣିଜ୍ୟ କ୍ଷେତ୍ରରେ ଉତ୍କର୍ଷ ଲଭିବା ଲାଗି ଇଂଲିଶ୍‌ ପ୍ରକୃଷ୍ଟ ଭାଷା ବୋଲି କୁହାଯାଇଥାଏ। ବ୍ୟାପକ ଦୃଷ୍ଟିକୋଣରୁ ଦେଖିଲେ କିଛି ପ୍ରଦେଶରେ କୁହାଯାଉଥିବା ଏକ ଭାଷା ହିନ୍ଦୀକୁ ସମଗ୍ର ଦେଶ ଉପରେ ଲଦିଦେବା କେନ୍ଦ୍ର ସରକାରଙ୍କ ସଂକୀର୍ଣ୍ଣ ଚିନ୍ତାଧାରାକୁ ପଦାରେ ପକାଉଛି। କେନ୍ଦ୍ରର ଏଭଳି ପ୍ରୟାସକୁ ସୋସିଆଲ ମିଡିଆରେ ସମାଲୋଚନା କରାଯାଉଛି। ଏହି ପରିପ୍ରେକ୍ଷୀରେ ଜଣେ ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀ କିରନ କୁମାର କହିଛନ୍ତି, ମୋଦି ନିଜେ ଗୁଜରାଟୀ ଭାଷା ଅପେକ୍ଷା ହିନ୍ଦୀ ବ୍ୟବହାର କରିବାକୁ ଅଧିକ ଆନନ୍ଦ ପାଇଥାଆନ୍ତି। ତେଣୁ କିଛି ଲୋକଙ୍କ ଖିଆଲି ଲାଗି ହିନ୍ଦୀକୁ ସମଗ୍ର ଦେଶବାସୀଙ୍କ ଉପରେ ବାଧ୍ୟତାମୂଳକ ଲଦିଦେବା ଭାଷାରେ ଏକଚ୍ଛତ୍ରବାଦର ସଙ୍କେତ ଦେଉଛି। ଏହି ସ୍ତମ୍ଭରେ ଆମେ ଅନେକ ଥର ଉଲ୍ଲେଖ କରିଛୁ ଯେ ଜଣେ ବ୍ୟକ୍ତି କ’ଣ ଖାଇବେ, କେଉଁ ପୋଷାକ ପରିଧାନ କରିବେ, କେଉଁ ଭାଷାରେ ନିଜକୁ ବ୍ୟକ୍ତ କରିବା ସକାଶେ ସହଜ ମଣିବେ, ତାହା ତାଙ୍କ ଉପରେ ନିର୍ଭର କରିଥାଏ। ବଳପୂର୍ବକ ବ୍ୟକ୍ତି ସ୍ବାଧୀନତାକୁ ହନନ କରାଗଲେ ପ୍ରତିରୋଧ ବଢ଼ିବା ଥୟ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

ଆମେରିକାର ବିଶ୍ୱ ଅଭିଯାନ

ଚଳିତ ବର୍ଷ ଫେବୃଆରୀ ୨୮ରେ ଆମେରିକା ଓ ଇସ୍ରାଏଲ ଯୋଡ଼ି ଅଚାନକ ଇରାନ୍‌ ଉପରେ ବୋମାବର୍ଷଣ କରି ଇରାନର ଶୀର୍ଷନେତା ଆୟାତୋଲ୍ଲା ଖାମନେଇ ଓ ତାଙ୍କ ପରିବାର…

ମଞ୍ଚରେ ପାକିସ୍ତାନ

ଭାରତ ସମେତ ବିଶ୍ୱର ଅଳ୍ପ କେତେକ ଦେଶ ପାକିସ୍ତାନକୁ ଏକ ଦୁର୍ଜନ ରାଷ୍ଟ୍ର ଭାବେ ଦେଖିଥାଆନ୍ତି। ଆତଙ୍କବାଦୀଙ୍କ ପାଇଁ ଏହି ଦେଶ ପରିଚିତ ଓ ତା’ର ରାଜନୈତିକ…

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

ସମସ୍ୟା: ଏକ ସୁଯୋଗ

ଯଦିଓ ଆମର ଜ୍ଞାନୀଗୁଣୀଜନ ପ୍ରତ୍ୟେକ ମଣିଷର ବଳକୁ ଶତସିଂହର ବଳ ସହ ତୁଳନା କରିଛନ୍ତି, କିନ୍ତୁ ସ୍ଥଳବିଶେଷରେ ଦେଖୁ ହାରାହାରି ଚିନ୍ତନ କରିପାରୁଥିବା ବା କ୍ଷମତା ରଖୁଥିବା…

ଆର୍ଦ୍ରଭୂମିର ଗୁରୁତ୍ୱ ଓ ସଂରକ୍ଷଣ

ଜଳ ଆମ ଗ୍ରହର ୭୧ ଶତାଂଶ ଅଞ୍ଚଳକୁ ଆଚ୍ଛାଦିତ କରେ ଏବଂ ନଦନଦୀ, ହ୍ରଦ, ପୁଷ୍କରିଣୀଠାରୁ ସମୁଦ୍ର ପରି ବିଭିନ୍ନ ଉତ୍ସରେ ଉପଲବ୍ଧ ହୋଇ ଜଳୀୟ ପରିସଂସ୍ଥାକୁ…

ନେତାଙ୍କୁ ଅନୁସରଣ

ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦବୀ ଛାଡ଼ି ରାଜ୍ୟ ସଭାକୁ ଯିବା ପରେ ବିହାରର ବରିଷ୍ଠ ବାବୁମାନଙ୍କ ଏକ ଦଳ ଖୁବ୍‌ ଶୀଘ୍ର କେନ୍ଦ୍ରୀୟ ଡେପୁଟେଶନରେ ଯାଇପାରନ୍ତି ବୋଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri