ଗାଁରେ ମାଙ୍କଡ଼ ଆତଙ୍କ: ଦୁଇଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ ପରେ…

ବଞ୍ଚୋ,୬ା୯(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ମୋଚିନ୍ଦା ଗ୍ରାମରେ ଏକ ବୁଲା ମାଙ୍କଡ଼ର ଉତ୍ପାତକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଭୟ ଓ ଆତଙ୍କ ଦେଖାଦେଇଛି। ଗ୍ରାମ ମଧ୍ୟରେ ବୁଲିବା ସହ ମାଙ୍କଡ଼ଟି ଲୋକଙ୍କୁ ଆକ୍ରମଣ କରୁଥିବା ଅଭିଯୋଗ ହୋଇଛି। ଇତିମଧ୍ୟରେ ମାଙ୍କଡ଼ ଆକ୍ରମଣରେ ମମତା ସାହୁ ଓ ଭାଲୁଆ ସାହୁ ଆହତ ହୋଇଥିବା ଜଣାପଡ଼ିଛି।

ମାଙ୍କଡ଼ ଆକ୍ରମଣ ପରେ ମମତା ସାହୁଙ୍କୁ ଏବଂ ଭାଳୁଆ ସାହୁ ଚିକିତ୍ସା ପାଇଁ ଫକୀରପୁର ମେଡିକାଲକୁ ନିଆଯାଇଥିବା ସୂଚନା ମିଳିଛି। ଅନ୍ୟପଟେ ଏହି ଘଟଣା ପରେ ଗ୍ରାମରେ ମାଙ୍କଡ଼ଟିର ଗତିବିଧିକୁ ନେଇ ଲୋକଙ୍କ ମଧ୍ୟରେ ଭୟ ବଢ଼ିଛି। ବିଶେଷକରି ରାସ୍ତାରେ ଯାତାୟାତ କରୁଥିବା ଛୋଟ ପିଲା, ବୃଦ୍ଧ ଓ ମହିଳାମାନେ ଆତଙ୍କିତ ହୋଇପଡ଼ିଛନ୍ତି।

ଗ୍ରାମବାସୀଙ୍କ କହିବାନୁଯାୟୀ, ବୁଲା ମାଙ୍କଡ଼ଟି ଗ୍ରାମର ବିଭିନ୍ନ ସ୍ଥାନରେ ଘୂରି ବୁଲୁଛି । ଲୋକଙ୍କୁ ଦେଖିଲେ ଆକ୍ରମଣ କରିବାକୁ ଉଦ୍ୟମ କରୁଥିବାରୁ ଯେକୌଣସି ସମୟରେ ଅନ୍ୟ କେହି ଆହତ ହେବାର ଆଶଙ୍କା ରହିଛି। ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଚିନ୍ତା ବଢ଼ିଛି। ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ବୁଲା ମାଙ୍କଡ଼ଟିକୁ ଶୀଘ୍ର ଧରି ସୁରକ୍ଷିତ ସ୍ଥାନକୁ ନେବା ପାଇଁ ଗ୍ରାମବାସୀ ପ୍ରଶାସନ ଓ ବନ ବିଭାଗକୁ ନିବେଦନ କରିଛନ୍ତି। ଏଥିସହ ମାଙ୍କଡ଼ ଆକ୍ରମଣରୁ ଗ୍ରାମବାସୀଙ୍କୁ ସୁରକ୍ଷା ଦେବା ସହ ଆବଶ୍ୟକ ସଚେତନତାମୂଳକ ପଦକ୍ଷେପ ନେବାକୁ ମଧ୍ୟ ଦାବି ହୋଇଛି। ତୁରନ୍ତ ମାଙ୍କଡ଼ଟିକୁ ଧରିବା ପାଇଁ ସମ୍ପୃକ୍ତ ବିଭାଗ ପଦକ୍ଷେପ ନ ନେଲେ ଆଗକୁ ଆହୁରି ଲୋକ ଆକ୍ରମଣର ଶିକାର ହୋଇପାରନ୍ତି ବୋଲି ଗ୍ରାମବାସୀ ଆଶଙ୍କା ପ୍ରକାଶ କରିଛନ୍ତି।

Dharitri – Odisha’s No.1 Odia Daily

Share