ମଙ୍କି ପକ୍ସ: ପ୍ରସ୍ତୁତ ରହିବାକୁ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୩୦ା୫(ବ୍ୟୁରୋ): ବିଶ୍ୱର ବିଭିନ୍ନ ଦେଶରେ ମଙ୍କି ପକ୍ସ ଭାଇରସ୍‌ ଆତଙ୍କ ଖେଳାଇଥିବାବେଳେ ଭାରତରେ ବର୍ତ୍ତମାନ ସୁଦ୍ଧା ସେଭଳି କୌଣସି ଘଟଣା ଦେଖାଯାଇନାହିଁ। ତେବେ ଏ ଦିଗରେ ସଚେତନ ରହିବା ସହ ମୁକାବିଲା ପାଇଁ ଆବଶ୍ୟକ ପ୍ରସ୍ତୁତି କରିବାକୁ ରବିବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ୱାର୍ଲଡ ହେଲ୍‌ଥ ଅର୍ଗାନାଇଜେଶନ ଓ ଆଇସିଏମ୍‌ଆର୍‌ ମାର୍ଗଦର୍ଶିକା ଓ ପ୍ରୋଟୋକଲ ଅନୁଯାୟୀ ପ୍ରସ୍ତୁତ ରହିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଭାଇରସ୍‌ର ସଂକ୍ରମଣ ରୋକିବା ପାଇଁ ସ୍ବାସ୍ଥ୍ୟ ବିଭାଗ ଅନ୍ୟ ସମସ୍ତ ସମ୍ପୃକ୍ତ ବିଭାଗ ସହ ସମନ୍ବୟ ରକ୍ଷା କରି ଆଗୁଆ ସତର୍କ ସୂଚନା ଜାରି କରିବ। ଏଥିସହିତ ଆଇସିଏମ୍‌ଆର୍‌ର ଅନୁଧ୍ୟାନ ଅନୁଯାୟୀ ମଙ୍କି ପକ୍ସ ଆକ୍ରାନ୍ତ ଦେଶରୁ ଆସିଥିବା ବ୍ୟକ୍ତିଙ୍କଠାରେ ଏହି ଭାଇରସ୍‌ର ଲକ୍ଷଣ ଦେଖାଗଲେ ସେମାନଙ୍କୁ ଠିକ୍‌ ଭାବେ ପରୀକ୍ଷାନିରୀକ୍ଷା ମାଧ୍ୟମରେ ଚିହ୍ନଟ କରି ଆବଶ୍ୟକ ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ କରାଯିବ। ଯଦି କୌଣସି ସନ୍ଦିଗ୍ଧ ବ୍ୟକ୍ତିଙ୍କଠାରେ ଏଭଳି କୌଣସି ଅସ୍ବାଭାବିକ ଲକ୍ଷଣ ପ୍ରକାଶ ପାଏ, ତେବେ ତୁରନ୍ତ ନମୁନା ସଂଗ୍ରହ କରି ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଭାଇରୋଲୋଜିକୁ ପଠାଇ ସମସ୍ତ ପ୍ରକାର ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯିବ। ବିଭାଗୀୟ ନିର୍ଦ୍ଦେଶକ ଓ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କୁ ନେଇ ଖୁବ୍‌ଶୀଘ୍ର ଏକ ବୈଠକ ଆୟୋଜନ କରାଯିବ। ଏଥିସହ ସଙ୍ଗରୋଧ, କଣ୍ଟାକ୍ଟ ଟ୍ରେସିଂ, ମନିଟରିଂ ଓ ପ୍ରତିଷେଧାତ୍ମକ ବ୍ୟବସ୍ଥା ସମ୍ପର୍କରେ ବିସ୍ତୃତ ଆଲୋଚନା କରିବା ସହିତ ନୀତିଗତ ନିଷ୍ପତ୍ତି ଗ୍ରହଣ କରାଯାଇ ସମସ୍ତ ସ୍ତରରେ ତୁରନ୍ତ ଲାଗୁ କରାଯିବା ନିମନ୍ତେ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।