ଭଙ୍ଗାବନ୍ଧ ଏମ୍‌ଆଇପିରେ ଟଙ୍କା ହରିଲୁଟ୍‌

ରଗଡି,୧୧।୫(ଡି.ଏନ.ଏ.): ଯାଜପୁର ଜିଲାରେ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ (ଏମ୍‌ଆଇପି) ଚାଷୀଙ୍କ ବିପଦ ସମୟରେ କାମରେ ଲାଗୁନି। ଜିଲାର କୋରେଇ ବ୍ଲକ ଅନ୍ତର୍ଗତ କେତେକ ଏମ୍‌ଆଇପିକୁ ଏହାର ଉଦାହରଣ ଭାବେ ନିଆଯାଇପାରେ। କେତେକ ପ୍ରକଳ୍ପରେ ଏଷ୍ଟିମେଟ ଅନୁଯାୟୀ କାମ ନ କରି ଅର୍ଥ ହଡପ କରାଯାଇଛି ତ ଆଉ କେଉଁଠି ବିନା ସୂଚନା ଫଳକରେ ନିମ୍ନମାନର କାମ କରି ଠିକାଦାର ଛତ୍ରଭଙ୍ଗ ଦେଇଛନ୍ତି। ଏହି ବ୍ଲକର ତଳଗଡ଼ ପଞ୍ଚାୟତ ମଙ୍ଗରାଜପୁର(ବନ୍ଦି) ନିକଟରେ ଥିବା ଭଙ୍ଗାବନ୍ଧ ମରାମତି ନାମରେ ଠିକାଦାର ଲକ୍ଷାଧିକ ଟଙ୍କା ଚଳୁ କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।
ସୂଚନା ଅନୁଯାୟୀ, ଏହି ଭଙ୍ଗାବନ୍ଧ କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ଉନ୍ନତିକରଣ ପାଇଁ ଯାଜପୁର ଏମ୍‌ଆଇପି ବିଭାଜନ ପକ୍ଷରୁ ୨୦୧୯-୨୦ ଆର୍ଥିକ ବର୍ଷରେ ୫୮ ଲକ୍ଷ ୪୦ ହଜାର ୮୨ ଟଙ୍କା ବ୍ୟୟ ବରାଦ ହୋଇଥିଲା। ଏହି ପ୍ରକଳ୍ପ ୪ା୨ା୨୦୧୯ରୁ କାର୍ଯ୍ୟ ଆରମ୍ଭ ହୋଇ ୩ା୧୨ା୨୦୧୯ ତାରିଖ ସୁଦ୍ଧା ଶେଷ କରିବାକୁ ଚୁକ୍ତିନାମା ରହିଥିଲା । ମଙ୍ଗରାଜପୁର, ବନ୍ଦି ଓ କଣ୍ଟାଝରି ଗ୍ରାମ ୫୦ରୁ ଊର୍ଦ୍ଧ୍ୱ ଚାଷୀ ଉପକୃତ ହେବା ସହିତ ୭୦ ଏକରରୁ ଊର୍ଦ୍ଧ୍ୱ ଜମିକୁ ଜଳସେଚନ କରିବା ଏହି ପ୍ରକଳ୍ପର ମୂଳ ଲକ୍ଷ୍ୟ ଥିଲା। ହେଲେ ଠିକାଦାରଙ୍କ ମନମୁଖୀ କାମ ଓ ବିଭାଗୀୟ ଅଧିକାରୀଙ୍କ ଲାଭଖୋର ମନୋଭାବ ପାଇଁ ଉକ୍ତ ପ୍ରକଳ୍ପ ଅଧାରେ ଅଟକିଥିବା ଗ୍ରାମବାସୀ କହିଛନ୍ତି । ୫୮ ଲକ୍ଷ ଟଙ୍କାର ଏହି କାର୍ଯ୍ୟକୁ ଯେନେତେନ କରି ଠିକାଦାର ବିଲ କରିବାକୁ ମସୁଧା କରୁଥିବା ଗ୍ରାମବାସୀ କହିଛନ୍ତି । ଅଭିଯୋଗ କ୍ରମେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜି. ରାମାକୃଷ୍ଣନ ଉକ୍ତ ସ୍ଥାନରେ ପହଞ୍ଚି ଠିକାଦାରଙ୍କୁ ତାଗିଦ କରିବା ସହିତ ଠିକ ଭାବେ କାମ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ କିଛି ସୁଫଳ ମିଳି ନ ଥିଲା ା ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁସାରେ ଏହି ପ୍ରକଳ୍ପରେ ସମ୍ପୃକ୍ତ ଠିକାଦାର ୩୦୦ ମିଟର ଡ୍ରେନେଜ ନିର୍ମାଣ ଓ ମରାମତି ନାମରେ ଚିଠା ପ୍ରସ୍ତୁତ କରି ୨୧ ଲକ୍ଷ ୮୫ ହଜାର ଟଙ୍କା ବିଲ କରିନେଇଥିଲେ। ଗ୍ରାମବାସୀ ଠିକାଦାରଙ୍କ ଏହି ମନମୁଖୀ କାମକୁ ବିରୋଧ କରିବା ଫଳରେ ଅଧିକ ଲାଭ ନ ମିଳିବାରୁ ଠିକାଦାର ଅଧାପନ୍ତରିଆ କାମ କରି ଛତ୍ରଭଙ୍ଗ ଦେଇଥିବା ଚର୍ଚ୍ଚା ହେଉଛି। ଏହି ପ୍ରକଳ୍ପ କାମ ଅଧାପନ୍ତରିଆ ହୋଇଥିବା କାରଣରୁ ମଙ୍ଗରାଜପୁର, ବନ୍ଦି ଏବଂ କଣ୍ଟାଝରି ଗ୍ରାମର ୫୦ରୁ ଊର୍ଦ୍ଧ୍ୱ ଚାଷୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ସଂକ୍ରାନ୍ତରେ ଯାଜପୁର ଏମ୍‌ଆଇପି ଡିଭିଜନର ନିର୍ବାହୀ ଯନ୍ତ୍ରୀ ଜି. ରାମାକ୍ରିଷ୍ଣନଙ୍କୁ ପଚାରିବାରୁ ସେ କହିଛନ୍ତି, ଉକ୍ତ ପ୍ରକଳ୍ପରେ ଜମି ବିବାଦ ରହିଥିବାରୁ ସମ୍ପୂର୍ଣ୍ଣ ହୋଇ ପାରିନାହିଁ। ଏନେଇ ରାଜସ୍ବ ବିଭାଗର ସହଯୋଗ ନିଆଯାଇଛି। ତେବେ ମିଥ୍ୟା ବିଲ ହୋଇଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ବୋଲି ସେ କହିଛନ୍ତି।