Categories: ଗଞ୍ଜାମ

ଜେଲରେ ଥିବା ସୁନୀଲଙ୍କ ନାମରେ ପୁଣି ମାମଲା: ଗ୍ରାନାଇଟ ଯୋଗାଇବା ନାଁ ରେ ଟଙ୍କା ଠକେଇ

ବ୍ରହ୍ମପୁର ଅଫିସ,୨୯।୫: ଗ୍ରାନାଇଟ ପଥର ଯୋଗାଇବାକୁ କହି ବାଲୁଗାଁ ଅଞ୍ଚଳର ଜଣେ ଠିକାଦାର ସୁନୀଲ କୁମାର ସ୍ବାଇଁ ଓରଫ ପିଙ୍କୁ ବିଶ୍ୱଜିତ ଦାସଙ୍କଠାରୁ ୨୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଠକେଇ ଅଭିଯୋଗ ହୋଇଛିି। ଏ ନେଇ ପୋଲିସ ସୁନୀଲଙ୍କ ନାଁରେ ମାମଲା ନଂ.୬/୨୨ ରୁଜୁ କରିଛି। ପ୍ରକାଶ ଯେ, ବାଲୁଗାଁ ଥାନା ଅନ୍ତର୍ଗତ ବରକୁଲ ସୁବୁଦ୍ଧି ପାଟଣା ଛକର ବିଶ୍ୱଜିତ ଜଣେ ଠିକାଦାର। ସେ ଗୋପାଳପୁର ପୋର୍ଟରେ ଗ୍ରାନାଇଟ ଲଗାଇବା ପାଇଁ କ୍ରିଷ୍ଟିଲ ଗ୍ରାନାଇଟ ଦୋକାନ ମାଲିକ ପିଙ୍କୁ ଓରଫ ସୁନୀଲଙ୍କୁ ଭେଟିଥିଲେ। ଗ୍ରାନାଇଟ ଯୋଗାଣ ପାଇଁ ପିଙ୍କୁ ବିଶ୍ୱଜିତଙ୍କଠାରୁ ପର୍ଯ୍ୟାୟକ୍ରମେ ୨୦ ଲକ୍ଷ ୩୫ ହଜାର ଟଙ୍କା ଅଗ୍ରିମ ନେଇଥିଲେ। ପରେ ସେ ଟଙ୍କା ଫେରସ୍ତ ବାବଦରେ ବିଭିନ୍ନ ଆଳ ଦେଖାଇ ଠକିଥିଲେ। ଶେଷରେ ବିଶ୍ୱଜିତ ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଶାସ୍ତ୍ରୀନଗରରେ ରହୁଥିବା ସୁନୀଲଙ୍କ ବାସଭବନକୁ ଯାଇ ଟଙ୍କା ଫେରସ୍ତ କରିବାକୁ କହିଥିଲେ। ହେଲେ ସୁନୀଲ ଠିକାଦାରଙ୍କୁ ଟଙ୍କା ଫେରସ୍ତ କରିବା ପରିବର୍ତ୍ତେ ତାଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ।
ଏନେଇ ପୋଲିସ କୋର୍ଟରେ ଶନିବାର ରିମାଣ୍ଡ ରିପୋର୍ଟ ଦାଖଲ କରିଛି। ସୁନୀଲଙ୍କ ନାଁରେ ଏଭଳି ଠକେଇ ମାମଲାରେ ୩ ଗୋଟି ଜାମିନବିହୀନ ଗିରଫ ପରୱାନା (ଏନ୍‌ବିଡବ୍ଲ୍ୟୁ) ରହିଥିବା ବ୍ରହ୍ମପୁର ଏସ୍‌ଡିପିଓ ବିଷ୍ଣୁପ୍ରସାଦ ପତି ପୂର୍ବରୁ ଏକ ପ୍ରେସ୍‌ ନୋଟ୍‌ରେ ସୂଚନା ଦେଇଥିଲେ। ଦୀର୍ଘ ଏକ ମାସ ହେବ ଫେରାର ଥିବା ସୁନୀଲଙ୍କୁ ଅନ୍ୟ ଏକ ଜମି ଠକେଇ ମାମଲା ନଂ ୩/୨୨ ରେ ଗିରଫ କରି ସାଇବର ଥାନା ପୋଲିସ ଗତ ୨୦ ତାରିଖରେ ଗିରଫ କରି କୋର୍ଟ ଚାଲାଣ କରିଥିଲା।