ଭୁବନେଶ୍ୱର,୨୦ା୨(ତ୍ରିନାଥ ମହାନ୍ତି): ସବୁ ନିୟମ ଓ କଟକଣାକୁ ଫୁ’ କରିଦେଉଛନ୍ତି ବାର୍ ମାଲିକ। ପୋଲିସ ଓ ଅବକାରୀ ଚଢ଼ାଉକୁ ଖାତିର ନ କରି ଚଳାଉଛନ୍ତି ବେଆଇନ ବେପାର। ଆଗରେ ବାଉନ୍ସର ଶଟର ପକାଇ ଜଗି ରହୁଥିବାବେଳେ ଭିତରେ ଜମୁଛି ରଙ୍ଗିନ ରାତି। ଯୁବତୀଙ୍କ ନୃତ୍ୟରେ ମତୁଆଲା ହେଉଛନ୍ତି ଗ୍ରାହକ। ବାର୍ ଡ୍ୟାନ୍ସରଙ୍କ ଉପରେ ଉଡୁଛି ଟଙ୍କା। ବୁଧବାର ବାପୁଜୀନଗରସ୍ଥିତ ନୋ ଲିମିଟି ବାର୍ରେ ଚଢ଼ାଉବେଳେ ଅବକାରୀ ବିଭାଗର ଅଧିକାରୀମାନେ ଏସବୁ ଦେଖି ତାଜୁବ୍ ହୋଇଯାଇଥିଲେ। ନିକଟରେ ଖାରବେଳନଗର ଥାନାଞ୍ଚଳରେ ଥିବା ମ୍ୟାଡ୍ ମୁଲ୍ କ୍ଲବ୍ ବାରରେ ଚଢ଼ାଉ ବେଳେ ଅବକାରୀ ଅଧିକାରୀ ଓ ତାଙ୍କ ଟିମ୍ ଉପରେ ଆକ୍ରମଣ ହୋଇଥିଲା। ବାର୍ ମ୍ୟାନେଜରଙ୍କୁ ଗିରଫ ସହ ବାର୍ ସିଲ୍ କରାଯାଇଥିଲା। ହେଲେ ମାଲିକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନ ଥିଲା। ତେବେ ନୋ ଲିମିଟ୍ ବାର୍ ଘଟଣାରେ ମଧ୍ୟ ଅବକାରୀ ବିଭାଗର କାର୍ଯ୍ୟଧାରା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅବକାରୀ ଅଧିକାରୀ ଓ କର୍ମଚାରୀ ଉକ୍ତ ବାରରେ ଚଢାଉ ପରେ ସେପରି କାର୍ଯ୍ୟାନୁଷ୍ଠାନ ନେଇ ନ ଥିଲା। ଓଲଟା ନୃତ୍ୟରତ ଯୁବତୀଙ୍କୁ ଗାଡ଼ିରେ ଆଣି ତାଙ୍କ ଘରେ ଛାଡ଼ିବା ପରେ କେବଳ ବାର୍କୁ ସିଲ୍ କରି ନିଜ ଦାୟିତ୍ୱ ସାରିଛି। ମାଲିକଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବାରୁ ଏଭଳି ଘଟଣା ଏମିତି ଚାଲିଥିବ ବୋଲି ସାଧାରଣରେ ଆଲୋଚନା ହେଉଛି। ହେଲେ ଅବକାରୀ ବିଭାଗ କହିଛି, ଏଣିକି ବାର୍ ମାଲିକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଘଟଣାର ଯାଞ୍ଚ ପାଇଁ ଏକ ଟିମ୍ ଗଠନ କରାଯାଇଛି। ବାର୍ରେ ଲାଗିଥିବା ସିସିଟିଭି ଯାଞ୍ଚ କରାଯିବ। ସିସିଟିଭିରୁ ଯଦି ଘଟଣାର ସତ୍ୟାସତ ସାମ୍ନାକୁ ଆସେ ତା’ହେଲେ ଉକ୍ତ ବାର ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅବକାରୀ ଅଧୀକ୍ଷକ ଦେବାଶିଷ ପଟେଲ କହିଛନ୍ତି।
ରାଜଧାନୀରେ ଥିବା ଏକାଧିକ ବାର୍ ମାଲିକ ବାଉନ୍ସର ମୁତୟନ କରୁଛନ୍ତି। ବାର୍ରେ ବାଉନ୍ସର ଓ ଡ୍ୟାନ୍ସର ରଖିବା ଏବଂ ଟଙ୍କା ଉଡାଇବା ଉପରେ ଅବକାରୀ ବିଭାଗ କଟକଣା କରିଥିଲେ ମଧ୍ୟ କେହି ଶୁଣୁ ନାହାନ୍ତି। ବାର୍ ମ୍ୟାନେଜର ଓ ମାଲିକ ଗ୍ରାହକଙ୍କଠାରୁ ମୋଟା ଅଙ୍କର ଟଙ୍କା ଲୁଟିବା ପାଇଁ ଯୁବତୀଙ୍କୁ ଆଣି ନଚାଉଛନ୍ତି। ଯୁବତୀମାନେ ଗ୍ରାହକଙ୍କୁ ମଦ ଢାଳି ଦେବା ସହ ଡ୍ୟାନ୍ସ କରି ମନୋରଞ୍ଜନ କରୁଛନ୍ତି। ଗ୍ରାହକ ମତୁଆଲା ହୋଇ ଟଙ୍କା ଉଡାଇବା ସହ ନକଲି ଓ ଏକ୍ସପାଏରି ମଦ ପିଇ ରୋଗ କିଣୁଛି। ଭିତରେ କେହି ମୋବାଇଲ ଧରି ଫଟୋ ଉଠାଇଲେ କିମ୍ବା ଟଙ୍କା ଶୋଷଣ ନେଇ ପ୍ରତିବାଦ କଲେ ବାଉନ୍ସରମାନେ ମୋବାଇଲ ଛଡାଇ ନେବା ସହ ମାଡ଼ ମାରୁଛନ୍ତି।

