ନୂଆଦିଲ୍ଲୀ,୧୪।୭: ଲର୍ଡସ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଉଥିବା ଭାରତ ବନାମ ଇଂଲଣ୍ଡ ତୃତୀୟ ଟେଷ୍ଟ ସମୟରେ ଆଚରଣ ସଂହିତା ଉଲ୍ଲଂଘନ କରିଥିବାରୁ ମହମ୍ମଦ ସିରାଜଙ୍କୁ କଠୋର ଦଣ୍ଡ ଦେଇଛି ଆଇସିସି। ତାଙ୍କ ମ୍ୟାଚ ଫି’ର ୧୫ ପ୍ରତିଶତ ଜରିମାନା କରାଯାଇଛି। ଚତୁର୍ଥ ଦିନରେ ବେନ ଡକେଟଙ୍କ ଉଇକେଟ୍ ଉପରେ ସେଲିବ୍ରେଶନ କରିବା ପାଇଁ ସିରାଜଙ୍କୁ ଏହି ଦଣ୍ଡ ଦିଆଯାଇଛି।
ICC ତାର ବିବୃତ୍ତିରେ କହିଛି, ସିରାଜ ଖେଳାଳିମାନଙ୍କ ଏବଂ ଖେଳାଳି ସମର୍ଥନ କର୍ମଚାରୀଙ୍କ ପାଇଁ ICC ଆଚରଣ ସଂହିତାର ଧାରା ୨.୫ ଉଲ୍ଲଂଘନ କରିଥିବାରୁ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଯାହା “ଆନ୍ତର୍ଜାତୀୟ ମ୍ୟାଚ ସମୟରେ ଜଣେ ବ୍ୟାଟ୍ସମ୍ୟାନ ଆଉଟ ହେବା ସମୟରେ ତାଙ୍କ ଭାଷା, ଆଚରଣ କିମ୍ବା ଇଙ୍ଗିତ ପ୍ରତି ଆକ୍ରମଣାତ୍ମକ ପ୍ରତିକ୍ରିୟା ପ୍ରକାଶ କରିବା” ସହିତ ଜଡିତ।
ଉଇକେଟ୍ ନେବା ପରେ, ସିରାଜ ତାଙ୍କ ଫଲୋ-ଥ୍ରୁରେ ବ୍ୟାଟସମ୍ୟାନ ପାଖକୁ ଯାଇ ସେଲିବ୍ରେଶନ କରିଥିଲେ ଏବଂ ଯେତେବେଳେ ବ୍ୟାଟସମ୍ୟାନ ବେନ ଡକେଟ ଲର୍ଡସର ଲଙ୍ଗ ରୁମ ଆଡକୁ ଯାଉଥିଲେ, ସେତେବେଳେ ସିରାଜଙ୍କ କାନ୍ଧ ଡକେଟଙ୍କ କାନ୍ଧ ସହିତ ଧକ୍କା ହୋଇଥିଲା।


