Categories: Home Leftଖେଳ

IPL ନିଲାମୀ ପୂର୍ବରୁ ବଡ଼ ଟ୍ରେଡ୍‌: ବଦଳିବ ଶାମିଙ୍କ ଠିକଣା, ଲକ୍ଷ୍ନୌ ଛାଡ଼ି ଏହି ଦଳକୁ ଯିବେ!

ନୂଆଦିଲ୍ଲୀ,୧୬।୧୧: IPL ନିଲାମୀ ପୂର୍ବରୁ ଖେଳାଳିଙ୍କ ଅଦଳବଦଳ ପ୍ରକ୍ରିୟା ଜୋର୍‌ ଧରିବାରେ ଲାଗିଛି। ଏହି କ୍ରମରେ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କୁ ନେଇ ଏକ ବଡ଼ ଟ୍ରେଡ ଖବର ସାମ୍ନାକୁ ଆସିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ଶାମିଙ୍କୁ ରାଜସ୍ଥାନ ରୟାଲ୍ସ ସହ ଟ୍ରେଡ କରିବାକୁ ରାଜି ହୋଇଛି। ଏହି ଡିଲରେ ଇଂଲଣ୍ଡର ଅଲରାଉଣ୍ଡର ସାମ କରନ ଲକ୍ଷ୍ନୌ ଦଳରେ ସାମିଲ ହେବେ। କେବଳ ସେତିକି ନୁହେଁ, ତାମିଲନାଡୁର ବାମହାତୀ ସ୍ପିନର ଏମ. ସିଦ୍ଧାର୍ଥ ମଧ୍ୟ ଏହି ଟ୍ରେଡରେ ଅଂଶ ହେବେ।

ରିପୋର୍ଟ ଅନୁସାରେ, ଲକ୍ଷ୍ନୌ ଓ ରାଜସ୍ଥାନ ମଧ୍ୟରେ ଏହି ଟ୍ରେଡକୁ ନେଇ ସହମତି ହୋଇଛି। ଏହା ଅନୁସାରେ ମହମ୍ମଦ ଶାମି ରାଜସ୍ଥାନ ରୟାଲ୍ସର ଅଂଶ ହେବେ। ଅନ୍ୟପକ୍ଷରେ ସାମ କରନ ଲକ୍ଷ୍ନୌ ସୁପର ଜାଏଣ୍ଟସରେ ଯୋଗଦେବେ। ଏମ. ସିଦ୍ଧାର୍ଥଙ୍କୁ ମଧ୍ୟ ଦଳରୁ ରିଲିଜ କରିବାକୁ ଲକ୍ଷ୍ନୌ ରାଜି ହୋଇଛି। ତେବେ ଏହି ଟ୍ରେଡରେ ଔପଚାରିକ ପ୍ରକ୍ରିୟା ଏବେ ମଧ୍ୟ ବାକି ରହିଛି।

ମହମ୍ମଦ ଶାମି ନିକଟରେ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ସେପ୍ଟେମ୍ବରରେ ୩୬ ବର୍ଷରେ ପାଦ ଥାପିଥିବା ଶାମିଙ୍କ IPL ୨୦୨୬ ପ୍ରଦର୍ଶନ ପରିସଂଖ୍ୟାନ ଦୃଷ୍ଟିରୁ ବେଶ ପ୍ରଭାବଶାଳୀ ନଥିଲା। ସେ ୧୩ଟି ମ୍ୟାଚରେ ୯.୦୦ ଇକୋନୋମି ରେଟରେ ମୋଟ ୧୨ଟି ଉଇକେଟ୍‌ ନେଇଥିଲେ। ଏହା ସତ୍ତ୍ୱେ ତାଙ୍କ ଉପସ୍ଥିତି ଲକ୍ଷ୍ନୌର ବୋଲିଂ ଆକ୍ରମଣକୁ ଅଭିଜ୍ଞତା ଓ ଗଭୀରତା ପ୍ରଦାନ କରିଥିଲା। ତେବେ ଦଳ ପଏଣ୍ଟ ଟେବୁଲର ସବୁଠାରୁ ତଳ ସ୍ଥାନରେ ରହିଥିଲା।

ଟି-୨୦ କ୍ରିକେଟରେ ଶାମି ଅନେକ ଥର ପ୍ରମାଣ କରିଛନ୍ତି ଯେ ନିଜ ଅଭିଜ୍ଞତା ବଳରେ ସେ ମ୍ୟାଚର ଗତି ବଦଳାଇ ପାରନ୍ତି। ବିଶେଷ କରି ପାୱାରପ୍ଲେରେ ସେ ବେଶ ପ୍ରଭାବଶାଳୀ। ୨୦୨୪ରୁ ଏପର୍ଯ୍ୟନ୍ତ ସେ ପ୍ରଥମ ୬ ଓଭରରେ ୮.୭୬ ଇକୋନୋମି ରେଟରେ ୧୪ଟି ଉଇକେଟ୍‌ ହାସଲ କରିଛନ୍ତି।

IPL ୨୦୨୬ରେ ପାୱାରପ୍ଲେ ସମୟରେ ଲକ୍ଷ୍ନୌ ଦଳ ୮.୭୧ ଇକୋନୋମି ରେଟରେ ବୋଲିଂ କରି ସବୁଠାରୁ ଭଲ ପ୍ରଦର୍ଶନ କରିଥିବା ଦଳ ମଧ୍ୟରେ ରହିଥିଲା। ରାଜସ୍ଥାନରେ ଶାମିଙ୍କ ସହ ଦ୍ରୁତ ବୋଲର ଜୋଫ୍ରା ଆର୍ଚରଙ୍କ ଯୋଡ଼ି ଦେଖିବାକୁ ମିଳିପାରେ। ଗତ ସିଜିନରେ ଆର୍ଚର ଦଳର ପ୍ରମୁଖ ବୋଲର ଥିଲେ। ଏଭଳି ସ୍ଥିତିରେ ଉଭୟଙ୍କ ଅଭିଜ୍ଞତା ଓ ଦ୍ରୁତ ବୋଲିଂ ରାଜସ୍ଥାନର ବୋଲିଂ ଆକ୍ରମଣକୁ ନୂଆ ରୂପ ଦେଇପାରେ।

Dharitri – Odisha’s No.1 Odia Daily

Share