Categories: ଖେଳ

ବିଶ୍ୱକପ୍‌ ପୂର୍ବରୁ ଶାମିଙ୍କୁ ଆଶ୍ୱସ୍ତି, ପତ୍ନୀଙ୍କ ସହ ବିବାଦ ମାମଲାରେ ମିଳିଲା ଜାମିନ

ନୂଆଦିଲ୍ଲୀ,୨୦।୯: ଭାରତୀୟ କ୍ରିକେଟ ଦଳର ଗୁରୁତ୍ୱପୂର୍ଣ୍ଣ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କୁ ମଙ୍ଗଳବାର ପତ୍ନୀ ନିର୍ଯ୍ୟାତନା ମାମଲାରେ ଏକ ବଡ ଆଶ୍ୱସ୍ତି ମିଳିଛି। ଶାମିଙ୍କୁ ଅଲିପୁର କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା, ଏହା ପରେ ତାଙ୍କ ଜାମିନ ଆବେଦନକୁ ମଞ୍ଜୁରୀ ଦିଆଯାଇଛି। କୋର୍ଟରେ ହାଜର ହେବା ସହିତ ମହମ୍ମଦ ଶାମି ମଧ୍ୟ ତାଙ୍କ ଜାମିନ ଆବେଦନ କରିଥିଲେ।

ଅଷ୍ଟ୍ରେଲିଆ ବିପକ୍ଷ ଆଗାମୀ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ଟିମ ଇଣ୍ଡିଆର ଅଂଶ ହୋଇଥିବା ମହମ୍ମଦ ଶାମିଙ୍କ ପାଇଁ ଏହା ଏକ ବଡ ଆଶ୍ୱସ୍ତି ବୋଲି ବିବେଚନା କରାଯାଉଛି। ଶାମିଙ୍କ ସହ କୋର୍ଟ ତାଙ୍କ ଭାଇ ମହମ୍ମଦ ହାସିମଙ୍କର ମଧ୍ୟ ଜାମିନ ଆବେଦନକୁ ଅନୁମୋଦନ କରିଛନ୍ତି। ଇନସାଇଡ ସ୍ପୋର୍ଟସର ରିପୋର୍ଟ ଅନୁଯାୟୀ, ଶାମି ଏବଂ ତାଙ୍କ ଭାଇ ଓକିଲ ସଲିମ ରେହମାନଙ୍କ ସହ କୋର୍ଟରେ ହାଜର ହୋଇଥିଲେ।

ଜାମିନ ପାଇବା ପରେ ମହମ୍ମଦ ଶାମିଙ୍କ ଓକିଲ ସଲିମ ରେହମାନ କହିଛନ୍ତି , ଶାମି ଏବଂ ତାଙ୍କ ଭାଇ ହାସିମ କୋର୍ଟରେ ହାଜର ହୋଇ ଜାମିନ ଆବେଦନ କରିଥିଲେ। ତାଙ୍କ ଆବେଦନକୁ କୋର୍ଟ ଗ୍ରହଣ କରିଥିଲେ। ସୂଚନାଯୋଗ୍ୟ, ଶାମିଙ୍କ ପତ୍ନୀ ହସିନ ଜାହାଁ ୨୦୧୮ ମାର୍ଚ୍ଚ୮ରେ ଶାମି ଏବଂ ତାଙ୍କ ଭାଇଙ୍କ ଉପରେ ନିର୍ଯ୍ୟାତନା ଅଭିଯୋଗ ଆଣିବା ସହ ଯାଦବପୁର ପୋଲିସ ଷ୍ଟେଶନରେ ମାମଲା ରୁଜୁ କରିଥିଲେ।

Share