Categories: ଜାତୀୟ

ମୋଦିଙ୍କ ନୂଆ ଟିମ୍‌ରେ ୪ ଡାକ୍ତର

ନୂଆଦିଲ୍ଲୀ,୭।୭: ପ୍ରଧାନମନ୍ତ୍ରୀ ମୋଦିଙ୍କ ମନ୍ତ୍ରିମଣ୍ଡଳ ବୁଧବାର ସମ୍ପ୍ରସାରଣ ହୋଇଛି। ୪୩ ଜଣ ମନ୍ତ୍ରୀ ଶପଥ ଗ୍ରହଣ ନେଇଛନ୍ତି। ଗୁରୁତ୍ୱପୂର୍ଣ୍ଣ ବିଷୟ ମୋଦିଙ୍କ ନୂଆ ଟିମ୍‌ରେ ୪ ଜଣ ଡାକ୍ତର ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ପଶ୍ଚିମବଙ୍ଗର ବାଙ୍କୁରା ଆସନରୁ ଲୋକସଭାକୁ ଆସିଥିବା ସୁବାସ ସରକାର ମୋଦିଙ୍କ ମନ୍ତ୍ରିମଣ୍ଡଳରେ ଶପଥ ନେଇଛନ୍ତି। ଏମ୍‌ପି ସୁବାସ ପେଶାରେ ଜଣେ ଡାକ୍ତର। ସେ ସ୍ତ୍ରୀ ଓ ପ୍ରସୂତୀ ବିଶେଷଜ୍ଞ ଭାବେ କାମ କରିଛନ୍ତି ।

ରାଜ୍ୟସଭା ଏମ୍‌ପି ଡାକ୍ତର ଭାଗବତ କ୍ରିଷ୍ଣାରାଓ କରାଡଙ୍କୁ ମଧ୍ୟ ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିଛି । ଭାଗବତ କ୍ରିଷ୍ଣାରାଓ କରାଡ ଜଣେ ଡାକ୍ତର ଭାବେ ଔରଙ୍ଗାବାଦରେ ଏକ ମଲ୍ଟି ସ୍ପେଶାଲିଷ୍ଟ ହସ୍ପିଟାଲ ଆଣ୍ଡ ରିସର୍ଚ୍ଚ ସେଣ୍ଟର ଚଳାଉଛନ୍ତି । ସେହିପରି ମନ୍ତ୍ରୀ ଭାବେ ଶପଥ ନେଇଥିବା ମହାରାଷ୍ଟ୍ର ଡିଣ୍ଡୋରି ଏମ୍‌ପି ଭାରତୀ ପରଭିନ ପାୱାର ମଧ୍ୟ ପେଶାରେ ଜଣେ ଡାକ୍ତର । ରାଜନୀତିକୁ ଆସିବା ଆଗରୁ ସେ ଡାକ୍ତର ଭାବେ ଲୋକଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇ ଦେଉଥିଲେ । ମନ୍ତ୍ରୀ ଭାବେ ଆଉ ଜଣେ ଶପଥ ନେଇଥିବା ଡାକ୍ତର ହେଉଛନ୍ତି ଗୁଜୁରାଟ ସୁରେନ୍ଦ୍ର ନଗର ଏମ୍‌ପି ମୁଞ୍ଜାପରା ମହେନ୍ଦ୍ର ଭାଇ। ଗୁଜୁରାଟ ୟୁନିଭର୍ସିଟିରେ ସେ ଜେନେରାଲ ମେଡିସିନର ଏମ୍‌ଡି ଭାବେ କାର୍ଯ୍ୟ କରିଛନ୍ତି।

Share