ମହିଳା ସଂରକ୍ଷଣ ବିଲ୍‌ ପାସ୍‌ ନ ହେବାରୁ ରାଗିଗଲେ ମୋଦି, କହିଲେ ବିରୋଧୀଙ୍କୁ ଭୋଗିବାକୁ ପଡ଼ିବ…

ନୂଆଦିଲ୍ଲୀ,୧୮ା୪: ସଂସଦରେ ମହିଳା ସଂରକ୍ଷଣ ବିଲ୍‌ ପାସ ନ ହେବାରୁ ଶାସକ ଦଳ ରାଗି ପାଚି ଲାଲ୍‌। ଶନିବାର ମୋଦି କ୍ୟାବିନେଟ୍‌ର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ସୂତ୍ର ଅନୁସାରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିରୋଧୀଙ୍କ ମନୋଭାବ ପ୍ରତି ଘୋର ଅସନ୍ତୋଷ ପ୍ରକାଶ କରିଥିଲେ। ସେ କହିଥିଲେ ଯେ, ବିରୋଧୀ ମହିଳା ସଂରକ୍ଷଣ ବିଲ୍‌କୁ ସମର୍ଥନ ନ କରି ଏକ ବିରାଟ ଭୁଲ୍‌ କରିଛନ୍ତି। ବର୍ତ୍ତମାନ ଏହାର ପରିଣାମ ଭୋଗିବେ।

ପ୍ରଧାନମନ୍ତ୍ରୀ କହିଛନ୍ତି, ସରକାର ଏହି ପ୍ରସଙ୍ଗକୁ ପ୍ରତ୍ୟେକ ନାଗରିକ ଏବଂ ଗାଁ ନିକଟକୁ ନେଇ ବିରୋଧୀଙ୍କ ଉଦ୍ଦେଶ୍ୟକୁ ପ୍ରକାଶ କରିବେ। ସେ କହିଛନ୍ତି, ବିରୋଧୀ ଏବେ ନିଜର ଭୁଲକୁ ଲୁଚାଇବା ପାଇଁ ବାହାନା ଖୋଜୁଛନ୍ତି। ବିରୋଧୀ ସରକାରକୁ ନୁହେଁ, ଦେଶର ମହିଳାଙ୍କୁ ପରାସ୍ତ କରିଛନ୍ତି।

ସୂଚନା ଥାଉକି, ସରକାର ଲୋକ ସଭାରେ ମହିଳା ସଂରକ୍ଷଣ ବିଲ୍‌ ସହିତ ଜଡ଼ିତ ୧୩୧ତମ ସଂଶୋଧନ ବିଲ୍‌ ପାସ କରିବାରେ ବିଫଳ ହୋଇଥିଲେ। ଏହା ସଂସଦରେ ଆସନ ସଂଖ୍ୟା ୫୪୩ରୁ ୮୫୦କୁ ବୃଦ୍ଧି କରିବା ପାଇଁ ବ୍ୟବସ୍ଥା କରିଥିଲା। ଲୋକ ସଭାରେ ବିଲ୍‌ ଉପରେ ୨୧ ଘଣ୍ଟା ଆଲୋଚନା ପରେ ଭୋଟିଂ ହୋଇଥିଲା। ଉପସ୍ଥିତ ୫୨୮ ଏମ୍‌ପି ସେମାନଙ୍କର ମତ ଦେଇଥିଲେ। ସପକ୍ଷରେ ୨୯୮ ଏବଂ ବିପକ୍ଷରେ ୨୩୦ ଭୋଟ୍‌ ଥିଲା। ବିଲ୍‌ ପାସ କରିବା ପାଇଁ ଦୁଇ-ତୃତୀୟାଂଶ ବହୁମତ ଆବଶ୍ୟକ ଥିଲା। ୫୨୮ରୁ ଦୁଇ-ତୃତୀୟାଂଶ ହେଉଛି ୩୫୨। ତେଣୁ ବିଲ୍‌ ୫୪ ଭୋଟ୍‌ରେ ପରାଜିତ ହୋଇଥିଲା। ଏହାର ପ୍ରତିବାଦରେ ଭାଜପା ମହିଳା ଏମ୍‌ପିମାନେ ବିରୋଧୀଙ୍କ ବିରୋଧରେ ପ୍ରବଳ ପ୍ରତିବାଦ କରିଥିଲେ।

ଆଜି ଭାଜପା ଦେଶର ବିଭିନ୍ନ ରାଜ୍ୟରେ ବିରୋଧୀଙ୍କ ବିରୋଧରେ ପ୍ରତିବାଦ କରୁଛି। ରାଜଧାନୀ ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ମଧ୍ୟ ପ୍ରତିବାଦରେ ଅଂଶଗ୍ରହଣ କରିଥିଲେ। ଦଳୀୟ ନେତାମାନେ ବିରୋଧୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣି କହିଥିଲେ ଯେ, ମହିଳା ସଶକ୍ତିକରଣ ପ୍ରସଙ୍ଗକୁ ରାଜନୀତିକରଣ କରାଯାଉଛି।

ପୂର୍ବରୁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ବିଲ୍‌ ବିଫଳତା ଉପରେ ନିଜର ଅସନ୍ତୋଷ ପ୍ରକାଶ କରି ବିରୋଧୀଙ୍କ ଉପରେ କଡ଼ା ଆକ୍ରମଣ କରିଥିଲେ। ସେ ଏହାକୁ ମହିଳାଙ୍କ ପ୍ରତି ‘ବିଶ୍ୱାସଘାତ’ ବୋଲି କହିଥିଲେ। ୨୦୨୯ ନିର୍ବାଚନରେ ବିରୋଧୀ ଦଳକୁ ଏହାର କୁପରିଣାମ ଭୋଗିବାକୁ ପଡ଼ିବ। ଶାହା ବିରୋଧୀ ଦଳ ଉପରେ ମହିଳାମାନଙ୍କୁ ବିଶ୍ୱାସଘାତକତା କରିବାର ଅଭିଯୋଗ ଆଣିଥିଲେ। ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରି ଶାହା କହିଛନ୍ତି, ଦେଶର ଅଧା ଜନସଂଖ୍ୟା ୭୦ କୋଟି ମହିଳାଙ୍କ ବିଶ୍ୱାସ ହରାଇବା ପରେ ଜଣେ କିପରି ବିଜୟର ଉତ୍ସବ ପାଳନ କରିପାରିବେ?

Dharitri – Odisha’s No.1 Odia Daily

Share