Categories: ରାଜ୍ୟ

ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ଏହି ସବୁ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର,୧୮।୩: ଓଡ଼ିଶା ଉପକୂଳ ସଂଲଗ୍ନ ବଙ୍ଗୋପସାଗରରେ ଗୁରୁଚାପ ବଳୟ ରହୁଥିବାରୁ ବାୟୁମଣ୍ଡଳର ମଧ୍ୟଭାଗରୁ ଉପରଭାଗ ମଧ୍ୟରେ ନିମ୍ନଚାପରେଖା ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆସନ୍ତାକାଲିଠାରୁ କେତେକ ଜିଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଏବଂ ଢେଙ୍କାନାଳ ଜିଲାରେ ବିଜୁଳି ଘଡଘଡି ସହିତ ୩୦-୪୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ଥିବାରୁ ଏହି ସବୁ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ସ୍ବେହିଭଳି ଆସନ୍ତା ୨୧ ତାରିଖ ଯାଏଁ କାଳବୈଶାଖୀର ପ୍ରଭାବ ରହିବ ବୋଲି ମଧ୍ୟ ସୂଚନା ଦିଆଯାଇଛି । ମଙ୍ଗଳବାର ଏବଂ ବୁଧବାର ମଧ୍ୟରେ ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ବଲାଙ୍ଗିର, ରାୟଗଡ଼, ନବରଙ୍ଗପୁର, ଅନୁଗୁଳ, ନୟାଗଡ଼, ଢେଙ୍କାନାଳ ଜିଲାରେ ବର୍ଷା ହେବାର ସମ୍ଭାବନା ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଏବଂ କଟକ, ଗଞ୍ଜାମ ଓ ଖୋର୍ଦ୍ଧା ଜିଲ୍ଲାରେ ବର୍ଷାର ସମ୍ଭାବନା ଥିବାରୁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।