ଆରମ୍ଭ ହୋଇନି ମଡେଲ୍‌ ବସ୍‌ଷ୍ଟାଣ୍ଡ ନିର୍ମାଣ

ସୋନପୁର,୨୭।୩(ନି.ପ୍ର.):ସୁବର୍ଣ୍ଣପୁରର ମଡେଲ ବସ୍‌ଷ୍ଟାଣ୍ଡ ନିର୍ମାଣ ଅନିଶ୍ଚିତତା ମଧ୍ୟରେ ରହିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପ ନିର୍ମାଣ ପାଇଁ ଶିଳାନ୍ୟାସ କରିଥିଲେ। ଏଥିପ୍ରତି ରାଜ୍ୟ ପରିବହନ ବିଭାଗ, ପୌର ପରିଷଦ କି ଜିଲା ପ୍ରଶାସନ କାହାରି ଦୃଷ୍ଟି ନାହିଁ। ନିର୍ବାଚିତ ଲୋକ ପ୍ରତିନିଧିଙ୍କର ମଧ୍ୟ ଏହି ପ୍ରକଳ୍ପ ପାଇଁ ଆନ୍ତରିକତା ଥିଲା ଭଳି ଜଣାପଡୁନି।
ମୁଖ୍ୟମନ୍ତ୍ରୀ ୨୦୨୧ ଡିସେମ୍ବର ୨୩ ତାରିଖରେ ଭୁବନେଶ୍ୱରରୁ ଭିଡିଓ କନଫରେନ୍ସିଂ ଯୋଗେ ସୁବର୍ଣ୍ଣପୁର ଜିଲାର ସୁବର୍ଣ୍ଣପୁର ସହର ସମେତ, ବୀରମହାରାଜପୁର, ଉଲୁଣ୍ଡା ଓ ବିନିକାରେ ନୂତନ ବସଷ୍ଟାଣ୍ଡ ନିର୍ମାଣ ପାଇଁ ଶିଳାନ୍ୟାସ କରିଥିଲେ। ଏହି ବସ୍‌ଷ୍ଟାଣ୍ଡଗୁଡିକ ଜିଲାର ସାମଗ୍ରିକ ବିକାଶ ଓ ଯୋଗାଯୋଗ କ୍ଷେତ୍ରରେ ସହାୟକ ହେବ ବୋଲି କୁହାଯାଇଥିଲା। ଜିଲାପାଳଙ୍କ କାର୍ଯ୍ୟାଳୟର ଓସଓ୍ବାନ ହଲଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲାପାଳ ଅବୋଲି ସୁନିଲ ନରଓ୍ବଣେଙ୍କ ସମେତ ଜିଲାସ୍ତରୀୟ ଓ ପରିବହନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ। ତେବେ ଜିଲା ସଦର ମହକୁମାର ନୂତନ ବସ୍‌ଷ୍ଟାଣ୍ଡ ପ୍ରକଳ୍ପ ସରକାରଙ୍କ ଫାଇଲ ଭିତରେ ପଡି ରହିଛି। ଏଠାରେ ଥିବା ପୁରୁଣା ବସଷ୍ଟାଣ୍ଡ ଓ ପୁରୁଣା ଟାଉନ ହଲକୁ ଭାଙ୍ଗି ଏକ ଅତ୍ୟାଧୁନିକ ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ପ୍ରସ୍ତାବ ରହିଛି। କିନ୍ତୁ ଏହି ପ୍ରକଳ୍ପକୁ ନେଇ ଯେପରି ବ୍ୟଗ୍ରତା ପ୍ରକାଶ ପାଇବା କଥା ତାହା ଦେଖିବାକୁ ମିଳୁନି। ତେଣୁ ମଡେଲ ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଥିବା ପ୍ରଶାସନ ଭୁଲିଗଲାଣି ବୋଲି ସାଧାରଣରେ ଆଲୋଚନା ହେଉଛି।
ସୁବର୍ଣ୍ଣପୁର ଜିଲା ଗଠନ ହେବା ଇତି ମଧ୍ୟରେ ୨୯ ବର୍ଷ ବିତି ସାରିଛି। ଜିଲା ସଦର ମହକୁମାରେ ଜନସଂଖ୍ୟା ବୃଦ୍ଧି ପାଇବା ସହିତ ସମସ୍ତ ଜିଲାସ୍ତରୀୟ କାର୍ଯ୍ୟାଳୟ କାର୍ଯ୍ୟକ୍ଷମ ହୋଇସାରିଛି। ଜିଲାର ଡୁଙ୍ଗୁରିପାଲି ବ୍ଲକ ବ୍ୟତୀତ ଅନ୍ୟ ଅଞ୍ଚଳକୁ ରେଳ ସୁବିଧା ଏଯାଏ ଉପଲବ୍ଧ ହୋଇ ପାରିନାହିଁ। ଫଳରେ ଯାତାୟତ ପାଇଁ ହଜାର ହଜାର ଯାତ୍ରୀ ସୁବର୍ଣ୍ଣପୁର ବସ୍‌ଷ୍ଟାଣ୍ଡ ଉପରେ ହିଁ ନିର୍ଭର କରନ୍ତି। ପଡୋଶୀ ଜିଲାମାନଙ୍କ ସହ ଜିଲାର ବିଭିନ୍ନ ଅଞ୍ଚଳକୁ ପ୍ରତିଦିନ ଏହି ବସ୍‌ଷ୍ଟାଣ୍ଡକୁ ଯାତ୍ରୀବାହୀ ବସ ଯୋଗେ ଲୋକେ ଆସିଥାନ୍ତି। ହେଲେ ପୁରୁଣା ବସଷ୍ଟାଣ୍ଡରେ ହିଁ କାମ ଚଳାଯାଉଛି। ମନ୍ଦିରମାଳିନୀ ସହର ସମେତ ଜିଲାରେ ରହିଥିବା ପର୍ଯ୍ୟଟନସ୍ଥଳୀ ଗୁଡିକୁ ବର୍ଷର ସବୁ ସମୟରେ ପର୍ଯ୍ୟଟକ ଆସନ୍ତି। କିନ୍ତୁ ଏଠାରେ ଥିବା ପୁରାତନ ବସ୍‌ଷ୍ଟାଣ୍ଡର ଅବସ୍ଥା ଶୋଚନୀୟ ହୋଇପଡିଛି। ଯାତ୍ରୀ ବିଶ୍ରାମଗାର ଓ ଶୌଚାଳୟର ସୁବିଧା ନାହିଁ ଅଳିଆ ଆବର୍ଜନା ପଡି ରହୁଛି। କିଛି ଅଂଶ ଜବରଦଖଲକାରୀଙ୍କ କବ୍‌ଜାକୁ ଚାଲିଗଲାଣି । ତେଣୁ ବାହାରୁ ଆସୁଥିବା ଲୋକ ଏହା ଦେଖି ନାକ ଟେକୁଛନ୍ତି।
୨୦୦୬ ମସିହାରେ ତତ୍କାଳୀନ ନଗର ଉନ୍ନୟନ ମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଏହି ବସ୍‌ଷ୍ଟାଣ୍ଡର ନବକଳେବର କରିଥିଲେ। କିନ୍ତୁ ପ୍ରଶାସନର ଦୂରଦୃଷ୍ଟି ଅଭାବରୁ ଯାତ୍ରୀ ବିଶ୍ରାମଗାରଟି ବସ୍‌ଷ୍ଟାଣ୍ଡର ପଛପାର୍ଶ୍ୱରେ ନିର୍ମାଣ କରାଯାଇଥିଲା। ଏହି ବିଶ୍ରାମଗାରଟି ଏବେ ଅବ୍ୟବହୃତ ହୋଇ ପଡିରହିଛି। ପ୍ରତ୍ୟହ ୨୦ରୁ ୨୫ଟି ଲୋକାଲ ବସ ଓ ୧୫ରୁ ଊର୍ଦ୍ଧ୍ୱ ରାତ୍ରିକାଳୀନ ଏକ୍ସପ୍ରେସ ବସ୍‌ଷ୍ଟାଣ୍ଡ ଦେଇ ଯାତାୟତ କରୁଛି। ସହରରେ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେଉଛି। ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ପୂର୍ତ୍ତ ବିଭାଗ ୧୪ କୋଟି ଟଙ୍କାର ଏଷ୍ଟିମେଟ ପ୍ରସ୍ତୁତ କରିଛି। ମାତ୍ର ଏହା ସରକାରଙ୍କ ଦ୍ୱାରା ଅନୁମୋଦିତ ହୋଇନାହିଁ। ପୌରପରିଷଦର ଜମି ଉପରେ ଓଡିଶା ରାଜ୍ୟ ପରିବହନ ନିଗମ, ଗୃହ ଓ ନଗର ଉନ୍ନୟନ ବିଭାଗ କି ପୂର୍ତ୍ତ ବିଭାଗ କାମ କରିବ ତାହା ଚୂଡାନ୍ତ ହୋଇପାରୁନି।