ବତିଘର ପଞ୍ଚାୟତକୁ ମିଳିଲା ମୋବାଇଲ ଆମ୍ବୁଲାନ୍ସ: ଡୋର୍‌ ଟୁ ଡୋର୍‌ ସ୍କ୍ରିନ୍‌ ଟେଷ୍ଟ କରିବେ ସ୍ବାସ୍ଥ୍ୟ କର୍ମଚାରୀ

ମହାକାଳପଡ଼ା,୨୪ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନଦୀନାଳ ଘେରା ଆଇଲାଣ୍ଡ ବତିଘର ପଞ୍ଚାୟତକୁ ନାହିଁ ଯାତାୟାତ ବ୍ୟବସ୍ଥା। ଫଳରେ ପଞ୍ଚାୟତ ଅଧୀନ ୧୦ଟି ଗାଁରେ ବସବାସ କରୁଥିବା ୧୨ହଜାରରୁ ଊର୍ଦ୍ଧ୍ୱ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗୁରୁତର ରୋଗୀଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ଆମ୍ବୁଲାନ୍ସ ସେବା ବୋଟ୍‌ ରହିଛି। ହେଲେ ବୋଟ୍‌ ଆମ୍ବୁଲାନ୍ସକୁ ଆସିବାକୁ ରୋଗୀ ପାଇଁ ସମସ୍ୟା ଉପୁଜି ଥାଏ। କେନ୍ଦ୍ରାପଡ଼ା ଏମ୍‌ପି ବୈଜୟନ୍ତ ପଣ୍ଡା ଓ ମହାକାଳପଡା ବିଧାୟକ ଡ. ଦୁର୍ଗା ପ୍ରସନ୍ନ ନାୟକଙ୍କ ଉଦ୍ୟମରେ ପ୍ରଶାନ୍ତି ବାଲ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଏକ ଆମ୍ବୁଲାନ୍ସ ସେବା ଭ୍ୟାନ୍‌ ଯୋଗାଇ ଦିଆଯାଇଛି। ଏନେଇ ପଞ୍ଚାୟତବାସୀ ଖୁସି ପ୍ରକଟ କରିଛନ୍ତି। ଏହାଦ୍ୱାରା ପଞ୍ଚାୟତବାସୀଙ୍କ ଡୋର୍‌ ଟୁ ଡୋର୍‌ ସ୍କ୍ରିନ୍‌ ଟେଷ୍ଟ କରିବେ ସ୍ବାସ୍ଥ୍ୟ ସେବା କର୍ମଚାରୀ। ଜଣେ ସର୍ଜନ, ଫାର୍ମାସିଷ୍ଟ, ନର୍ସ, କୋଅର୍ଡିନେଟର ଓ ଭ୍ୟାନ୍‌ ଚାଳକଙ୍କ ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା ଉପଲବ୍ଧ ହେବ ବୋଲି କୁହାଯାଉଛି। ଏଥିରେ ଶିଶୁ, ଗର୍ଭବତୀ, ଗୁରୁତର ରୋଗୀ ଓ ଅନ୍ୟାନ୍ୟ ସ୍ବାସ୍ଥ୍ୟ ସେବା ପରୀକ୍ଷଣ କରାଯିବ ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା। ଗୁରୁବାର ଅପରାହ୍ନରେ ଏହି ସ୍ବାସ୍ଥ୍ୟସେବା ଭ୍ୟାନ୍‌କୁ ଅନୁଷ୍ଠାନ ପକ୍ଷରୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ ସରପଞ୍ଚ ଶିବାନୀ ବିଜୁଳି, ସମିତିସଭ୍ୟ କ୍ରିଷ୍ଣପଦ ମଣ୍ଡଳ ଓ ସଂସ୍ଥା ଅଧିକାରୀମାନେ।

Dharitri – Odisha’s No.1 Odia Daily

Share