୨୪ ଘଣ୍ଟା ଭିତରେ କଡ଼ା ପଦକ୍ଷେପ ଗ୍ରହଣ କଲେ ବିଧାୟକ, ଲୋକଙ୍କ ସମସ୍ୟାକୁ ବୁଝି ଗାଁରେ କଲେ…

ପୁରୁଷୋତ୍ତମପୁର,୧୦ା୫(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ବଡ଼ଖରିଡ଼ା ପଞ୍ଚାୟତର ବାଣନଈ ଗ୍ରାମରେ ପାଣି ପାଇଁ ଲୋକେ ଶନିବାର ରାଜରାସ୍ତାକୁ ଓହ୍ଲାଇଥିବା ବେଳେ ଲୋକଙ୍କ ଦାବିକୁ ଅତି ଗୁରୁତର ସହ ନେଇଥିଲେ କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ। ଫୋନ ମାଧ୍ୟମରେ ଲୋକଙ୍କ ସହ ଆଲୋଚନା କରି ଯଥାଶୀଘ୍ର ନୂତନ ବୋରଓ୍ବେଲ ଖୋଳିବା ଲାଗି ପ୍ରତିଶ୍ରୁତି ଦେଇଥିଲେ। ହେଲେ ପ୍ରତିଶ୍ରୁତିର ମାତ୍ର ୨୪ ଘଣ୍ଟା ନ ପୂରୁଣୁ ଗ୍ରାମରେ ସରପଞ୍ଚ ପ୍ରତିନିଧି ରମେଶଚନ୍ଦ୍ର ଦଳେଇଙ୍କ ଉପସ୍ଥିତିରେ ଖୋଳା ହୋଇଛି ତିନିଗୋଟି ବୋରଓ୍ବେଲ। ବିଧାୟକଙ୍କ ଏଭଳି ପ୍ରତିଶ୍ରୁତି ମୁତାବକ କଡ଼ା ପଦକ୍ଷେପକୁ ନେଇ ଗ୍ରାମବାସୀ ସାଧୁବାଦ ଜଣାଇବା ସହ ପାନୀୟ ଜଳକଷ୍ଟରୁ ତ୍ରାହି ମିଳିବ ବୋଲି କହିଛନ୍ତି। କବିସୂର୍ଯ୍ୟନଗର ବିଧାୟକଙ୍କ ଏଭଳି ପଦକ୍ଷେପ ଏକ ଉଦାହରଣ ପାଲଟିଛି। ଯଦି ସମସ୍ତ ବିଧାୟକ କବିସୂର୍ଯ୍ୟନଗର ବିଧାୟକଙ୍କ ଭଳି ନିଜନିଜ ଅଞ୍ଚଳରେ ଜନସାଧାରଣ ମୌଳିକ ସମସ୍ୟାକୁ ଗୁରୁତ୍ୱ ଦେଇ ସମାଧାନର ପଦକ୍ଷେପ ନିଅନ୍ତି ତେବେ ଦୁର୍ଦ୍ଦିନରେ ରହିଥିବା ଗ୍ରାମାଞ୍ଚଳ ଜନସାଧାରଣ ସେମାନଙ୍କ ମୌଳିକ ସମସ୍ୟାରୁ ମୁକ୍ତି ପାଇପାରନ୍ତେ ବୋଲି ସାଧାରଣରେ ମତପ୍ରକାଶ ପାଇଛି।

ସୂଚନାଯୋଗ୍ୟ, ଗତ ଏକମାସ ହେଲା ପ୍ରଚଣ୍ଡ ରୌଦ୍ରତାପର ପ୍ରକୋପ ସାଙ୍ଗକୁ ଗ୍ରାମରେ ରହିଥିବା ପୁରୁଣା ବୋରଓ୍ବେଲର ଜଳସ୍ତର କମିଯିବାରୁ ଗ୍ରାମବାସୀଙ୍କୁ ପିଇବାକୁ ପାଣି ଟୋପେ ମିଳୁନାହିଁ। ଲୋକେ ବହୂଦୂର ବିଲମାଳ ଯାଇ କୂଅରୁ ପାଣିଆଣୁଥିବା ବେଳେ ବର୍ତ୍ତମାନ ସେହି କୂଅପାଣି ମଧ୍ୟ ଶୁଖିଯାଇଛି। ଯାହାଦ୍ବାରା ରୋଷେଇ କରିବା ଓ ପିଇବା ଲାଗି ପାଣି ମିଳୁନାହିଁ। ଏଥିନେଇ ଗ୍ରାମବାସୀ ଗ୍ରାମ୍ୟ ଜଳଯୋଗାଣ ଯନ୍ତ୍ରୀଙ୍କ ସମେତ ପ୍ରଶାସନଠାରେ ବାରମ୍ବାର ଅଭିଯୋଗ ଜଣାଯାଇଥିଲେ ମଧ୍ୟ କେହି ଖାତିର ନ କରିବାରୁ ନିରୂପାୟ ହୋଇ ଶେଷରେ ଗ୍ରାମର ଶହଶହ ମହିଳା ପୁରୁଷ ଏକତ୍ର ହୋଇ ଖାଲି ହାଣ୍ଡି ମାଠିଆ ଧରି ରାଜରାସ୍ତାକୁ ଆସି ଟାୟାର ଜାଳି ଆସିକା ହୁମା ମୁଖ୍ୟ ରାସ୍ତାକୁ ଅବରୋଧ କରି ଧାରଣାରେ ବସିଥିଲେ। ପୋଲିସ ପ୍ରଶାସନ ଘଟଣାସ୍ଥଳକୁ ଯାଇ ଆନ୍ଦୋଳନକାରୀଙ୍କୁ ବୁଝାଶୁଝା କରିବାରେ ନାକେଦମ ହୋଇପଡ଼ିଥିବା ବେଳେ ଏହାର ଖବରପାଇ କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ଫୋନ ମାଧ୍ୟମରେ ଲୋକଙ୍କ ସହ ଆଲୋଚନା କରି ତୁରନ୍ତ ଟ୍ୟାଙ୍କର ମାଧ୍ୟମରେ ସମସ୍ତ ସାହିକୁ ପାଣି ଯୋଗାଇବାର ବ୍ୟବସ୍ଥା କରିଛନ୍ତି। ଏଥିସହ ତତ୍‌କ୍ଷଣାତ ଗ୍ରାମରେ ବୋରଓ୍ବେଲ ଖୋଳିବା ଲାଗି ପ୍ରତିଶ୍ରୁତି ଦେଇ ଗ୍ରାମ୍ୟ ଜଳଯୋଗାଣ ବିଭାଗୀୟ ସହକାରୀଯନ୍ତ୍ରୀ ପ୍ରଦୀପ କୁମାର ତ୍ରିପାଠୀଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।

Dharitri – Odisha’s No.1 Odia Daily

Share