ଗଜପତି,୩।୧(ଗିରିଧାରୀ ପରିଚ୍ଛା): ପାରଳାଖେମୁଣ୍ଡି ବିଧାୟକ ଇଂ ରୁପେଶ କୁମାର ପାଣିଗ୍ରାହୀ ଶନିବାର ସନ୍ଧ୍ୟାରେ ନବୀନ ନିବାସକୁ ଯାଇ ସେଠାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟି ତାଙ୍କୁ ନୂତନ ବର୍ଷର ଅଭିନନ୍ଦନ ଜଣାଇଛନ୍ତି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପାରଳାଖେମୁଣ୍ଡିକୁ ବହୁତ ଭଲ ପାଆନ୍ତି। କାରଣ ତାଙ୍କ ଜେଜେବାପା ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ ଅତୀତରେ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଦିୱାନ ଥିଲେ। ଅନ୍ୟପକ୍ଷରେ କିମ୍ବଦନ୍ତୀ ପୁରୁଷ ବିଜୁ ପଟ୍ଟନାୟକ ମଧ୍ୟ ସ୍ବର୍ଗତ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ସହଯୋଗ ଓ ସମର୍ଥନରେ ପାଇଲଟ ତାଲିମ ପାଇଁ ଫେଲୋଶିପ ପାଇଥିଲେ। ଏହା ବ୍ୟତୀତ ଗଜପତି ଜିଲାର ଆଦିବାସୀ ଏବଂ କୃଷକମାନଙ୍କ ପ୍ରତି ସମଭାବ ବିଷୟରେ ଅନେକ କିଛି ସେ ବିଧାୟକଙ୍କ ସହିତ ଆଲୋଚନା କରିଥିଲେ। ମୁଖ୍ୟତଃ ଚଳିତ ବର୍ଷ ଚାଷୀଙ୍କ ଭଲ ଧାନ ହୋଇଛି ଏବଂ ସେ ସବୁ ଧାନ ଚାଷୀ ମଣ୍ଡିରେ ଧାନ ଦେବେ । ସେହି ପରିପ୍ରେକ୍ଷୀରେ ଚାଷୀଙ୍କ ଟୋକେନ ଏବଂ ଧାନ କ୍ରୟ ସମୟରେ କଟନି ଛଟନି ସମସ୍ୟା ଯେଭଳି ନ ହୁଏ ଏବଂ ଚାଷୀ ସୁରୁଖୁରୁରେ ଧାନ ଦେଇ ଉଚିତ ସମୟରେ ଉଚିତ ପ୍ରାପ୍ୟ ଯେଭଳି ଚାଷୀଙ୍କ ଖାତାକୁ ଯିବ , ଏଭଳି ବିଭିନ୍ନ ବିଷୟରେ ପାରଳା ବିଧାୟକଙ୍କ ସହ ଆଲୋଚନା କରିଥିଲେ। ପାରଳା ବିଧାୟକ ନବୀନଙ୍କୁ ନୂତନ ବର୍ଷର ଅଭିନନ୍ଦନ ଜଣାଇବା ସମୟରେ ତାଙ୍କ ସହିତ ତାଙ୍କ ଝିଅ ପରିବେଶ ସୁରକ୍ଷା ଗବେଷିକା ଧୃତିମୋକ୍ଷା ପାଣିଗ୍ରାହୀ ଏବଂ ପୁତୁରା ଶ୍ରୀ ବିଶ୍ୱରାଜ ପାଣିଗ୍ରାହୀ ଉପସ୍ଥିତ ଥିଲେ ।


