କୁନ୍ଦୁରା,୫ା୧(ସନ୍ତୋଷ ପ୍ରହରାଜ): କୋରାପୁଟ ଜିଲା କୁନ୍ଦୁରା ବ୍ଲକ ଅଧୀନରେ ରହିଥିବା ବିଭିନ୍ନ ପଞ୍ଚାୟତରେ ନୂତନ ଭାବେ ନିର୍ମିତ ଉନ୍ନୟନମୂଳକ ଯୋଜନାର ଶୁଭ ଉଦ୍ଘାଟନ କରିଛନ୍ତି କୋଟପାଡ଼ ବିଧାୟକ ରୂପୁ ଭତ୍ରା। ବିକଶିତ ଗ୍ରାମ ବିକଶିତ ଓଡ଼ିଶା ଅଧୀନରେ ରହିଥିବା ଉନ୍ନୟନମୂଳକ ଶୁଭାରମ୍ଭ କାର୍ଯ୍ୟକ୍ରମରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ବନିତା କାନ୍ଦଲିଆ, ଜିଲା ପରିଷଦ ଉପାଧ୍ୟକ୍ଷ ରାଧାବିନୋଦ ସାମନ୍ତରାୟ,ସମିତି ଉପାଧ୍ୟକ୍ଷ ତରୁଣୀସେନ ବିଷୋୟୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ପି ମନସ୍ମିତା, କୁନ୍ଦୁରା ମଣ୍ଡଳ ସଭାପତି ପଦ୍ମନାଭ ବିଷୋୟୀ,ଏମ୍ପି ପ୍ରତିନିଧି ଅମ୍ବୁ ପାତ୍ର, ବିଧାୟକ ପ୍ରତିନିଧି ବଦ୍ରିନାରାୟଣ ଆଚାର୍ଯ୍ୟ, ବାଗଦେରୀ ସରପଞ୍ଚ ମାଣିକ ସାନ୍ତା,ରାଣୀଗୁଡ଼ା ସରପଞ୍ଚ ଶିବ ପ୍ରଧାନୀ, ବେଣୁଧର ପାତ୍ର, ତୁଷାର ଭଟ୍ଟପ୍ରମୁଖ ଉପସ୍ଥିତ ଥିଲେ। ରାଣୀଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ଆଟି ଗାଁଠାରେ ରାଜ୍ୟ ସରକାରଙ୍କ ପକ୍ଷରୁ ନୂତନ ଭାବେ ନିର୍ମିତ ଭୋଗ ମଣ୍ଡପ ଏବଂ ରାଣୀଗୁଡ଼ା ସଦର ମହକୁମାଠାରେ ଏକ ଗୋଷ୍ଠୀ ସାଧନ କେନ୍ଦ୍ରର ଶୁଭ ଉଦ୍ଘାଟନ କରିଛନ୍ତି କୋଟପାଡ଼ ବିଧାୟକ। ସେହିଭଳି ଉପାନ୍ତ ବାଗଦେରୀ ପଞ୍ଚାୟତ ଅନ୍ତର୍ଗତ ବୁଦାଗୁଡ଼ାଠାରେ ଗ୍ରାମବାସୀଙ୍କ ସେବାରେ ଉଦ୍ଦିଷ୍ଟ ବନ ସୁରକ୍ଷା ସମିତି ଗୃହର ଶୁଭ ଉଦଘାଟନ କରିଛନ୍ତି ବିଧାୟକ। ପାହାଡ଼ ଜଙ୍ଗଲ ଘେରା ବୁଦାଗୁଡା ଗ୍ରାମକୁ ଲାଗି ରହିଥିବା ଜଙ୍ଗଲର ସୁରକ୍ଷା ନିମନ୍ତେ ଏହି ଗୃହ କରାଯାଇଥିବା ବିଧାୟକ କହିଛନ୍ତି। ଏଥିସହ ଏହି ଗ୍ରାମରେ ରହିଥିବା ପ୍ରାଥମିକ ବିଦ୍ୟାଳୟର ଅତିରିକ୍ତ ଶ୍ରେଣୀଗୃହ, ଠାକୁରାଣୀ ହୁଣ୍ଡି ଏବଂ ଭାଗବତ ଟୁଙ୍ଗି ନିମନ୍ତେ ବିଧାୟକ ପାଣ୍ଠିରୁ ୧୫ ଲକ୍ଷ ଟଙ୍କା ମଧ୍ୟ ପ୍ରଦାନ କରାଯାଇଥିବା ଗ୍ରାମବାସୀଙ୍କୁ ବିଧାୟକ କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଅଶ୍ରୁ ସାନ୍ତା, ନୀଳ ଅମନାତ୍ୟ, ବାସୁ ଦୁରୁଆ, ପର୍ଶୁରାମ ଘିଉରିଆ, ଉଦୟ ସାନ୍ତା ପ୍ରମୁଖ ଉପସ୍ଥିତ ଥିଲେ।


