ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା କାର୍ଡ ବଣ୍ଟନ କଲେ ବିଧାୟକ ସିଦ୍ଧାନ୍ତ: ହିତାଧିକାରୀ ପାଇବେ ଅତିରିକ୍ତ ଚାଉଳ, ତାଲିକାରେ ଏମାନେ…

ଦିଗପହଣ୍ଡି,୨୨।୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକର ସିଦ୍ଧେଶ୍ୱର , କୋଟିନଡା , କୁଶପଡା ଓ ବାସୁଦେବପୁର ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ଆୟୋଜିତ ସତନ୍ତ୍ର କାର୍ଯ୍ୟକ୍ରମରେ ଦିଗପହଣ୍ଡି ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାରେ ହିତାଧିକାରୀଙ୍କୁ ଅତିରିକ୍ତ ୫ କେଜି ଚାଉଳ ଯୋଗାଣ ବ୍ୟବସ୍ଥା ପାଇଁ ସ୍ବତନ୍ତ୍ର ରାଶନ କାର୍ଡ ବଣ୍ଟନ କରିଛନ୍ତି। ବ୍ଲକ ମାର୍କେଟିଂ ଇନ୍ସପେକ୍ଟର ବ୍ରଜେଶ୍ବର ରାୟଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ଜାତୀୟ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନ ଅନୁସାରେ ଦିଗପହଣ୍ଡି ବ୍ଲକ ୨୫ ପଞ୍ଚାୟତ ଅଧିନ ବିଭିନ୍ନ ଗ୍ରାମର ୪୦୨୫୭ ହିତାଧିକାରୀ ଏହି ଯୋଜନାରେ ଅତିରିକ୍ତ ଚାଉଳ ପାଇବେ ବୋଲି ଜଣାପଡିଛି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଏବଂ ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ମିଳିତ ସମନୱୟରେ ପ୍ରତ୍ୟେକ ଗରିବ ଲୋକଙ୍କ ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି । କୌଣସି ବ୍ୟକ୍ତି ଖାଦ୍ୟାଭାବରୁ ହଇରାଣ ନହୁଅନ୍ତି ସେ ନେଇ ପୂର୍ବରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ହିତାଧିକାରୀଙ୍କୁ ମାସିକ ୫ କିଲୋ ଚାଉଳ ପ୍ରଦାନ କରାଯାଉଥିବା ବେଳେ ବର୍ତ୍ତମାନ ରାଜ୍ୟ ସରକାର ଏହି ଯୋଜନାରେ ହିତାଧିକାରୀଙ୍କୁ ମୁଣ୍ଡ ପିଛା ଅତିରିକ୍ତ ୫ କିଲୋ ଚାଉଳ ସମ୍ପୂର୍ଣ୍ଣ ମାଗଣାରେ ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଥିବା ବିଧାୟକ କହିଛନ୍ତି। ପ୍ରତ୍ୟେକ ନୂତନ ରାଶନ କାର୍ଡ ହିତାଧିକାରୀ ମାଗଣାରେ ୧୦ କେଜି ଚାଉଳ ପାଇପାରିବେ। ପ୍ରଥମ ପର୍ଯ୍ୟାୟରେ ଦିଗପହଣ୍ଡି ବ୍ଳକର ୪ଟି ପଞ୍ଚାୟତରେ ଏହି ସ୍ବତନ୍ତ୍ର କାର୍ଡ ବଣ୍ଟନର ଶୁଭାରମ୍ଭ କରାଯାଇଥିବା ବେଳେ ପରବର୍ତ୍ତୀ ସମୟରେ ସମସ୍ତ ପଞ୍ଚାୟତର ହିତାଧିକାରୀମାନଙ୍କୁ ଅତିରିକ୍ତ ଚାଉଳ କାର୍ଡ ବଣ୍ଟନ କରାଯିବ ବୋଲି ବ୍ଲକ ମାର୍କେଟିଂ ଇନ୍ସପେକ୍ଟର ସୂଚନା ଦେଇଛନ୍ତି।କାର୍ଯ୍ୟକ୍ରମରେ ବିଧାୟକଙ୍କ ସହ ସିଦ୍ଧେଶ୍ୱର ପଞ୍ଚାୟତ ସରପଞ୍ଚ ବିଜୟ କୁମାର ପ୍ରଧାନ , ସମିତି ସଭ୍ୟ ପ୍ରତିନିଧି ପ୍ରଶାନ୍ତ କୁମାର ପ୍ରଧାନ , କୁଶପଡା ସରପଞ୍ଚ ବନିତା ସେଠୀ , ସମିତି ସଭ୍ୟ ରୀନା ଦୋରା , କୋଟିନଡା ସରପଞ୍ଚ ଗୀତାଞ୍ଜଳି ବେହେରା , ସମିତି ସଭ୍ୟ ତମାଳ ନାୟକ , ବାସୁଦେବପୁର ସରପଞ୍ଚ ଏମ .ଶ୍ୟାମଘନ , ସରପଞ୍ଚ ପ୍ରତିନିଧି ଏମ. ସନ୍ତୋଷ ଙ୍କ ସମେତ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

Odisha’s No.1 Odia Daily

Share