ମହାନତା ଦେଖାଇଲେ ବିଧାୟିକା

ସୁନ୍ଦରଗଡ଼,୭ା୧୦(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ଉପକଣ୍ଠ କଲେଜ ବାଇପାସ ଇବ ନଦୀ ପୋଲ ଉପରୁ ଶୁକ୍ରବାର ମାନସିକଭାବେ ଦୁର୍ବଳ ୨ ମହିଳାଙ୍କୁ ଉଦ୍ଧାର କରି ସ୍ଥାନୀୟ ବିଧାୟିକା କୁସୁମ ଟେଟେ ସୁଧାର ଗୃହକୁ ପଠାଇଛନ୍ତି। ଜଣଙ୍କ ବୟସ ୨୭ ଏବଂ ଆଉ ଜଣଙ୍କର ୪୫ ବୋଲି ଜଣାପଡ଼ିଛି। ତେବେ ସେ କେଉଁଠୁ ଆସିଛନ୍ତି ତାହା ଜଣାପଡ଼ିନାହିଁ। ସ୍ପଷ୍ଟ ଦିବାଲୋକରେ ୨ ମହିଳା ସମ୍ପୂର୍ଣ୍ଣ ଉଲଗ୍ନ ହୋଇ ଇବ ନଦୀ ପୋଲ ଉପରେ ଚାଲି ଚାଲି ଯାଉଥିଲେ। ଶହ ଶହ ଯାତ୍ରୀ ସେଇ ରାସ୍ତା ଦେଇ ଯାଉଥିଲେ ମଧ୍ୟ କେହି ଜଣେ ଏଭଳି ଲଜ୍ଜିତ ଦୃଶ୍ୟ ପାଇଁ ଦୟା ଦେଖାଇ ନ ଥିଲେ। ନିଜ ଘରୁ ଆଦିବାସୀ ମଞ୍ଚ ଘେରାଉ କାର୍ଯ୍ୟକ୍ରମକୁ ଯାଉଥିବା ବିଧାୟିକା କୁସୁମ ଟେଟେ ଏହି ୨ ମହିଳାଙ୍କୁ ଦେଖି ଗାଡି ଅଟକେଇ ଥିଲେ। ଆଦିବାସୀ ନେତାଙ୍କୁ ସମ୍ବର୍ଦ୍ଧିତ କରିବାକୁ ସାଙ୍ଗରେ ନେଉଥିବା ଗାମୁଛା ନେଇ ୨ ମହିଳାଙ୍କୁ ଘୋଡାଇ ଦେଇଥିଲେ। ସେହି ରାସ୍ତା ଦେଇ ଯାଉଥିବା ଶହ ଶହ ଗାଡି ଅଟକି ରହିଗଲା। କେହି କିଛି ବୁଝିବା ଆଗରୁ ବିଧାୟିକା କୁସୁମ ଆମ୍ବୁଲାନ୍ସ ଡାକି କଲେଜ ବାଇପାସରେ ଥିବା ସୁଧାର ଗୃହକୁ ନେଇ ଯାଇଥିଲେ। ସୁଧାର ଗୃହ ଅଧ୍ୟକ୍ଷା ସ୍ନେହଲତା ପଟେଲଙ୍କୁ ଜିମା ଦେବା ପରେ ବିଧାୟିକା କୁସୁମ ନିଜ ଗନ୍ତବ୍ୟସ୍ଥଳୀ ଆଦିବାସୀ ମୋର୍ଚ୍ଚାର ବିଶାଳ ବିକ୍ଷୋଭରେ ଯୋଗଦେବା ପାଇଁ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ। ବିଧାୟିକାଙ୍କ ଏଭଳି ମହାନତାକୁ ନେଇ ସବୁଠି ପ୍ରଂଶସା କରାଯାଇଛି।