ପାରଳାଖେମୁଣ୍ଡି, ୧୮।୮(ଗିରିଧାରୀ ପରିଛା): ପାରଳାଖେମୁଣ୍ଡିର ପର୍ଯ୍ୟଟନ ଓ ଯାତାୟାତ ବ୍ୟବସ୍ଥାକୁ ଏକ ନୂତନ ଦିଗ ଦେବା ପାଇଁ ବିଧାନସଭାରେ ଦାବି ଉଠାଇଛନ୍ତି ସ୍ଥାନୀୟ ବିଧାୟକ ରୂପେଶ କୁମାର ପାଣିଗ୍ରାହୀ। ମଙ୍ଗଳବାର ଭୁବନେଶ୍ୱରସ୍ଥିତ ବିଧାନସଭା ଭବନରେ ଅନୁଷ୍ଠିତ ‘Committee on Papers Laid on the Table’ର ୨୦୨୬-୨୭ ବର୍ଷର ଚତୁର୍ଥ ବୈଠକରେ ସେ ପାରଳା ଓ ଗଜପତି ଜିଲାର ସର୍ବାଙ୍ଗୀନ ବିକାଶ ସମ୍ପର୍କିତ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଦାବି ରଖିଛନ୍ତି।
ପାରଳାଖେମୁଣ୍ଡିର ଐତିହ୍ୟ ଏବଂ ପର୍ଯ୍ୟଟନ କ୍ଷେତ୍ରର ଅନ୍ୟତମ ପ୍ରମୁଖ ଆକର୍ଷଣ ବୃନ୍ଦାବନ ପ୍ୟାଲେସର ଉନ୍ନତିକରଣ ଏବଂ ଆଧୁନିକୀକରଣ କରିବାକୁ ବିଧାୟକ ଦୃଢ଼ ଦାବି ଜଣାଇଛନ୍ତି। ଏହି ପ୍ୟାଲେସର ବିକାଶ ହେଲେ ଅଞ୍ଚଳରେ ପର୍ଯ୍ୟଟନ ସମ୍ଭାବନା ଆହୁରି ବହୁଗୁଣିତ ହେବ ବୋଲି ସେ ମତବ୍ୟକ୍ତ କରିଛନ୍ତି।
ଜିଲାରେ ଯାତାୟାତ ବ୍ୟବସ୍ଥାକୁ ସୁଧାରିବା ପାଇଁ ସେ ବଡ଼ଧରଣର ଆର୍ଥିକ ଅନୁଦାନ ମାଗିଛନ୍ତି। ପାରଳାଖେମୁଣ୍ଡିରେ ନୂତନ ବସ୍ଷ୍ଟାଣ୍ଡ ନିର୍ମାଣ ପାଇଁ ୪୦ କୋଟି ଟଙ୍କା, କାଶୀନଗର ପାଇଁ ୨୦ କୋଟି ଏବଂ ଗୋଷାଣୀ ପାଇଁ ୨୦ କୋଟି ଟଙ୍କା—ଏହିପରି ମୋଟ ୮୦ କୋଟି ଟଙ୍କାର ଅନୁଦାନ ଯୋଗାଇଦେବାକୁ ସେ ବିଭାଗୀୟ ଅଧିକାରୀଙ୍କ ନିକଟରେ ଦାବି ଉପସ୍ଥାପନ କରିଛନ୍ତି।
ପରିବହନ ବିଭାଗ ଏବଂ ଓଏସଆରଟିସି (OSRTC) ସମ୍ପର୍କିତ ଆଲୋଚନା କାଳରେ ବିଧାୟକ ପାରଳାଖେମୁଣ୍ଡିରୁ ରାଜଧାନୀ ପୁରୀ, କଟକ ଏବଂ ଧାର୍ମିକ ପୀଠ ତିରୁପତିକୁ ନୂତନ ବସ୍ ସେବା ଆରମ୍ଭ କରିବାକୁ ଦାବି ରଖିଛନ୍ତି। ଏହି ସେବା ଆରମ୍ଭ ହେଲେ ଗଜପତି ଜିଲାବାସୀଙ୍କ ସମେତ ସମଗ୍ର ଦକ୍ଷିଣ ଓଡ଼ିଶାର ଲୋକଙ୍କ ପାଇଁ ଯାତାୟାତ ଅଧିକ ସହଜ ହେବ ଏବଂ ପ୍ରମୁଖ ସହରଗୁଡ଼ିକ ସହିତ ଯୋଗାଯୋଗ ବ୍ୟବସ୍ଥା ଅଧିକ ସୁଦୃଢ଼ ହୋଇପାରିବ।
ସୂଚନାଯୋଗ୍ୟ ଯେ, ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ କମିଟି ଅଧ୍ୟକ୍ଷ ଦୁଷ୍ମନ୍ତ କୁମାର ସ୍ୱାଇଁଙ୍କ ସମେତ ଅନ୍ୟାନ୍ୟ ସଦସ୍ୟ ଏବଂ ସମ୍ପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।