ମହାକାଳପଡ଼ା,୧୧ା୬(ପ୍ରତାପ ଚନ୍ଦ୍ର ସ୍ବାଇଁ): ମହାକାଳପଡା ବିଧାନସଭା ନିର୍ବାଚନ ମଣ୍ଡଳୀସ୍ତରୀୟ ଉନ୍ନୟନମୂଳକ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା ବୈଠକ ବ୍ଲକ ସଭା ଗୃହରେ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବିଧାୟକ ଡ. ଦୁର୍ଗା ପ୍ରସନ୍ନ ନାୟକ ଓ ଜିଲାପାଳ ରଘୁରାମ ଆର ଆୟର ଯୋଗଦେଇ ଶିକ୍ଷା, ସ୍ବାସ୍ଥ୍ୟ, ବନ୍ୟା ବାତ୍ୟା, ନଦୀବନ୍ଧ ସୁଦୃଢୀକରଣ, ତଟ ସୁରକ୍ଷା ବ୍ୟବସ୍ଥା, ପାଟନାଳୀ ଜଳ ନିଷ୍କାସନ, ଆଖଡ଼ାସାହି କ୍ରିକ୍ କାର୍ଯ୍ୟକ୍ଷମ, ରାମନଗର କାଜୁ ଜଙ୍ଗଲରୁ କଞ୍ଚା ଗଛ କାଟିବା ସହ ବେଆଇନ ବାଲି ଚାଲାଣ, ଗୋ ମଇଁଷି ପାଳନ ଚାଷୀଙ୍କୁ ସରକାରୀସ୍ତରରେ ଆର୍ଥିକ ସହାୟତା ଓ ପ୍ରାଣୀ ଚିକିତ୍ସାରେ ଅବହେଳା, ରାମଚଣ୍ଡୀ ମନ୍ଦିର ପରିସର ସୌନ୍ଦର୍ଯ୍ୟକରଣ ଓ ନୂଆ ମନ୍ଦିର ନିର୍ମାଣ, ଜବରଦଖଲକାରୀଙ୍କଠାରୁ ମା’ଙ୍କ ସମ୍ପତ୍ତି ଉଦ୍ଧାର ଉପରେ ଗୁରୁତ୍ୱାରୋପ କରିଛନ୍ତି। ମୌସୁମୀ ବର୍ଷା ପୂର୍ବରୁ ନଦୀବନ୍ଧ ଓ ଅନ୍ୟାନ୍ୟ କାର୍ଯ୍ୟ ସାରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ସେହିପରି ଖରା ଦିନେ ଜଳକ୍ଳିଷ୍ଟ ଅଞ୍ଚଳକୁ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଣ ପାଇଁ ଦାବି ହୋଇଥିଲା। ବିଦ୍ୟୁତ୍ ସେବା, ଆବାସ ଯୋଜନା ଗରିବ ଲୋକଙ୍କୁ ଚିହ୍ନଟ କରି ପ୍ରଦାନ କରିବା ଭଳି ଅନେକ ଉନ୍ନୟନମୂଳକ କାର୍ଯ୍ୟରେ ସମୀକ୍ଷା କରାଯାଇ ଯୁଦ୍ଧ କାଳୀନ ଭିତ୍ତିରେ କାର୍ଯ୍ୟ ଶେଷ କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି ସମୀକ୍ଷା ବୈଠକରେ ଉପଜିଲାପାଳ ଅରୁଣ କୁମାର ନାୟକ, ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି, ଜିଲା ସାମାଜିକ ସୁରକ୍ଷା ଅଧିକାରୀ ସଂଗ୍ରାମ କେଶରୀ ବେଉରା, ବ୍ଲକ ଅଧ୍ୟକ୍ଷା ମୀରାରାଣୀ ମହାନ୍ତି, ମାର୍ଶାଘାଇ ବ୍ଲକ ଅଧ୍ୟକ୍ଷା ମଧୁସ୍ମିତା ସାମଲ, ମାର୍ଶାଘାଇ ବିଡିଓ ଅମିୟ କୁମାର ସ୍ବାଇଁଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
ଜନ ପ୍ରତିନିଧିମାନଙ୍କ ମଧ୍ୟରେ ଗଗୁଆ ପଞ୍ଚାୟତ ସମିତି ସଭ୍ୟ ଡ଼. ପ୍ରତାପ ଚନ୍ଦ୍ର ଦାସ, କ୍ରିଷ୍ଣପଦ ମଣ୍ଡକ, ମିଲନ ଦେବନାଥ, ତରୁଣକାନ୍ତ କାଞ୍ଜିଲାଲ, ଅଲେଖ ପ୍ରଧାନ, ପ୍ରତାପ ଚନ୍ଦ୍ର ପାଇକରାୟ, ପ୍ରଜ୍ଞା ପାରମିତା କର, ସାଲବେଗ ମାହାଳୀ, ବିଶ୍ୱଜିତ୍ ବସୁ, ଭଗବତୀ ମଣ୍ଡଳଙ୍କ ସମେତ ବହୁ ସଂଖ୍ୟାରେ ଜନସଧାରଣ ଉପସ୍ଥିତ ରହି ନିଜ ନିଜ ପଞ୍ଚାୟତ ସମସ୍ୟା ଉଠାଇଥିଲେ। ଶେଷରେ ବିଡିଓ ରବି ନାରାୟଣ ଆଚାର୍ଯ୍ୟ ଧନ୍ୟବାଦ ଦେଇଥିଲେ।