ଭଞ୍ଜନଗର, ୧/୧୧ (ବାବୁଲା ପ୍ରଧାନ): ବାରମ୍ବାର ବନ୍ୟା ଓ ବାତ୍ୟା ଗଞ୍ଜାମ ଜିଲାବାସୀଙ୍କ ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଛି। ବାତ୍ୟା ପରବର୍ତ୍ତୀ ବନ୍ୟା ଓ ଭୂସ୍ଖଳନ ଯୋଗୁଁ ଗଞ୍ଜାମ ଜିଲାର ଭଞ୍ଜନଗର ବ୍ଲକ୍ ଅଞ୍ଚଳରେ ବ୍ୟାପକ ଧନଜୀବନ କ୍ଷୟକ୍ଷତି ହୋଇଛି। ଭଞ୍ଜନଗର ବ୍ଲକ୍ ଅନ୍ତର୍ଗତ ଗିଡ଼ିପାବାଲିରେ ନିଖୋଜ ଥିବା ୧୩ ଜଣଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ରବିବାର ଉଦ୍ଧାର କରାଯାଇଥିବା ସୂଚନା ମିଳିଛି। ଅନ୍ୟ ୧୨ ଜଣଙ୍କ ସନ୍ଧାନରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ଏହି ଉଦ୍ଧାର କାର୍ଯ୍ୟରେ ସେନାବାହିନୀ, ଏନ୍ଡିଆର୍ଏଫ୍, ଓଡ୍ରାଫ୍, ଅଗ୍ନିଶମ ବାହିନୀ, ପୋଲିସ ଓ ସ୍ଥାନୀୟ ଲୋକେ ସାମିଲ ହୋଇଛନ୍ତି। ଏପରିକି ଅତ୍ୟାଧୁନିକ ହେଲିକପ୍ଟର ମଧ୍ୟ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଶନିବାର ଦିନତମାମ ଘଟଣାସ୍ଥଳଠାରୁ କିଛି ଦୂରରେ ରହି ଉଦ୍ଧାର କାର୍ଯ୍ୟର ତଦାରଖ କରିଥିଲେ। ଏଥିସହ ନିଖୋଜ ବ୍ୟକ୍ତିଙ୍କ ପରିବାରବର୍ଗଙ୍କୁ ଭେଟି ଆଶ୍ୱାସନା ଦେଇଥିଲେ
।
ଏଭଳି ସ୍ଥିତିରେ ରବିବାର ଅପରାହ୍ନରେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଗିଡ଼ିପାବାଲି ଅଭିମୁଖେ ଯାତ୍ରା କରିଛନ୍ତି। ସେ ଜି. ଉଦୟଗିରି ଦେଇ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଗିଡ଼ିପାବାଲି ଭଞ୍ଜନଗର ବ୍ଲକ୍ ଅଞ୍ଚଳରେ ଅବସ୍ଥିତ ହୋଇଥିଲେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ଓ ରାସ୍ତାଘାଟର ଦୁରବସ୍ଥା ଯୋଗୁଁ ଜି. ଉଦୟଗିରି ପଟୁ ଉଦ୍ଧାର କାର୍ଯ୍ୟ ପରିଚାଳିତ ହେଉଛି।
ଅନ୍ୟପକ୍ଷରେ ରବିବାର ସନ୍ଧ୍ୟାରେ ସ୍ୱାସ୍ଥ୍ୟମନ୍ତ୍ରୀ ମଧ୍ୟ ଭଞ୍ଜନଗର ଗସ୍ତରେ ଆସୁଥିବା ସୂଚନା ମିଳିଛି। ପରିବହନ ମନ୍ତ୍ରୀଙ୍କ ସହ ଭଞ୍ଜନଗର ଭାଜପା ସାଂଗଠନିକ ଜିଲା ସଭାପତି ନୀଳମାଧବ ପାତ୍ର ରହିଛନ୍ତି।
Dharitri – Odisha’s No.1 Odia Daily